ନୂଆଦିଲ୍ଲୀ,୦୨/୦୪:  ଜର୍ମାନୀର ଜଣେ ୬୬ ବର୍ଷୀୟା ମହିଳା  ଜନ୍ମ ଦେଇଛନ୍ତି ୧୦ମ ସନ୍ତାନ। ତେବେ ଏଥିପାଇଁ ସେ କୌଣସି ପ୍ରଜନନ ଚିକିତ୍ସାର ସାହାଯ୍ୟ ନେଇନାହାନ୍ତି । ଆଲେକ୍‌ଜାଣ୍ଡ୍ରା ହିଲ୍‌ଡେବ୍ରାଣ୍ଟ୍‌ ପୂର୍ବରୁ ୯ ସନ୍ତାନର ମା’ଥିଲେ । ଗତ ସପ୍ତାହ ସେ ୧୦ମ ସନ୍ତାନ ଫିଲିପ୍‌କୁ ସି-ସେକ୍ସନ୍‌ ମାଧ୍ୟମରେ ଜନ୍ମ ଦେଇଛନ୍ତି । ଉଭୟ ମା’-ଶିଶୁ ସୁସ୍ଥ ଅଛନ୍ତି । ହିଲ୍‌ଡେବ୍ରାଣ୍ଟ୍‌ କହିଛନ୍ତି, ପ୍ରଜନନ ଔଷଧ କିମ୍ବା ଆଇଭିଏଫ୍‌ର ପ୍ରୟୋଗ ବିନା ସେ ସନ୍ତାନ ଜନ୍ମ ଦେଇଛନ୍ତି । ତାଙ୍କ ବୟସରେ ସହଜ ଗର୍ଭଧାରଣ ସୁବିଧା ବହୁତ କମ୍‌ ଥାଇ ମଧ୍ୟ ସେ ସଫଳ ହୋଇଛନ୍ତି । ତାଙ୍କର ସବୁଠୁ ସାନ ସନ୍ତାନ ମାତ୍ର ୨ ବର୍ଷ ବୟସର ଏବଂ ସବୁଠୁ ବଡ଼ ସନ୍ତାନର ବୟସ ୪୬ ବର୍ଷ।

ଏହା ମଧ୍ୟ ପଡନ୍ତୁ- ଇଜିପ୍ଟର ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ବଡ ସଫଳତା, ଆବିଷ୍କାର କଲେ ୩,୨୦୦ ବର୍ଷ ପୁରୁଣା ସମାଧି

 ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ସେ ଏବେ ନିଜକୁ ୩୫ ବର୍ଷୀୟା ଅନୁଭବ କରୁଥିବା କହିଛନ୍ତି । ତାଙ୍କର ପ୍ରସବ କରାଇଥିବା ଡାକ୍ତରଙ୍କ ଅନୁସାରେ, ହିଲ୍‌ଡେବ୍ରାଣ୍ଟ୍‌ଙ୍କ ବୟସ ଓ ସି-ସେକ୍ସନ୍‌ ସଂଖ୍ୟା ପ୍ରକୃତରେ ବିରଳ । ମାନସିକ ଓ ଶାରୀରିକ ଧୈର୍ଯ୍ୟ ଲାଗି ସେ ସହଜରେ ଗର୍ଭଧାରଣ କଲେ। ତାଙ୍କର ଶାରୀରିକ ଓ ମାନସିକ ସାମର୍ଥ୍ୟ ପାଇଁ ଏହା ହୋଇଛି । ତାଙ୍କର ସି-ସେକ୍ସନ୍‌ ପ୍ରକ୍ରିୟା ଆଦୌ ଜଟିଳ ନ ଥିଲା ବୋଲି ଡାକ୍ତର କହିଛନ୍ତି । ୬୬ ବର୍ଷ ବୟସରେ ଗର୍ଭଧାରଣ କରିବାର ସାମର୍ଥ୍ୟର ଶ୍ରେୟ ହିଲ୍‌ଡେବ୍ରାଣ୍ଟ୍‌ ନିଜ ଜୀବନଶୈଳୀକୁ ଦେଇଛନ୍ତି । ସେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହିତ ନିୟମିତ ଘଣ୍ଟାଏ ପହଁରନ୍ତି ଓ ଦୁଇ ଘଣ୍ଟା ଦୌଡ଼ନ୍ତି । ଧୂମପାନ କିମ୍ବା ମଦ୍ୟପାନଠୁ ସେ ସର୍ବଦା ଦୂରରେ ରହନ୍ତି । ସେ କଦାପି ଗର୍ଭନିରୋଧକ ବିକଳ୍ପ ବ୍ୟବହାର କରିନାହାନ୍ତି । ନିଜର ବ୍ୟକ୍ତିଗତ ଅନୁଭବକୁ ବାଣ୍ଟି ଅନ୍ୟମାନଙ୍କୁ ବଡ଼ ପରିବାର ଗଢ଼ିବା ପାଇଁ ସେ ଉତ୍ସାହିତ କରିଛନ୍ତି ।