୨୦୨୬ ଗ୍ରହ ଚଳନ:- ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ୦୧.୦୬.୨୦୨୬ ବୃହସ୍ପତି କର୍କଟ ରାଶିକୁ ଗମନ କରିବେ । ପୁଣି ୩୦.୧୦.୨୦୨୬ରେ ବୃହସ୍ପତି ସିଂହକୁ ଗମନ କରିବେ । ୨୫.୧୧.୨୦୨୬ରେ ରାହୁ ମକରକୁ ଗମନ କରିବେ ଏବଂ କେତୁ କର୍କଟକୁ ଗମନ କରିବେ ।

ମିଥୁନ: ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶନି ଦଶମ ଏବଂ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଜନ୍ମ ବୃହସ୍ପତି ଯୋଗୁ ମିଥୁନ ରାଶିର ସବୁବର୍ଗର ବ୍ୟକ୍ତିମାନଙ୍କର ସ୍ୱଜନରେ ବିବାଦ, ପରିବାରରେ ମନୋମାଳିନ୍ୟ, ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା, ଶାରୀରିକ ପୀଡ଼ା, କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ବ୍ୟବସାୟୀମାନେ ଆୟ ଭଲ କଲେ ମଧ୍ୟ କର୍ମଚାରୀ ସମସ୍ୟା, ପରିବହନ ବ୍ୟବସାୟରେ ସମସ୍ୟାର ସମ୍ମୁଖୀନ ହେବେ । ଆୟ ଠିକ୍ ରହିଲେ ମଧ୍ୟ ବ୍ୟୟ ଭାର ସେହି ଅନୁପାତରେ ହେବ ଏବଂ ଗ୍ରାହକ ସଂଖ୍ୟା କମିବାରେ ଲାଗିବ । ବ୍ୟବସାୟ କ୍ଷେତ୍ରରେ ଠିକ୍ ଧ୍ୟାନ ଦେବାରେ ଅସମର୍ଥ ହେବେ ଏବଂ ବ୍ୟବସାୟ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଲାଗି ରହିବ । କର୍ମଜୀବୀମାନଙ୍କର କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ ଏବଂ ସମୟାନୁବର୍ତ୍ତିତାର ଅଭାବ ରହିବ ।

ସହକର୍ମୀଙ୍କ ସହ ବିବାଦ, ପଦସ୍ଥ ଅଧିକାରୀଙ୍କ ସହ ମତଭେଦ ଏବଂ ପରିଶ୍ରମ ତୁଳନାରେ ସଫଳତା ମିଳିବ ନାହିଁ । ନିଯୁକ୍ତି ଆଶାୟୀମାନଙ୍କର ନିଯୁକ୍ତି ମିଳିଲେ ମଧ୍ୟ ଯୋଗ୍ୟତା ଅନୁସାରେ ନିଯୁକ୍ତି ମିଳିବ ନାହିଁ । ଅବିବାହିତ ପୁଅଝିଅମାନଙ୍କର ବିବାହ କର୍ମରେ ବିଳମ୍ବ ଘଟିବ ଏବଂ ପ୍ରେମ ସମ୍ପର୍କରେ ଥିବା ପୁଅଝିଅମାନଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହେବ । ବିଦ୍ୟାର୍ଥୀମାନେ ଶିକ୍ଷାରେ ଅମଳଯୋଗୀ ହେବେ ଏବଂ ପରିଶ୍ରମ ତୁଳନାରେ ସଫଳତା ପାଇବେ ନାହିଁ ।

ଗୃହିଣୀମାନଙ୍କର ପାରିବାରିକ ସମସ୍ୟା, ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିବ ଏବଂ ନିଜକୁ ଅସହଜ ମନ କରିବେ । କ୍ରୀଡ଼ାବିତ୍ମାନେ କ୍ରୀଡ଼ାରେ ଅସଫଳ ହେବେ ଏବଂ ହତୋତ୍ସାହିତ ହେବେ । ଜୁନ୍ ମାସ ୧ ତାରିଖ ପରେ ଦ୍ୱିତୀୟ ବୃହସ୍ପତି ଯୋଗୁ ମିଥୁନ ରାଶିର ସବୁ ବର୍ଗର ବ୍ୟକ୍ତିମାନଙ୍କର ଶୁଭଫଳ ମିଳିବ । ବ୍ୟବସାୟୀମାନେ ଉତ୍ତମ ଆୟ କରିବେ । କର୍ମଜୀବୀମାନେ ଉଚ୍ଚ ପ୍ରଶଂସିତ ହେବେ । ଅବିବାହିତ ପୁଅଝିଅମାନଙ୍କର ଉତ୍ତମ ପାତ୍ରରେ ବିବାହ ହେବ । ନିଯୁକ୍ତି ଆଶାୟୀଙ୍କ ନିଯୁକ୍ତି ମିଳିବ । ଗୃହିଣୀମାନେ ସଞ୍ଚୟରେ ଆଗ୍ରହ ରଖିବେ ଏବଂ କ୍ରୀଡ଼ାବିତମାନେ ସଫଳତା ପାଇବେ ।

ଶୁଭରଙ୍ଗ : ସବୁଜ, ସଂଖ୍ୟା: ୦୮, ଆରାଧନା: ମା’ ତ୍ରିପୁରସୁନ୍ଦରୀ ।