ନୂଆଦିଲ୍ଲୀ,୨୫/୦୩ : ଜାତୀୟ ରାଜଧାନୀ ଦିଲ୍ଲୀକୁ ଲାଗିଥିବା ଗାଜିଆବାଦରେ ପାକିସ୍ତାନ ସହ ଜଡିତ ଏକ ଗୁପ୍ତଚର ର‌୍ୟାକେଟର ପର୍ଦ୍ଦାଫାସ ହେବା ପରେ ସିସିଟିଭି ସିଷ୍ଟମର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାଞ୍ଚରୁ ଜଣାପଡିଛି ଯେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଲାଗିଥିବା ସିସିଟିଭିର ଲାଇଭ ଭିଡିଓ ଫୁଟେଜ ସୀମାପାର ପାକିସ୍ତାନକୁ ପଠାଯାଉଥିଲା । ଏହା ପରେ କେନ୍ଦ୍ର ସରକାର ଦେଶବ୍ୟାପୀ ସିସିଟିଭି ନେଟୱର୍କ ସିଷ୍ଟମର ତଦନ୍ତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁସାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୁଇନ୍ଦା ବିଭାଗ ଓ ଅନ୍ୟ ସଂସ୍ଥା ସହ ମିଳିତ ଭାବେ ଦେଶବ୍ୟାପୀ ସିସିଟିଭି ନେଟୱର୍କର ଅଡିଟ କରିବାକୁ ଯାଉଛନ୍ତି । ସେପଟେ ଆସନ୍ତା ଏପ୍ରିଲ ପହିଲାରୁ ଦେଶରେ କେବଳ ହ୍ୟାକିଂପ୍ରୁଫ୍‌ କ୍ୟାମେରା ହିଁ ବିକ୍ରି କରାଯିବ । ଯାହାକି ସରକାରୀ ସୁରକ୍ଷା ଯାଞ୍ଚ (ଏସ୍‌ଟିକ୍ୟୁସି ସାର୍ଟିଫିକେସନ) ପାସ୍‌ କରିବାକୁ ହେବ । ଭାରତରେ ବର୍ତ୍ତମାନ ବ୍ୟବହାର ହେଉଥିବା କିମ୍ବା ବିକ୍ରି ହେଉଥିବା ୮୦ ପ୍ରତିଶତ ସିସିଟିଭି କ୍ୟାମେରା ଚୀନ୍‌ ନିର୍ମିତ । ଯାହାକି ତଥ୍ୟ ଚୋରିର ବିପଦ ଲାଗି ରହିଛି । ତେବେ ଭାରତରେ ମଧ୍ୟ ୭ଟି କମ୍ପାନିର ୫୩ଟି ଏଭଳି ମଡେଲର ସିସିଟିଭି କ୍ୟାମେରା ବିକ୍ରି କରାଯାଉଛି ଯାହା ପ୍ରମାଣିତ ଓ ସୁରକ୍ଷିତ ବୋଲି ବିବେଚନା କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆରେ ଚୀନ୍‌ ସିସିଟିଭି କ୍ୟାମେରା ବ୍ୟବହାର ଉପରେ ରୋକ୍‌ ଲଗାଯାଇଛି । ସିସିଟିଭି ସିଷ୍ଟମରେ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେବାର ଘଟଣା ସାମ୍‌ନାକୁ ଆସିଛି ।

ଇସ୍ରାଏଲ ପକ୍ଷରୁ ଇରାନର ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାକୁ ହ୍ୟାକ କରାଯାଇ ଭିଭିଆଇପିଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବା ଜଣାପଡିଥିଲା । ସୋନିପତ ରେଲୱେ ଷ୍ଟେସନରେ ଜଣେ ବ୍ୟକ୍ତି କ୍ୟାମେରାକୁ ହ୍ୟାକ୍‌ କରି ଲାଇଭ୍‌ ଫିଡ୍‌ ହାତେଇଥିଲେ ଏବଂ ଯାତ୍ରୀଙ୍କ ଫୁଟେଜ ରେକର୍ଡିଂ କରି ତାକୁ ଡିଜିଟାଲ ପ୍ଲାଟଫର୍ମରେ ସେୟାର କରିଥିଲେ । ନିକଟରେ ଗାଜିଆବାଦର ସାହିବାବାଦ ଅଞ୍ଚଳରେ ଜଣେ କନଷ୍ଟେବଳଙ୍କ ସୂଚନା ଆଧାରରେ ଗୁପ୍ତଚର ମାମଲା ସାମ୍‌ନାକୁ ଆସିଥିଲା । ଯାଞ୍ଚରୁ ଜଣାପଡିଥିଲା କି ସୌରଶକ୍ତିରେ ଚାଲୁଥିବା ଛୋଟ ସିସିଟିଭି କ୍ୟାମେରା କେତେକ ସମ୍ବେଦନଶୀଳ ଅଞ୍ଚଳରେ ଲଗାଯାଇଥିଲା । ଏହି କ୍ୟାମେରା ଇଣ୍ଟରନେଟ ଜରିଆରେ ବିଦେଶୀ ସର୍ଭର ସହ ଯୋଡି ହୋଇଥିଲା । ତାର ଲାଇଭ୍‌ ଫିଡ୍‌ ସିଧାସଳଖ ପାକିସ୍ତାନକୁ ପଠାଯାଉଥିଲା । ଫଳରେ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା ।

ଏହି ଖବରଟିକୁ ପଢନ୍ତୁ- ଡିଆର୍‌ଡିଓ ପ୍ରସ୍ତୁତ କରୁଛି ଭବିଷ୍ୟତ ଯୁଦ୍ଧର ରୋଡ୍‌ମ୍ୟାପ୍, ଆସିବ ଷଷ୍ଠ ପିଢ଼ି ଫାଇଟର୍ ଓ ଏଆଇ ଯୁଦ୍ଧାସ୍ତ୍ର