ନୂଆଦିଲ୍ଲୀ, ୧୦/୦୩ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ସଙ୍କଟ। ଏନେଇ ୟୁରୋପୀୟ ୟୁନିୟନ (ଇୟୁ)ର ତୈଳ ଓ ଗ୍ୟାସ୍ ଯୋଗାଣ ସହ ଜଡ଼ିତ କୋଅର୍ଡିନେସନ ଗ୍ରୁପ୍ ଆସନ୍ତା ଗୁରୁବାର ବା ୧୨ ତାରିଖରେ ବୈଠକ କରିବ । ଏହି ବୈଠକରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଶକ୍ତି ବଜାର ଉପରେ ପ୍ରଭାବ ଏବଂ ଇୟୁ ଦେଶଗୁଡ଼ିକର ଗଚ୍ଛିତ ଥିବା ତୈଳ ଭଣ୍ଡାର ଉପରେ ଆଲୋଚନା କରାଯିବ । ଇୟୁର ୨୭ ସଦସ୍ୟ ରାଷ୍ଟ୍ର ଅନ୍ୟୁନ ୯୦ ଦିନ ପର୍ଯ୍ୟନ୍ତ ନିଜ ପାଖରେ ତୈଳ ଗଚ୍ଛିତ ରଖିବା ଜରୁରି ବୋଲି ଇୟୁ ପକ୍ଷରୁ କୁହାଯାଇଛି ।
ଏହି କୋଅର୍ଡିନେସନ ଗ୍ରୁପ୍ରେ ସମସ୍ତ ଇୟୁ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ସାମିଲ ରହିଥାନ୍ତି । ସେମାନଙ୍କ କାମ ତୈଳ ଏବଂ ଗ୍ୟାସ୍ ଯୋଗାଣ ଉପରେ ନଜର ରଖିବା ଏବଂ କୌଣସି ସଙ୍କଟପୂର୍ଣ୍ଣ ସ୍ଥିତିରେ ଏକାଠି ହୋଇ ପଦକ୍ଷେପ ନେବା । ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳ ଦାମ୍ ସାଢ଼େ ୩ ବର୍ଷରେ ସବୁଠୁ ଉଚ୍ଚସ୍ତରରେ ପହଞ୍ଚିଛି । ଅନ୍ୟପକ୍ଷରେ ଅଶୋଧିକ ତୈଳ ଦର ବୃଦ୍ଧିକୁ ନେଇ ଜି-୭ ରାଷ୍ଟ୍ରଗୁଡ଼ିକ ଜରୁରିକାଳୀନ ବୈଠକ ଡାକିଛନ୍ତି । ଜି-୭ ରାଷ୍ଟ୍ର କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ, ଆମେରିକାର ଅର୍ଥମନ୍ତ୍ରୀମାନେ ବୈଠକରେ ଆପାତକାଳୀନ ତୈଳ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଲୋଚନା କରିବେ । ଜି୭ ଦୁନିଆର ପ୍ରମୁଖ ବିକଶିତ ଅର୍ଥବ୍ୟବସ୍ଥାର ସମୂହ । ବିଶେଷଜ୍ଞଙ୍କ ମତରେ, ଯଦି ଆପାତକାଳୀନ ତୈଳ ଭଣ୍ଡାର ବ୍ୟବହାର କରାଯାଏ ତେବେ ବିଶ୍ୱ ବଜାରରେ ତୈଳ ଯୋଗାଣ ବଢ଼ିବ ଏବଂ ତୈଳଦର ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରହିପାରେ ।
ଏହି ଖବରଟିକୁ ପଢନ୍ତୁ- ଇରାନ ଯୁଦ୍ଧରେ ଜଳ ଅସ୍ତ୍ରୀକରଣ : ଟାର୍ଗେଟ୍ରେ ଜଳ ବିଶୋଧନାଗାର, ପାଣି ପାଇଁ ଡହଳ ବିକଳ ହେବେ ଉପସାଗରୀୟ ଦେଶ