ନୂଆଦିଲ୍ଲୀ, ୧୦/୦୩ : କେବଳ ତୈଳ ନୁହେଁ, ଏଣିକି ଜଳାଭାବ ବି ବିଶ୍ୱକୁ ବଡ଼ ଯୁଦ୍ଧ ଆଡ଼କୁ ଟାଣିବାର ଆଶଙ୍କା ଜଳଜଳ । ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭିତରେ ଏବେ ମଧ୍ୟପ୍ରାଚ୍ୟରେ ବଡ଼ ମାନବୀୟ ସଙ୍କଟର ପଦଧ୍ୱନି ଶୁଭାଗଲାଣି । ତାହା ହେଲା ଜଳସଙ୍କଟ । ମରୁଭୂମି ଜଳବାୟୁ ଯୋଗୁ ଉପସାଗରୀୟ ଦେଶଗୁଡ଼ିକରେ ପାନୀୟ ଜଳର ଅଭାବ ପ୍ରାକୃତିକ ଭାବେ ରହିଛି । ଇରାନ ଯୁଦ୍ଧରେ ଉପସାଗରୀୟ ଦେଶଗୁଡ଼ିକର ପାନୀୟ ଜଳ ବିଶୋଧନ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରାଯିବା ଏହି ଆଶଙ୍କାକୁ ଅଧିକ ପ୍ରଗାଢ଼ କରିଛି ।
ଫେବ୍ରୁଆରୀ ୨୮ରୁ ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି । ଖାଲି ଇନ୍ଧନ ଭିତ୍ତିଭୂମି ନୁହେଁ, ବରଂ ସହରଗୁଡ଼ିକୁ ପାଣି ଯୋଗାଉଥିବା ଜଳ ବିଶୋଧନ କେନ୍ଦ୍ରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ- ପ୍ରତିଆକ୍ରମଣ ହେଉଛି । ଫଳରେ ଏହି ଅଞ୍ଚଳରେ ଥିବା ଦୁର୍ବଳ ଜଳ ଯୋଗାଣ ବ୍ୟବସ୍ଥାର ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଗତି କରୁଛି । ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ମଧ୍ୟପ୍ରାଚ୍ୟର ପ୍ରମୁଖ ସହରଗୁଡ଼ିକୁ ରହିବା ଯୋଗ୍ୟ କରିଥିବା ଏହି ଜଳ ବିଶୋଧନ କେନ୍ଦ୍ରଗୁଡ଼ିକ ଆକ୍ରମଣର ଶିକାର ହେଲେ ସେହି ସହର ଶ୍ମଶାନ ପାଲଟିବ । ମଧ୍ୟପ୍ରାଚ୍ୟରେ ପିଇବା ଯୋଗ୍ୟ ପାଣିର ଅଭାବ ଯୋଗୁ ଦେଶଗୁଡ଼ିକ ଲୁଣିଆ ସମୁଦ୍ର ପାଣିକୁ ମାନବ ବ୍ୟବହାର ଯୋଗ୍ୟ କରିବା ପାଇଁ ଜଳ ବିଶୋଧନ କେନ୍ଦ୍ର ବା ଡିସାଲିନେସନ ପ୍ଲାଣ୍ଟଗୁଡ଼ିକୁ ବ୍ୟବହାର କରିଥାନ୍ତି । ବିଶ୍ୱର ପ୍ରାୟ ୬୦% ଡିସାଲିନେସନ ପ୍ଲାଣ୍ଟ କେବଳ ଏହି କ୍ଷେତ୍ରରେ ରହିଛି । ୟୁଏଇ, ସାଉଦି ଆରବ ଏବଂ କଏତ ଭଳି ଆରବ ଦେଶଗୁଡ଼ିକ ଏହି ଜଳ ବିଶୋଧନ କେନ୍ଦ୍ର ଉପରେ ଅତ୍ୟନ୍ତ ନିର୍ଭରଶୀଳ ଥିବାରୁ ସେଗୁଡ଼ିକ ଏବେ ଯୁଦ୍ଧର ପ୍ରମୁଖ ଟାର୍ଗେଟ ପାଲଟିଛି ।
ଇରାନ ଯୁଦ୍ଧରେ ଜଳ ଅସ୍ତ୍ରୀକରଣ
ଯୁଦ୍ଧବେଳେ ଜଳ ବିଶୋଧନ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରିବା ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଭାବେ ବିବେଚନା କରାଯିବ । କିନ୍ତୁ ସାଧାରଣ ଲୋକଙ୍କ ଭିତ୍ତିଭୂମି ଉପରେ ବଡ଼ଧରଣର ଆକ୍ରମଣ ନ କରିବା ପାଇଁ ପୂର୍ବରୁ ଯେଉଁ ଏକ ଅଘୋଷିତ ରାଜନୈତିକ, ସାମାଜିକ ତଥା ନୀତିଗତ ବାରଣ ଥିଲା ତାହା ଏବେ ଶେଷ ହେବା ଭଳି ଲାଗୁଛି । ଇରାନର ବିଦେଶ ମନ୍ତ୍ରୀ ସୟେଦ ଅବାସ୍ ଆରାଘଚି ଅଭିଯୋଗ ଆଣିଛନ୍ତି ଯେ, ଆମେରିକାର ଆକ୍ରମଣ ଯୋଗୁ ହର୍ମୁଜ ପ୍ରଣାଳୀରେ ଥିବା କେସମ୍ ଦ୍ୱୀପର ଏକ ମଧୁର ଜଳ ବିଶୋଧନ କେନ୍ଦ୍ର ନଷ୍ଟ ହୋଇଯାଇଛି । ଫଳରେ ୩୦ଟି ଗ୍ରାମକୁ ପାଣି ଯୋଗାଣ ବନ୍ଦ ହୋଇଛି । ଏହାର ଉଚିତ ଜବାବ ଦିଆଯିବ ବୋଲି ଇରାନ ଧମକ ଦେଇଛି । ତେବେ ଜଳବିଶୋଧନ କେନ୍ଦ୍ର ବାବଦରେ କିଛି ଜାଣି ନ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି । ଅନ୍ୟପକ୍ଷରେ ଯୁଦ୍ଧ ଯୋଗୁ ଧୀରେ ଧୀରେ ଉପସାଗରୀୟ ଦେଶଗୁଡ଼ିକର କ୍ଷୟକ୍ଷତି ବଢ଼ିବାରେ ଲାଗିଲାଣି । ଇରାନ ରବିବାର ବାହାରିନ୍ର ସର୍ବସାଧାରଣ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିବା ବାହାରିନ୍ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ କରାଯାଇଛି । ଏକ ଇରାନୀ ଡ୍ରୋନ୍ ଆକ୍ରମଣରେ ବାହାରିନ୍ରେ ଏକ ଜଳ ବିଶୋଧନ କେନ୍ଦ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ପୂର୍ବରୁ ୟୁଏଇର ଫୁଜୈରା-ଏଫ୍୧ କମ୍ପେ୍ଲକ୍ସ ଏବଂ କୁଏତର ଦୋହା ପ୍ଲାଣ୍ଟ ନିକଟରେ ବି ଆକ୍ରମଣ ହୋଇଛି । ଦୁବାଇର ବିଶାଳ ‘ଜେବେଲ ଅଲି’ ବନ୍ଦର ଜଳ ବିଶୋଧନ କେନ୍ଦ୍ରଠାରୁ ମାତ୍ର ୧୨ ମାଇଲ ଦୂରରେ ଇରାନ ଆକ୍ରମଣ କରିଛି ।
ଜୀବନ ରେଖା ଜଳ ବିଶୋଧନ କେନ୍ଦ୍ର
‘ଲୁଣିଆ ଜଳର ସାମ୍ରାଜ୍ୟ’ କୁହାଯାଉଥିବା ଉପସାଗରୀୟ ଦେଶଗୁଡ଼ିକର ଦୁର୍ବଳତା ହେଉଛି ଏହାର ଜଳ ବିଶୋଧନ କେନ୍ଦ୍ର । କୁଏତ ବ୍ୟବହାର କରୁଥିବା ଜଳର ୯୦% ପାନୀୟ ଜଳ ଏହି ବିଶୋଧନ ପ୍ରକ୍ରିୟାରୁ ଆସେ । ସେହିପରି ୟୁଏଇ ମଧ୍ୟ ୯୦% ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବା ପାଇଁ ଜଳ ବିଶୋଧନ କେନ୍ଦ୍ର ଉପରେ ନିର୍ଭରଶୀଳ । ଓମାନ ଏହାର ୮୬% ଜଳ ଆବଶ୍ୟକତା ମଧ୍ୟ ଏହି ପ୍ରକ୍ରିୟାରେ ପୂରଣ କରିଥାଏ । ସାଉଦି ଆରବ ନିଜ ଆବଶ୍ୟକତାର ୭୦% ଜଳ କୃତ୍ରିମ ଉପାୟରେ ପ୍ରସ୍ତୁତ କରିଥାଏ । ବିଡ଼ମ୍ବନାର କଥା ହେଉଛି ଇରାନ ପଡ଼ୋଶୀ ଆରବ ଦେଶଗୁଡ଼ିକର ଜଳ ପ୍ରକଳ୍ପ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଥିବାବେଳେ ନିଜେ ପ୍ରାକୃତିକ ଭାବେ ଜଳ ସଙ୍କଟର ସାମ୍ନା କରୁଛି । କ୍ରମାଗତ ୫ ବର୍ଷ ମରୁଡ଼ି ଯୋଗୁ ଇରାନ ରାଜଧାନୀ ତେହରାନରେ ଥିବା ଜଳାଶୟଗୁଡ଼ିକର କ୍ଷମତା ମାତ୍ର ୧୦% ରହିଛି । ଭୟଙ୍କର ଜଳ ସଙ୍କଟ ଯୋଗୁ ବହୁ ସଂଖ୍ୟାରେ ଲୋକେ ଯୁଦ୍ଧ ପୂର୍ବରୁ ବି ସହର ଛାଡ଼ି ଦେଇଥିଲେ । ଇରାନ ଅନ୍ତରୀଣ ନଦୀବନ୍ଧ ଏବଂ ଭୂତଳ ଜଳ ଉପରେ ଅଧିକ ନିର୍ଭରଶୀଳ । ଦେଖିବାକୁ ଗଲେ, ପଶ୍ଚିମ ଏସିଆରେ ଜାରି ଯୁଦ୍ଧରେ ସଭିଁଙ୍କ ନଜର ତୈଳ ଏବଂ ଗ୍ୟାସ୍ ଉପରେ ଥିଲେ ହେଁ ପାନୀୟ ଜଳ ସଙ୍କଟ ଏବେ ମଧ୍ୟପ୍ରାଚ୍ୟ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ । ଏହି ଦେଶଗୁଡ଼ିକର ପାନୀୟ ଜଳ ପ୍ରକଳ୍ପ ଉପରେ ଆକ୍ରମଣ କେବଳ ବିଶ୍ୱ ବ୍ୟବସାୟକୁ ପ୍ରଭାବିତ କରିବନି ବରଂ ଏକ ବଡ଼ ମାନବୀୟ ସଙ୍କଟ ସୃଷ୍ଟି କରିବ । ଏହା ଦ୍ୱାରା ଉପସାଗରୀୟ ଦେଶଗୁଡ଼ିକ ଜଳ ସୁରକ୍ଷାକୁ ନିଜର ଜାତୀୟ ଅସ୍ତିତ୍ୱର ପ୍ରସଙ୍ଗ ଭାବେ ବିବେଚନା କରିବେ । ଫଳରେ ଯୁଦ୍ଧ ଅନିୟନ୍ତ୍ରିତ ଭାବେ ବଢ଼ିବାର ଆଶଙ୍କା ଦେଖାଦେଇଛି ।