ପର୍ଥ,୧୭/୧୧: ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଜୋରଦାର ଅଭ୍ୟାସ ଚଳାଇଥିବାବେଳେ ପ୍ରମୁଖ ଖେଳାଳି ଆହତ ହେବା ଖବର ଦଳର ଚିନ୍ତା ବଢାଇ ଦେଇଛି । ଦିନକ ତଳେ କେଏଲ ରାହୁଲ ଓ ବିରାଟ କୋହଲିଙ୍କ ଶରୀରରେ ବଲ୍ ବାଜିଥିଲା । ଶୁଭମନ ଗିଲ୍ ଆହତ ହୋଇଛନ୍ତି ।
ୱାକା ଗ୍ରାଉଣ୍ଡ୍ରେ ଚାଲିଥିବା ଇନ୍ଟ୍ରା ସ୍କ୍ୱାଠ୍ ଅଭ୍ୟାସ ମ୍ୟାଚ୍ରେ ଗିଲ ସ୍ଲିପ୍ ଅଞ୍ଚଳରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଛନ୍ତି । ତାଙ୍କ ଡାହଣ ହାତର ବୁଢା ଆଙ୍ଗୁଳି ଭାଙ୍ଗି ଯାଇଛି । ପ୍ରଥମ ଟେଷ୍ଟ ପୂର୍ବରୁ ସେ ଫିଟ୍ ହୋଇପାରିବେ ନାହିଁ । ୨୨ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଗିଲ୍ ୩ନଂ ସ୍ଥାନରେ ବ୍ୟାଟିଂ କରୁଛନ୍ତି । ମାତ୍ର ପର୍ଥରେ ଓପନ୍ କରିବାର ସମ୍ଭାବନା ରହିଥିଲା । ଅଧିନାୟକ ରୋହିତ ଶର୍ମା ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯାତ୍ରା କରି ନାହାନ୍ତି । ତେଣୁ ତାଙ୍କ ଅନୁପସ୍ଥିତିରେ ଗିଲ୍ କିମ୍ବା କେଏଲ ରାହୁଲଙ୍କ ମଧ୍ୟରୁ ଜଣେ ଯଶସ୍ୱୀ ଜୈସ୍ୱାଲଙ୍କ ସହ ଓପନ୍ କରିବା ନେଇ ଯୋଜନା ଚାଲିଥିଲା ।
ଗିଲଙ୍କ ସ୍ଥାନ ପୂରଣ ପାଇଁ ଦେବଦତ୍ତ ପାଡ଼ିକଲଙ୍କୁ ଦଳକୁ ଡାକରା ମିଳିଛି । ସେ ସମ୍ପ୍ରତି ଭାରତ ଏ’ ଦଳରେ ସ୍ଥାନ ପାଇଁ ଅଷ୍ଟ୍ରେଲିଆରେ ଅଛନ୍ତି । ତେବେ ତାଙ୍କୁ ରିଜର୍ଭରେ ରଖା ଯାଇଛି କି ମୁଖ୍ୟ ଦଳକୁ ନିଆଯାଇଛି, ତାହା ସ୍ପଷ୍ଟ ହୋଇନାହିଁ । ୱାକା ଗ୍ରାଉଣ୍ଡରେ ଭାରତ ସମ୍ପ୍ରତି ଏକ ଇନ୍ଟ୍ରା ସ୍କ୍ୱାଡ୍ ମ୍ୟାଚ୍ ଖେଳୁଛି । ପ୍ରଥମ ଦିବସରେ ରାହୁଲ ବ୍ୟାଟିଂ କରୁଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏକ ବଲ ତାଙ୍କ ଡାହଣ ହାତ କହୁଣୀରେ ବାଜିଥିଲା । ସେହିପରି କୋହଲି ବ୍ୟାଟିଂ ବେଳେ ବଲ୍ରେ ଆଘାତ ପାଇଥିଲେ । ଉଭୟଙ୍କୁ ଡାକ୍ତର ଖାନା ନିଆଯାଇଥିଲା ଓ ଆଘାତ ସ୍ଥାନର ସ୍କାନ କରାଯାଇଥିଲା । ପରେ କୋହଲି ଫିଟ୍ ଘୋଷିତ ହୋଇଥିଲେ । ମାତ୍ର ରାହୁଲଙ୍କ ବିଷୟରେ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ ।
ପ୍ରଥମ ଟେଷ୍ଟ ଖେଳିବେନି ରୋହିତ
ଟିମ୍ ଇଣ୍ଡିଆ ଅଧିନାୟକ ଦ୍ୱିତୀୟ ସନ୍ତାନର ଜନକ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାଙ୍କ ଅଷ୍ଟ୍ରେଲିଆ ଗସ୍ତ ନେଇ କିଛି ପଦକ୍ଷେପ ନିଆଯାଇନାହିଁ । ରୋହିତଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ମୁମ୍ବାଇରେ ରୋହିତଙ୍କ ଅଭ୍ୟାସ ଜାରି ରହିଛି । ମାତ୍ର ଅଷ୍ଟ୍ରେଲିଆ ଗସ୍ତ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ଦ୍ୱିତୀୟ ସନ୍ତାନ ଅପେକ୍ଷାରେ ଥିବାରୁ ରୋହିତ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଯାତ୍ରା କରି ନଥିଲେ । ବର୍ତ୍ତମାନ ସବୁ ଅପେକ୍ଷା ଶେଷ ହୋଇଛି । ରୋହିତ ଯଥା ସମ୍ଭବ ସହଳ ଅଷ୍ଟ୍ରେଲିଆ ଯାତ୍ରା କରିପାରନ୍ତି । ତଥାପି ସେ ପ୍ରଥମ ଟେଷ୍ଟ ଖେଳିବା ସମ୍ଭବ ନୁହେଁ । କାରଣ ଆଉ ମାତ୍ର ୫ଦିନ ପରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଏତେ କମ୍ ସମୟ ମଧ୍ୟରେ ସ୍ଥାନୀୟ ଜଳବାୟୁ ସହ ଖାପ ଖୁଆଇବା ସହ ପର୍ଥ ଭଳି ପେସ୍ ଓ ବାଉନ୍ସ ପିଚରେ ଖେଳିବା କଷ୍ଟକର ହେବ ।