ନୂଆଦିଲ୍ଲୀ,୨୮/୧୨; ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ସମ୍ପ୍ରତି ଭାରତୀୟ ଦଳର କୋଚ୍ ଦାୟିତ୍ୱରେ ରହିଛନ୍ତି । ଟେଷ୍ଟ କୋଚ୍ ପଦରୁ ତାଙ୍କୁ ଛୁଟି ଦିଆଯାଇପାରେ । ଅର୍ଥାତ ତାଙ୍କର ଆଗୁଆ କାର୍ଯ୍ୟକାଳ ସରିପାରେ । ଟେଷ୍ଟ ଟିମ୍ ପାଇଁ ନୂଆ କୋଚ୍ ଖୋଜୁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଖୁବଶୀଘ୍ର ଗୌତମ ଟେଷ୍ଟ ଦଳର କୋଚ୍ ଦାୟିତ୍ୱରୁ ମୁକ୍ତ କରି କେବଳ ସୀମିତ ଓଭର କ୍ରିକେଟ୍ ଦଳର କୋଚ୍ ଭାବେ ସୀମିତ କରିବାକୁ ବିସିସିଆଇ ଚିନ୍ତା କରୁଛି । ଗଣମାଧ୍ୟମରେ ଏଭଳି ଖବର ଚର୍ଚ୍ଚାର ବିଷୟ ପାଲଟିଛି ।
ଗମ୍ଭୀରଙ୍କ ଅଧିନରେ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ୍ ଚାମ୍ପିଅନ ହୋଇଛି । ହେଲେ ଟେଷ୍ଟ କ୍ରିକେଟ୍ରେ ଦଳ ବିଫଳ ହୋଇଛି । ଗମ୍ଭୀରଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ସେନା ଦେଶ(ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ) ବିପକ୍ଷରେ ୧୦ଟି ଟେଷ୍ଟ ହାରି ସାରିଛି । ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍ ସହ ଗମ୍ଭୀରଙ୍କ କାର୍ଯ୍ୟକାଳ ଶେ ହେବ । ହେଲେ ଦଳର ପ୍ରଦର୍ଶନକୁ ଆଧାର କରି ବିସିସିଆଇ ଯେକୌଣସି ମୁହୂର୍ତ୍ତରେ ତାଙ୍କ କାର୍ଯ୍ୟର ସମୀକ୍ଷା କରିପାରିବ ।
ଗମ୍ଭୀରଙ୍କ ସମେତ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ କାର୍ଯ୍ୟରେ ବିସିସିଆଇ ଅସୁନ୍ତୁଷ୍ଟ ଥିବା ସୂଚନା ମିଳିଛି । ତେଣୁ ଟେଷ୍ଟ ଓ ସୀମିତ ଓଭର କ୍ରିକେଟ୍ ପାଇଁ ୨ଜଣ ଭିନ୍ନ ଭିନ୍ନ କୋଚ ନିଯୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଇତି ମଧ୍ୟରେ ବିସିସିଆଇ ଭିଭିଏସ ଲକ୍ଷ୍ମଣଙ୍କ ସହ ଏ ବିଷୟରେ ଆଲୋଚନା କରିଥିବା ମଧ୍ୟ ଜଣା ପଡ଼ିଛି ।