ନୂଆଦିଲ୍ଲୀ ୦୨/୦୪: ଇଜିପ୍ଟର ପ୍ରତ୍ନତତ୍ତ୍ୱବିତ୍‌ମାନେ ୩,୨୦୦ ବର୍ଷ ପୁରୁଣା ଏକ ସମାଧି ଆବିଷ୍କାର କରିଛନ୍ତି । ଏହା ଫରାଓ ରାମେସେସ୍‌ ୩ୟଙ୍କ ସମୟର ଜଣେ ବରିଷ୍ଠ ସାମରିକ କମାଣ୍ଡର୍‌ଙ୍କର ବୋଲି ସେମାନଙ୍କ ବିଶ୍ୱାସ । ଇସ୍‌ମାଇଲିଆ ଗଭର୍ନୋରେଟ୍‌ ସ୍ଥିତ ତେଲ୍‌ ଏଲ୍‌-ମାସ୍‌ଚୁଟା ଅଞ୍ଚଳରେ ସମାଧି ଆବିଷ୍କୃତ ହୋଇଛି । ନ୍ୟୁ କିଙ୍ଗ୍‌ଡମ୍‌ କାଳରେ ଇଜିପ୍ଟର ପୂର୍ବ ସୀମା ସୁରକ୍ଷାରେ ଉକ୍ତ ଅଞ୍ଚଳର ରଣନୀତିକ ଗୁରୁତ୍ୱକୁ ଏହି ଆବିଷ୍କାର ଦର୍ଶାଇଛି ।

ସୁପ୍ରିମ୍‌ କାଉନ୍‌ସିଲ ଅଫ୍‌ ଆଣ୍ଟିକ୍ସ ସେକ୍ରେଟାରୀ ଜେନେରାଲ ଡ. ମହମଦ ଇସ୍‌ମାଇଲ ଖାଲେଦ ଏହି ଆବିଷ୍କାରର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । ତେଲ୍‌ ଏଲ୍‌-ମାସ୍‌ଚୁଟା ଅଞ୍ଚଳ ମୁଖ୍ୟ ମିଲିଟାରୀ ଆଉଟ୍‌ପୋଷ୍ଟ ଥିଲା ବୋଲି ସେ କହିଛନ୍ତି । ଉକ୍ତ କ୍ଷେତ୍ରରେ ଥିବା ଦୁର୍ଗ ଓ ସଶସ୍ତ୍ର ବଳରୁ ଜଣାପଡ଼େ ଯେ ବାହ୍ୟ ବିପଦ ବିରୋଧରେ ଇଜିପ୍ଟକୁ ରକ୍ଷା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ସମାଧିକୁ କାଦୁଅ ଇଟାରେ ନିର୍ମାଣ କରାଯାଇଥିଲା । ଏଥିରେ ମୁଖ୍ୟ ସମାଧି ଚାମ୍ବର ପାଖରେ ୩ ଅନ୍ୟ କୋଠରୀ ରହିଛି, ଯାହାର କାନ୍ଥସବୁ ଧଳା ମୋର୍ଟାର ଦ୍ୱାରା ଆବୃତ୍ତ ହୋଇଛି । ଭିତରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଅନେକ କଳାକୃତି ଆବିଷ୍କାର କଲେ, ଯାହା ଦର୍ଶାଉଛି ଯେ ମୃତକ ଜଣେ ଉଚ୍ଚ ପଦସ୍ଥ ସୈନ୍ୟ ଅଧିକାରୀ ଥିଲେ । 

ସମାଧିରୁ ଆବିଷ୍କୃତ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମଧ୍ୟରେ ରାମେସେସ୍‌ ୩ୟ ଲିଖିତ ଖୋଳ ସହିତ ସୁନା ମୁଦି, ତମ୍ବା ତୀର ଏବଂ ଏକ ହାତୀଦାନ୍ତ ବାକ୍ସ ଅଛି । ଏଥିରୁ ମୃତକ ଜଣକ ଫରାଓଙ୍କ ସୈନ୍ୟ ମୁଖ୍ୟ ଥିବା ଜଣାପଡ଼େ । ଆବିଷ୍କାରରେ ସବୁଠୁ ମଜାଦାର ଥିଲା ଖୋଦେଇ ହୋଇଥିବା ମାଟି ପାତ୍ର ସେଟ୍‌ । ଏଥିରେ ଫରାଓ ହୋରେମ୍‌ହେବ୍‌ଙ୍କ ନାଁ ଉଲ୍ଲେଖ ହୋଇଛି, ଯିଏକି ପ୍ରାୟ ଖ୍ରୀ.ପୂ. ୧୩୨୩ରୁ ୧୨୯୫ ପର୍ଯ୍ୟନ୍ତ ଶାସନ କରିଥିଲେ । ଫରାଓ ହେବା ପୂର୍ବରୁ ହୋରେମ୍‌ହେବ୍‌ ଜଣେ ପୂର୍ବତନ ସୈନ୍ୟ ନେତା ଥିଲେ । ରାମେସେସ୍‌ ୩ୟଙ୍କ ପୂର୍ବରୁ ସେ ଶତାଧିକ ବର୍ଷ ଶାସନ କରିଥିଲେ । ମାଟି ପାତ୍ରରେ ଲିଖିତ ତାଙ୍କ ନାଁରୁ ଜଣାପଡ଼େ ଯେ ସମୟ ସହିତ ସମାଧି ପୁନଃ ବ୍ୟବହୃତ ହୋଇଛି । 

ସମାଧି ଭିତରେ ଆଉ ଏକ ମାନବ ଅବଶେଷ ଆବିଷ୍କୃତ ହେବା ପରେ ସମାଧିର ପୁନଃ ବ୍ୟବହାର ପ୍ରମାଣକୁ ଆହୁରି ଦୃଢ଼ କରଛି । ଉକ୍ତ କଙ୍କାଳ ଲିନେନ୍‌ ଓ ପ୍ଲାଷ୍ଟର୍‌ଯୁକ୍ତ ଏକ ଉପକରଣରେ ପ୍ରସ୍ତୁତ କାର୍ଟୋନେଜ୍‌ରେ ଆବୃତ୍ତ ହୋଇଥିଲା । ଏହା ଦର୍ଶାଉଛି ଯେ ପରବର୍ତ୍ତୀ ସମୟରେ ସମାଧିରେ ପରିବର୍ତ୍ତନ ହୋଇଛି । ମାନବ କଙ୍କାଳ ଅବଶେଷ ସମେତ ପ୍ରତ୍ନତତ୍ତ୍ୱବିତ୍‌ମାନେ ଅଲବାଷ୍ଟର୍‌ ବାସନ, ଅର୍ଦ୍ଧ-ମୂଲ୍ୟବାନ ପଥର, ତାୱେରେଟ୍‌ ଓ ବେସ୍‌ ଭଗବାନଙ୍କର ତାବିଜ ଏବଂ ଇଜିପ୍ଟ ପୁରାଣରେ ସୁରକ୍ଷାତ୍ମକ ସଙ୍କେତ ଉଡ୍‌ଜାଟ ଆଖିକୁ ମଧ୍ୟ ଆବିଷ୍କାର କରିଛନ୍ତି ।