ନୂଆଦିଲ୍ଲୀ, ୨୬/୦୩ : ପାକିସ୍ତାନକୁ ଭାରତର ସିସିଟିଭି ଫୁଟେଜ୍ ପଠାଇବା ଘଟଣାରେ ବଡ଼ ଖୁଲାସା। ଶତ୍ରୁ ଦେଶ ପାଇଁ ଜାସୁସୀ କରୁଥିଲା ଦିଲ୍ଲୀର ଏକ ହୋଟେଲରେ ପ୍ଲେଟ ଧୋଇବା କାମ କରୁଥିବା ଜଣେ ସାଧାରଣ ଯୁବକ। ଦୀର୍ଘ ଏକ ବର୍ଷ ହେବ ପାକିସ୍ତାନୀ ଗ୍ୟାଙ୍ଗଷ୍ଟାରଙ୍କ ଲିଙ୍କରେ ଥିଲା ଅଭିଯୁକ୍ତ ସମୀର। ମଦ ପିଇବା ପାଇଁ ଶତ୍ରୁ ହାତରେ ଟେକି ଦେଉଥିଲା ଦେଶର ସମ୍ଵେଦନଶୀଳ ତଥ୍ୟ। ଫଟୋ ଭିଡିଓ ସହ ସେୟାର କରୁଥିଲା ଲୋକେସନ। ଦିନକୁ ମିଳୁଥିଲା ୫୦୦ ରୁ ୧୦୦୦ ଟଙ୍କା। ଡାଟା ଲିକ୍ ପାଇଁ ତିଆରି କରିଥିଲେ ବଡ଼ ନେଟୱାର୍କ। ଏହି ଗ୍ରୁପ୍ ରେ ଥିଲେ ୧୫୦ରୁ ଅଧିକ ସଦସ୍ୟ। ୧୭ଟି ଫୋନରୁ ମିଳିଲା ୧୮୩ ଦେଶ ବିରୋଧୀ ଫଟୋ-ଭିଡିଓ। ଅମ୍ବାଲା ରେଲୱେ ଷ୍ଟେସନରେ କ୍ୟାମେରା ଲଗାଇବାକୁ କରୁଥିଲେ ଷଡ଼ଯନ୍ତ୍ର। ୨୧ ସନ୍ଦିଗ୍ଧ ଜାସୁସଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ।
ସୂଚନାନୁଯାୟୀ, ଅଭିଯୁକ୍ତ ସମୀର ଦିଲ୍ଲୀର ଏକ ହୋଟେଲରେ ବାସନ ଧୋଇବା କାର୍ଯ୍ୟ କରୁଥିଲା। ସେ ପ୍ରାୟ ଏକ ବର୍ଷ ହେବ ଗୁଜରାଟରୁ ପାକିସ୍ତାନ ସୀମାନ୍ତବର୍ତ୍ତୀ ପଞ୍ଜାବ ପର୍ଯ୍ୟନ୍ତ ସାମରିକ ଘାଟିଗୁଡ଼ିକର ଗୁଇନ୍ଦାଗିରି କରୁଥିଲା। ସାମରିକ ବେସ୍ର ଭିଡିଓ ଏବଂ ଫଟୋ ଉତ୍ତୋଳନ କରି ଲୋକେସନ ସହ ଜଣେ ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ସର୍ଦ୍ଦାରକୁ ପଠାଉଥିଲା। ସମୀର ପାଖରୁ ୧୭ଟି ମୋବାଇଲ୍ ଫୋନ ଜବତ ହୋଇଛି। ଏହି ସବୁ ଫୋନରୁ ୧୮୩ ଦେଶ ବିରୋଧୀ ଫଟୋ-ଭିଡିଓ ମିଳିଛି। ସମୀର ଏହି ଫୋନ ଗୁଡ଼ିକ ମାଧ୍ୟମରେ ପାକିସ୍ତାନକୁ ଭାରତର ପ୍ରମୁଖ ସାମରିକ ଆଡ୍ଡା, ଫରୱାର୍ଡ ଏୟାରବେସ୍, ବିଏସଏଫ୍ ପୋଷ୍ଟର ସିସିଟିଭି ଫୁଟେଜ୍ ପଠାଉଥିଲା। ଏଥିପାଇଁ ତାକୁ ଟ୍ରେନିଂ ଦିଆଯାଇଥିଲା। ସମୀର ଗୁଜରାଟର ଜାମନଗର ଏୟାରବେସ୍, ରାଜସ୍ଥାନର ଜୟସାଲମେର, ବିକାନେର, ପଞ୍ଜାବର ପଠାନକୋଟ ଏବଂ ଅମୃତସର ସ୍ଥିତ ସୈନ୍ୟ ଆଡ୍ଡାର ଫଟୋ-ଭିଡିଓ ପଠାଇଛି।
କେବଳ ସେତିକି ନୁହେଁ ସମୀରକୁ ଅମ୍ବାଲା ରେଲୱେ ଷ୍ଟେସନରେ ସୋଲାରରେ ଚାଲୁଥିବା ସିମ୍ ଆଧାରିତ ଷ୍ଟାଣ୍ଡଆଲୋନ ସିସିଟିଭି କ୍ୟାମେରା ଇନଷ୍ଟଲ କରିବା ପାଇଁ ଟାସ୍କ ଦିଆଯାଇଥିଲା। ଅଭିଯୁକ୍ତ ପୂର୍ବରୁ ଦିଲ୍ଲୀ କ୍ୟାଣ୍ଟ ଏବଂ ସୋନିପତ ରେଳ ଷ୍ଟେସନରେ ଏପରି କ୍ୟାମେରା ଲଗାଇଥିଲା। ଏହି କ୍ୟାମେରାଗୁଡ଼ିକ ପ୍ଲାଟଫର୍ମଠାରୁ ପ୍ରାୟ ୨୦ ଫୁଟ ଉଚ୍ଚତାରେ ଲଗାଯାଇଥିଲା। ଯାହା ଦ୍ୱାରା ଏକାଧିକ ପ୍ଲାଟଫର୍ମ ଏବଂ ଟ୍ରେନ୍ ଗତିବିଧି ଉପରେ ଏକକାଳୀନ ନଜର ରଖାଯାଇପାରିବ। ଏତଦ୍ ବ୍ୟତୀତ ପ୍ରାୟ ୫୦ଟି ସ୍ଥାନରେ ଏଭଳି କ୍ୟାମେରା ଇନଷ୍ଟଲ କରାଯାଇଥିଲା। ପୁଲିସ ଏହି ଘଟଣାରେ ତଦନ୍ତ କରି ସମୀର ଏବଂ ତାର ସହଯୋଗୀ ସମେତ ୨୧ ସନ୍ଦିଗ୍ଧ ଜାସୁସଙ୍କୁ ଗିରଫ କରିଛି। ସେମାନଙ୍କ ନେଟୱାର୍କରେ ୧୫୦ରୁ ଅଧିକ ସଦସ୍ୟ ଥିବା ଜଣାପଡ଼ିଛି। ତେବେ ୨୧ ସନ୍ଦିଗ୍ଧଙ୍କ ମଧ୍ୟରୁ ସମୀର ସବୁଠୁ ଅଧିକ ଫଟୋ-ଭିଡିଓ ସେୟାର କରିଛି।
ଏହି ଖବରଟିକୁ ପଢନ୍ତୁ- ପାକିସ୍ତାନକୁ ପଠାଯାଉଛି ଭାରତର ସମ୍ବେଦନଶୀଳ ସ୍ଥାନର ସିସିଟିଭି ଫୁଟେଜ୍, ଦେଶବ୍ୟାପୀ ସବୁ ନେଟୱର୍କର ଯାଞ୍ଚ ନିର୍ଦ୍ଦେଶ