ଟାରିଫ୍‌ ଝଡ଼ରେ ଥରିଲା ବିଶ୍ୱ । ଧୂଳିସାତ୍‌ ହୋଇଗଲା ବିଶ୍ୱ ବାଣିଜ୍ୟ । ରପ୍ତାନିକାରୀ କଲେ କାଳାତିପାତ । ଉଡ଼ିଗଲା ଲକ୍ଷ ଲକ୍ଷ ଚାକିରି  । ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ବେପରୁଆ ଶୁଳ୍କନୀତି ବିଶ୍ୱ ଅର୍ଥନୀତିକୁ ଦୋହଲାଇଦେଲା । ନିଜ ଉଦ୍ଦେଶ୍ୟ ପୂରଣ ଲାଗି ଟାରିଫ୍‌କୁ ଅସ୍ତ୍ର କଲେ ଟ୍ରମ୍ପ । କେବଳ ଗୋଟିଏ ରାଷ୍ଟ୍ର ନାଲି ଆଖି ଦେଖାଇ ସମଗ୍ର ବିଶ୍ୱକୁ ଦୋହଲାଇଦେଲା । ଇତିହାସରେ ଏଭଳି ଘଟଣା କେବେ ଘଟି ନ ଥିଲା । ଛୋଟ ଛୋଟ ରାଷ୍ଟ୍ର, ଯେଉଁମାନଙ୍କ ବାହ୍ୟ କାରବାର ଅତ୍ୟନ୍ତ କମ୍‌ ସେମାନେ ଟାରିଫ୍‌ ଚାପରେ ହୋଇଗଲେ ତଳିତଳାନ୍ତ । ବିଶ୍ୱ ଅର୍ଥନୀତିରେ ଦେଖାଦେଲା ବଡ଼ ବିପର୍ଯ୍ୟୟ । ବିଦାୟୀ ବର୍ଷ ୨୦୨୫ ଦେଇଛି ଏଭଳି ଅନେକ ତିକ୍ତ ଅନୁଭୂତି.....

ବାଣିଜ୍ୟ ଯୁଦ୍ଧରେ ଥରିଲା ବିଶ୍ୱ
ଘମାଘୋଟ ବାଣିଜ୍ୟ ଯୁଦ୍ଧ ସହ ବିଦାୟୀ ବର୍ଷ ୨୦୨୫ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଦେଇଛି ଅତ୍ୟନ୍ତ ତିକ୍ତ ଅନୁଭୂତି । ଏପ୍ରିଲ ମାସରୁ ଆରମ୍ଭ ହୋଇଥିଲା ସମସ୍ୟା, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୬୦ଟି ରାଷ୍ଟ୍ର ଉପରେ ଲଗାଇଥିଲେ ଯେସାକୁ ତେସା ଟାରିଫ୍‌ । ଅର୍ଥାତ୍‌ ଯିଏ ଯେତେ ଶୁଳ୍କ ଲଗାଉଛି, ତାହା ଉପରେ ଆମେରିକା ସମାନ ଆକାରରେ ଟାରିଫ୍‌ କଷିଲା । ବର୍ଷ ତମାମ ଶୁଳ୍କ ବୋଝରେ ସନ୍ତୁଳି ହେଲେ ରାଷ୍ଟ୍ରସମୂହ । ନିଜର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଟାରିଫ୍‌କୁ ଅସ୍ତ୍ର ଭାବେ ବ୍ୟବହାର କଲେ ଟ୍ରମ୍ପ । ରୁଷ ତେଲ ନ କିଣିବା ପାଇଁ ଚାପ ପକାଇବା ଲାଗି ଭାରତ ଉପରେ ମୋଟା ଶୁଳ୍କ ଲଦିଲେ । ଚୀନ୍‌ ଉପରେ ମଧ୍ୟ ସମାନ ଆଭିମୁଖ୍ୟ ପ୍ରକାଶ କଲେ । ଏହା ଉପରେ ମୋଟା ଟାରିଫ୍‌ ଘୋଷଣା କରିଚାଲିଲେ । ଆମେରିକା-ଚୀନ୍‌ ମଧ୍ୟରେ ଚାଲିଲା ଜବାବୀ ଶୁଳ୍କ ଘୋଷଣା । ଚୀନ୍‌ ମଧ୍ୟ ନିଜର ରେୟାର୍‌ ଆର୍ଥ ମାଟେରିଆଲ ରପ୍ତାନିକୁ ଅଟକାଇ ଆମେରିକା ସମେତ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପକୁ ଦେଇଥିଲା ଶକ୍ତ ଧକ୍କା । ରୁଷ-ୟୁକ୍ରେନ୍‌ ଯୁଦ୍ଧ ଅଟକାଇବା ପାଇଁ ବି ଟାରିଫ୍‌କୁ ଅସ୍ତ୍ର ଭାବେ ବ୍ୟବହାର କଲେ ଟ୍ରମ୍ପ । ଏଭଳି କରି ବିଶ୍ୱ ବାଣିଜ୍ୟକୁ ଏକ ପ୍ରହସନ କରିଦେଇଥିଲେ ସେ । ସମଗ୍ର ବିଶ୍ୱ ପାଇଁ ବାଣିଜ୍ୟ ବିପତ୍ତି ଆଣିଥିଲେ ଆମେରିକା ରାଷ୍ଟ୍ରପତି । ଟ୍ରମ୍ପଙ୍କ ଶୁଳ୍କ ବାଣରେ ବିଶ୍ୱ ଅର୍ଥବ୍ୟବସ୍ଥାରେ ଦେଖାଦେଇଥିଲା ବିରାଟ ବିଭ୍ରାଟ । ଟ୍ରମ୍ପଙ୍କ ଆମେରିକା ଫାର୍ଷ୍ଟ ନୀତି ରାଷ୍ଟ୍ରଗୁଡ଼ିକର ନିଦ ହଜାଇଦେଲା । ଟ୍ରମ୍ପଙ୍କ ଟାରିଫ୍‌ ଘୋଷଣାରେ ବିଶ୍ୱ ବଜାରରେ ସୃଷ୍ଟି ହୋଇଥିଲା କମ୍ପନ । ନିବେଶକ ହୋଇଥିଲେ ଥରହର । ଦିନକରେ ଆମେରିକା ବଜାର ଧୋଇଯାଇଥିଲା ୨ ଟ୍ରିଲିୟନ ଡଲାର ବା ୧୪୫ ଲକ୍ଷ କୋଟି ଟଙ୍କା । ଆମେରିକା ସେୟାର ବଜାର ୨୦୨୨ର ମୁଦ୍ରାସ୍ଫୀତି ସଂକଟ ପରଠୁ ସବୁଠାରୁ ବଡ଼ ଧରଣ ପତନର ସାମ୍ନା କରିଥିଲା । ଆପଲ୍‌ ଏବଂ ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନିଗୁଡ଼ିକର ଷ୍ଟକରେ ବିରାଟ ହ୍ରାସ ଘଟିଥିଲା । ଜାପାନର ନିକ୍କେଇ ୯ ମାସର ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା । ହଂକଂର ହ୍ୟାଙ୍ଗ୍‌ସେଙ୍ଗ୍‌ ସୂଚକାଙ୍କ ୧.୫୨% ସଂକୁଚିତ ହୋଇଥିଲା । ଦୁର୍ବଳ ହୋଇଥିଲା ଡଲାର ।

ଭାରତ-ଆମେରିକା ସମ୍ପର୍କରେ ଫାଟ
ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ସବୁଠୁ ଆଗରେ ଥିଲା ଭାରତ । ନିଜ ବାଣିଜ୍ୟିକ ଉଦ୍ଦେଶ୍ୟ ପୂରଣ କରିବାକୁ ଭାରତ ଉପରେ ସେ ଲଦିଲେ ଅଯଥା ଚାପ । ପ୍ରଥମେ ଏପ୍ରିଲ ମାସରେ ୨୫% ଶୁଳ୍କ ଘୋଷଣା କଲେ । ପରେ ରୁଷ ତେଲ କ୍ରୟକୁ ଆଧାର କରି ଲଗାଇଲେ ୨୫%ର ଅତିରିକ୍ତ ଶୁଳ୍କ । ପୂର୍ବଘୋଷିତ ୨୫% ଟାରିଫ୍‌ ମିଶିଲେ ଭାରତ ଉପରେ ମୋଟ ୫୦% ଶୁଳ୍କ ଲଦିଲା ଆମେରିକା । ଫଳରେ ସବୁଠାରୁ ଅଧିକ ଆମେରିକୀୟ ଟାରିଫ୍‌ର ସାମ୍ନା କରୁଥିବା ଦେଶ ଭାବେ ବ୍ରାଜିଲ ସହ ଯୋଡ଼ି ହୋଇଗଲା ଭାରତ । ଟ୍ରମ୍ପଙ୍କ ଧମକକୁ ଖାତିର ନ କରି ଭାରତ ରୁଷ ତେଲ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ଜାରି ରଖିଥିଲା । ଏହାର ଜବାବରେ ଅଗଷ୍ଟରେ ଅତିରିକ୍ତ ୨୫% ଶୁଳ୍କ ଲଗାଇଥିଲା ହ୍ୱାଇଟ୍‌ ହାଉସ୍‌ । ଟ୍ରମ୍ପ କହିଥିଲେ ଯେ, ଭାରତ ରୁଷଠାରୁ ତେଲ କିଣି ଯୁଦ୍ଧକୁ ତେଜୁଛି । ଅନ୍ୟପକ୍ଷରେ, ଭାରତ କହିଥିଲା ଯେ, ଆମେରିକା ଏବଂ ୟୁରୋପୀୟ ସଂଘ(ଇୟୁ) ଭାରତକୁ ଅଯଥା ଏବଂ ଅଯୌକ୍ତିକ ଭାବେ ଟାର୍ଗେଟ୍‌ କରୁଛନ୍ତି । ଟ୍ରମ୍ପଙ୍କ ବେପରୁଆ ନୀତି ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଫାଟ ସୃଷ୍ଟି କରିଛି । ଆମେରିକାର ୨୫% ଅତିରିକ୍ତ ଶୁଳ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଥିଲା ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଏହା ଭୁଲ, ଅନ୍ୟାୟପୂର୍ଣ୍ଣ ଏବଂ ଅନାବଶ୍ୟକ ନିଷ୍ପତ୍ତି । ଭାରତ ଏହାର ରାଷ୍ଟ୍ରୀୟ ହିତ ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବ ବୋଲି କହିଥିଲେ ଭାରତ ସରକାର । ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଟ୍ରୁଥ୍‌ ସୋସିଆଲ’ରେ ଟ୍ରମ୍ପ ଭାରତର ଦୀର୍ଘକାଳୀନ ବାଣିଜ୍ୟିକ ଅଭ୍ୟାସ ଏବଂ ବୈଦେଶିକ ନୀତି ସମନ୍ୱୟକୁ ସମାଲୋଚନା କରିଥିଲେ । ଟ୍ରମ୍ପ କହିଲେ ଯେ, ଭାରତ ଆମର ବନ୍ଧୁ । କିନ୍ତୁ ବର୍ଷ ବର୍ଷ ଧରି ଆମେ ଏହି ଦେଶ ସହିତ କମ୍‌ କାରବାର କରିଛୁ । କାରଣ ସେମାନଙ୍କ ଟାରିଫ୍‌ ବିଶ୍ୱରେ ସର୍ବବୃହତ୍‌ ଏବଂ ସେମାନଙ୍କ ପାଖରେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ସବୁଠାରୁ ଅଧିକ କଠିନ ଏବଂ ଖରାପ ଅଣ-ମୌଦ୍ରିକ ବାଣିଜ୍ୟିକ ବାଧା ରହିଛି । ଏହାର ଅର୍ଥ ଭାରତରେ ବ୍ୟବସାୟ କରିବା କଷ୍ଟକର । ଟ୍ରମ୍ପ ଆହୁରି କହିଲେ ଯେ, ଭାରତ ସର୍ବଦା ରୁଷଠାରୁ ଅଧିକ ସୈନ୍ୟ ଉପକରଣ କିଣିଆସୁଛି । ଚୀନ୍‌ ସହିତ ଭାରତ ବି ରୁଷଠାରୁ ସବୁଠୁ ଅଧିକ ଶକ୍ତି କ୍ରୟ କରୁଛି ।

ଏଚ୍‌-୧ବି ଭିସା ଫି’ ଝଟ୍‌କା

ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ଫାର୍ଷ୍ଟ ନୀତିକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ । କେତେବେଳେ କ’ଣ ନିଷ୍ପତ୍ତି ନେଉଛନ୍ତି, ତାହା ଅନୁମାନ ବାହାରେ । ବର୍ଷ ୨୦୨୫ରେ ଟ୍ରମ୍ପଙ୍କ ଏଭଳି କିଛି ନିଷ୍ପତ୍ତି ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥାକୁ ଅସ୍ଥିର କରିଥିଲା । ଏହି ବର୍ଷ ସେପ୍ଟେମ୍ବରରେ ଭିସା ବୋମା ଫୁଟାଇଥିଲେ ଟ୍ରମ୍ପ, ଯେଉଁଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଭାରତୀୟ । ବର୍ତ୍ତମାନ ପ୍ରତି ଏଚ୍‌-୧ବି ଭିସା ଆବେଦନ ବାବଦ ବାର୍ଷିକ ଲକ୍ଷେ ଡଲାର(ପାଖାପାଖି ୮୮ ଲକ୍ଷ ଟଙ୍କା) ଆଦାୟ କରୁଛି ଆମେରିକା । ସେପ୍ଟେମ୍ବର ୨୧ରୁ ଏହା ଲାଗୁ ହୋଇଥିଲା । ପୂର୍ବରୁ ଏଚ୍‌୧ବି ଭିସା ଆବେଦନ ଫି’ ପାଇଁ ହାରାହାରି ୬ ଲକ୍ଷ ଟଙ୍କା ଲାଗୁଥିଲା । ଏହା ୩ ବର୍ଷ ପାଇଁ ବୈଧ ରହୁଥିଲା । ଏହାକୁ ୩ ବର୍ଷ ପାଇଁ ରିନ୍ୟୁ କରାଯାଇପାରୁଥିଲା । ଏବେ ଆମେରିକାରେ ଏଚ୍‌-୧ବି ଭିସା ପାଇଁ ୬ ବର୍ଷରେ ଲାଗିବ ୫.୨୮ କୋଟି ଟଙ୍କା । ଅର୍ଥାତ୍‌ ଖର୍ଚ୍ଚ ୫୦ ଗୁଣାରୁ ଅଧିକ ବଢ଼ିଯାଇଛି । ଆମେରିକା ସରକାର ପ୍ରତିବର୍ଷ ଲଟେରି ଦ୍ୱାରା ୮୫,୦୦୦ ଏଚ୍‌-୧ବି ଭିସା ଜାରି କରନ୍ତି, ଯାହାର ସର୍ବାଧିକ ବ୍ୟବହାର ଟେକ୍‌ ନିଯୁକ୍ତିରେ ହୋଇଥାଏ । ସବୁଠୁ ଅଧିକ ଭାରତୀୟ(୭୨%) ଏହାର ବ୍ୟବହାର କରନ୍ତି । ଏବେ ଭିସା ଫି’ ବଢ଼ିବା ଦ୍ୱାରା ୩ ଲକ୍ଷରୁ ଅଧିକ ଭାରତୀୟଙ୍କ ଉପରେ ସିଧା ପ୍ରଭାବ ପଡ଼ିବ । ଟ୍ରମ୍ପଙ୍କ ଏ ନିଷ୍ପତ୍ତି ଦ୍ୱାରା ଭାରତୀୟ ଆଇଟି କମ୍ପାନିଗୁଡ଼ିକୁ ଲାଗିଛି ବଡ଼ ଝଟ୍‌କା । ଏହା ଏକ ନୀତିଗତ ପରିବର୍ତ୍ତନ, ଯାହାଦ୍ୱାରା କର୍ମଚାରୀଙ୍କ ଭିସା ବାବଦ ନିଯୁକ୍ତିଦାତାଙ୍କ ଖର୍ଚ୍ଚ ବଢ଼ିଯାଇଛି । ବିଶ୍ୱସ୍ତରରେ ଟେକ୍ନୋଲୋଜି ପ୍ରତିଭାମାନଙ୍କ ପାଇଁ ଆମେରିକାରେ ଏଣ୍ଟ୍ରି କଷ୍ଟକର ହୋଇଯାଇଛି । 

ରୁଷ ତେଲ ଅଡୁଆ 

ନିଜ ଉଦ୍ଦେଶ୍ୟ ପୂରଣ କରିବାକୁ ଭାରତ ଉପରେ ବର୍ଷ ୨୦୨୫ରେ ଅଯଥା ଚାପ ଲଦିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତର ରୁଷ ତେଲ କ୍ରୟକୁ ଆଧାର କରି ଲଗାଇଛନ୍ତି ୨୫%ର ଅତିରିକ୍ତ ଶୁଳ୍କ । ଟ୍ରମ୍ପଙ୍କ ଧମକକୁ ଖାତିର ନ କରି ଭାରତ ରୁଷ ତେଲ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ଜାରି ରଖିବାରୁ ଜବାବରେ ଅତିରିକ୍ତ ୨୫% ଶୁଳ୍କ ଲଗାଇଥିଲା ହ୍ୱାଇଟ୍‌ ହାଉସ୍‌ । ଟ୍ରମ୍ପଙ୍କ କହିବାନୁସାରେ, ଭାରତ ରୁଷଠାରୁ ତେଲ କିଣି ଯୁଦ୍ଧକୁ ତେଜୁଛି । ଅନ୍ୟପକ୍ଷରେ, ଭାରତର କହିବା ମୁତାବକ ଆମେରିକା ଏବଂ ୟୁରୋପୀୟ ସଂଘ(ଇୟୁ) ଭାରତକୁ ଅଯଥା ଏବଂ ଅଯୌକ୍ତିକ ଭାବେ ଟାର୍ଗେଟ୍‌ କରୁଛନ୍ତି । ଟ୍ରମ୍ପ କହିଥିଲେ ଯେ, ଭାରତ ରୁଷ ସହିତ କାରବାର କରି ୟୁକ୍ରେନ୍‌ରେ ଯୁଦ୍ଧ ମେଶିନ୍‌କୁ ପ୍ରୋତ୍ସାହନ ଦେଉଛି । ସେ ଏଥିରେ ଆଦୌ ଖୁସି ନୁହନ୍ତି । ଏହାର ଜବାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ରୁଷରୁ ଭାରତର ତୈଳ ଆମଦାନି ଦେଶର ଉପଭୋକ୍ତାଙ୍କୁ କମ୍‌ ଦରରେ ଶକ୍ତି ଯୋଗାଇବା ପାଇଁ ଉଦ୍ଦିଷ୍ଟ । ଅନ୍ୟାନ୍ୟ ବୃହତ୍‌ ଅର୍ଥନୀତି ଭଳି ଭାରତ ଏହାର ରାଷ୍ଟ୍ରୀୟ ହିତ ଏବଂ ଅର୍ଥନୈତିକ ସୁରକ୍ଷା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ । 

ଆମେରିକା ପାଇଁ ଆତ୍ମଘାତୀ 
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରାମକ ଟାରିଫ୍‌ ଆମେରିକା ଲାଗି ଆତ୍ମଘାତୀ ପାଲଟିଛି । ଏହା ଦେଶଗୁଡ଼ିକୁ ପ୍ରଭାବିତ କରିଛି ସତ । କିନ୍ତୁ ଆମେରିକା ମଧ୍ୟ ଏହାର ପ୍ରଭାବରୁ ବର୍ତ୍ତିପାରିନାହିଁ । ଦେଶରେ ଭୟଙ୍କର ଦରଦାମ ବୃଦ୍ଧି ସ୍ଥିତି ଉପୁଜିଥିବାବେଳେ ଶିଳ୍ପ କାରବାର ବ୍ୟାହତ ହୋଇଛି ବୋଲି ଆମେରିକାର ସାଂସଦମାନେ କହିଛନ୍ତି । ଟ୍ରମ୍ପ ପ୍ରଶାସନର ଏଭଳି ପଦକ୍ଷେପକୁ ଦାୟିତ୍ୱହୀନତା ବୋଲି ସେମାନେ କହିଛନ୍ତି । ଉଭୟ ଦେଶର ନେତାମାନେ ମିଳିତ ହୋଇ ଏହି ପ୍ରସଙ୍ଗକୁ ସମାଧାନ କରିବା ଆବଶ୍ୟକ ବୋଲି କହିଛନ୍ତି । ଡେମୋକ୍ରାଟିକ ପାର୍ଟି ସହ ଜଡ଼ିତ ରାଜା କୃଷ୍ଣମୂର୍ତ୍ତି କହିଛନ୍ତି, ଟାରିଫ୍‌ ଯୋଗୁ କର୍ମଜୀବି ପରିବାରଗୁଡ଼ିକ ଉପରେ ଟିକସ ବୋଝ ପଡ଼ିଛି । ଏଭଳି ନୀତି ଦ୍ୱାରା ଟ୍ରମ୍ପ ଧନୀଙ୍କ ଉପରେ ଲାଗୁଥିବା ଟିକସ କମାଇବାକୁ ଚାହୁଁଛନ୍ତି । ଲୋକେ ପୂର୍ବରୁ ସମସ୍ୟା ଦେଇ ଗତି କରୁଥିବା ବେଳେ ପୁଣି ଥରେ ଆର୍ôଥକ ଚାପ ବଢ଼ିବ । ଏଭଳି ଟାରିଫ୍‌ ଯୋଗୁ ସାରା ବିଶ୍ୱରେ ଆମେରିକା ଏକୁଟିଆ ହୋଇଯିବ

ବ୍ରାଣ୍ଡେଡ୍‌ ଔଷଧ ଉପରେ ୧୦୦% ଶୁଳ୍କ 
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରାଣ୍ଡେଡ୍‌ ତଥା ପେଟେଣ୍ଟଯୁକ୍ତ ଔଷଧକୁ ବି କରିଥିଲେ ଟାର୍ଗେଟ । ସିଧା ୧୦୦% ଶୁଳ୍କ ଲଗାଇଥିଲେ, ଯାହାକି ଅକ୍ଟୋବର ପହିଲାରୁ ଲାଗୁ ହୋଇଥିଲା । ଯଦିଓ ଭାରତୀୟ ଫାର୍ମା କମ୍ପାନିଗୁଡ଼ିକ ଉପରେ ଏହାର ବିଶେଷ ପ୍ରଭାବ ପଡ଼ି ନ ଥିଲା ତଥାପି ଚିନ୍ତାକୁ ଆସିଯାଇଥିଲେ ଘରୋଇ ଔଷଧ ନିର୍ମାତା । ଭାରତ ଆମେରିକାକୁ ଅଧିକ ଜେନେରିକ୍‌ ଔଷଧ ରପ୍ତାନି କରିଥାଏ । ଏଭଳି କ୍ଷେତ୍ରରେ କମ୍ପାନିଗୁଡ଼ିକର ଭୟ ରହିଥିଲା ଯେ, ଟ୍ରମ୍ପଙ୍କ ପରବର୍ତ୍ତୀ ଟାର୍ଗେଟ ହୋଇପାରେ ଜେନେରିକ୍‌ ଔଷଧ । ତେବେ ସିଧା କଥା ହେଉଛି ଭାରତୀୟ ଫାର୍ମା କମ୍ପାନିଙ୍କ ଉପରେ କୌଣସି ପ୍ରକାର କଟକଣା ଆମେରିକା ଉପରେ ବିପରୀତ ପ୍ରଭାବ ପକାଇବ । କାରଣ ସୁଲଭ ମେଡିସିନ୍‌ର ସର୍ବବୃହତ୍‌ ଯୋଗାଣକାରୀ ହେଉଛି ଭାରତ । ଭାରତୀୟ ଜେନେରିକ୍‌ ଔଷଧ ଉପରେ କୌଣସି ପ୍ରକାର କଟକଣା ଆମେରିକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୋହଲାଇଦେବ । ଭାରତୀୟ ଔଷଧ ନିର୍ମାତାଙ୍କୁ ଏହା ଯେତେଟା ବାଧିବନି, ଆମେରିକାର ସାଧାରଣ ଉପଭୋକ୍ତାଙ୍କୁ ପ୍ରଭାବିତ କରିବ । 

ଆମେରିକାକୁ ରପ୍ତାନି ୨୮% କମିଲା 

ଟାରିଫ୍‌ ପ୍ରଭାବରେ ଏ ବର୍ଷ ଆମେରିକାକୁ ଭାରତର ରପ୍ତାନିରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଚଳିତବର୍ଷ ମେ’ରୁ ଅକ୍ଟୋବର ମଧ୍ୟରେ ସେଠାକୁ ଭାରତର ରପ୍ତାନିରେ ୨୮.୫% ହ୍ରାସ ଘଟିଛି । ଚଳିତବର୍ଷ ମେ’ରେ ଆମେରିକାକୁ ଭାରତରୁ ୮.୮୩ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଯାଇଥିଲା, ଯାହାକି ଅକ୍ଟୋବରରେ ୬.୩୧ ବିଲିୟନ ଡଲାରକୁ ଖସିଆସିଥିବା ଗ୍ଲୋବାଲ ଟ୍ରେଡ୍‌ ରିସର୍ଚ୍ଚ ଇନିସିଏଟିଭ୍‌(ଜିଟିଆର୍‌ଆଇ) ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ଶ୍ରମଭିତ୍ତିକ ଉତ୍ପାଦଗୁଡ଼ିକର ରପ୍ତାନିରେ ବୃହତ୍‌ ହ୍ରାସ ଘଟିଛି । କାରଣ ଏସବୁ ଉପରେ ୫୦% ଶୁଳ୍କ ଲଗାଇଛି ଆମେରିକା । ଏହି ସାମଗ୍ରୀଗୁଡ଼ିକ ହେଲା ରତ୍ନପଥର, ଗହଣା, ସୌର ପ୍ୟାନେଲ, ବୟନ ସାମଗ୍ରୀ ଏବଂ ପୋଷାକ, କେମିକାଲ ଏବଂ ସାମୁଦ୍ରିକ ଖାଦ୍ୟ । ୫ ମାସରେ ଏହି ସାମଗ୍ରୀଗୁଡ଼ିକର ରପ୍ତାନିରେ ପାଖାପାଖି ୧.୫ ବିଲିୟନ ଡଲାର ହ୍ରାସ ଘଟିଛି । ଏହା ୪.୭୮ ବିଲିୟନ ଡଲାରରୁ ୩.୨୯ ବିଲିୟନ ଡଲାରକୁ ଖସିଆସିଥିବା ଜିଟିଆର୍‌ଆଇ ପ୍ରକାଶ କରିଛି । ଖାଲି ସେତିକି ନୁହେଁ ଟାରିଫ୍‌-ମୁକ୍ତ ସାମଗ୍ରୀଗୁଡ଼ିକର ରପ୍ତାନି ବି ପ୍ରଭାବିତ ହୋଇଛି । ଆମେରିକାକୁ ଭାରତର ଏକକ ବୃହତ୍‌ ପ୍ରଡକ୍ଟ ଲାଇନ୍‌ ଭାବେ ଜଣା ସ୍ମାର୍ଟଫୋନ୍‌ ରପ୍ତାନି ୩୬% ହ୍ରାସ ଘଟିଛି । ଏହା ଚଳିତବର୍ଷ ମେ’ରେ ୨.୨୯ ବିଲିୟନ ଡଲାର ଥିଲା । ଅକ୍ଟୋବରରେ ଏହା ୧.୫୦ ବିଲିୟନ ଡଲାରକୁ ଖସିଆସିଛି । ଏ କ୍ଷେତ୍ରରେ ୭୯୦ ନିୟୁତ ଡଲାର ହ୍ରାସ ଘଟିଛି । ଫାର୍ମା ରପ୍ତାନିରେ ମାତ୍ର ୧.୬% ହ୍ରାସ ଘଟିଛି । ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ୧୫.୫% ହ୍ରାସ ଘଟିଥିବା ଜଣାପଡ଼ିଛି । ମେଟାଲ ଏବଂ ଅଟୋ ପାର୍ଟସ ରପ୍ତାନିରେ ବି ହ୍ରାସ ଘଟିଛି । 
 

ଗହଣା, ରତ୍ନପଥର ଶିଳ୍ପକୁ ଧକ୍କା 
ଆମେରିକାର ୫୦% ଟାରିଫ୍‌ରୁ ଭାରତର ରପ୍ତାନି ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ଗହଣା, ରତ୍ନପଥର, ବୟନ ଶିଳ୍ପ ସାମଗ୍ରୀ ଏବଂ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଛି । ଏବେ ଏ କ୍ଷେତ୍ରଗୁଡ଼ିକ ନୂଆ ବଜାର ଖୋଜୁଛନ୍ତି, ଯଦ୍ଦ୍ୱାରା ସେମାନେ କ୍ଷତିଭରଣା କରିପାରିବେ । ରିପୋର୍ଟ ଅନୁସାରେ ଗହଣା ଏବଂ ରତ୍ନପଥର ରପ୍ତାନିରେ ବୃହତ୍‌ ହ୍ରାସ ଘଟିଛି । ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଆମେରିକାକୁ ଭାରତର ରତ୍ନପଥର ଏବଂ ଗହଣା ରପ୍ତାନିରେ ପ୍ରାୟ ୭୦% ହ୍ରାସ ଘଟିଛି । ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଏଥିରେ ୩୪% ହ୍ରାସ ଘଟିଥିଲା । ୨୦୧୨ରେ ଆମେରିକାର ଆମଦାନିରେ ଏହାର ଭାଗ ଥିଲା ୧୮.୫% । ଏହା ବର୍ତ୍ତମାନ ୧୧.୫% କୁ ଖସିଯାଇଛି । ତେବେ ଭାରତର ମୋଟ ରପ୍ତାନିରେ ଏହାର ଅଂଶ ୧୫%ରୁ ୭%କୁ ଖସିଯାଇଛି । ଆମେରିକାର ଟାରିଫ୍‌ ଝଟ୍‌କାରେ ସୁରଟର ଗହଣା ଏବଂ ରତ୍ନପଥର ଶିଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ଲକ୍ଷେ ୩୦ ହଜାରରୁ ଊଦ୍ଧ୍ୱର୍ ଲୋକ ଚାକିରି ହରାଇଥିଲେ ।​​​​​​​

ବାଣିଜ୍ୟ ଚୁକ୍ତିକୁ ଅପେକ୍ଷା 
ଟାରିଫ୍‌କୁ ନେଇ ବର୍ଷ ତମାମ ଜଡ଼ିତ ରହିଥିଲେ ଭାରତ ଏବଂ ଆମେରିକା । ଉଭୟ ଦେଶ ପରସ୍ପର ପାଇଁ ଏକ ସର୍ବୋତ୍ତମ ଚୁକ୍ତି ସ୍ୱାକ୍ଷର ଲାଗି ଉଦ୍ୟମ ଚଳାଇଛନ୍ତି । ଦୁଇ ଦେଶ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । କିନ୍ତୁ ଏଯାଏ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ସୂଚନା ଦେଇଥିଲେ ଯେ, ଉଭୟ ଦେଶ ମଧ୍ୟରେ ଖୁବ୍‌ଶୀଘ୍ର ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ହେବାକୁ ଯାଉଛି । ଏବେ ବିଦେଶୀ ଏଜେନ୍ସିଗୁଡ଼ିକ ମଧ୍ୟ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ଅନୁମାନ କରିଛନ୍ତି । ତେବେ ଭାରତ ଉପରେ ଲାଗୁ ହୋଇଥିବା ଆମେରିକାର ୫୦% ଟାରିଫ୍‌ ସଂଶୋଧିତ ହୋଇ ମାତ୍ର ୨୦%କୁ ଆସିପାରେ ବୋଲି ମଧ୍ୟ ଏଜେନ୍ସିଗୁଡ଼ିକ ଆକଳନ କରିଛନ୍ତି । ଅନ୍ୟପକ୍ଷରେ, ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି ଯେ, ଯେସାକୁ ତେସା ଟାରିଫ୍‌କୁ ନେଇ ଭାରତ ଏବଂ ଆମେରିକା ଏକ ପ୍ରାରମ୍ଭିକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବାର ଅତ୍ୟନ୍ତ ନିକଟତର ହୋଇଛନ୍ତି । ଉଭୟ ଦେଶ ମଧ୍ୟରେ ଥିବା ମତଭେଦ କିଛିକାଂଶରେ ଦୂର ହୋଇଛି । ଧୀରେ ଧୀରେ ଗୋଟିଏ ପ୍ଲାଟ୍‌ଫର୍ମକୁ ଆସିବେ ଭାରତ ଏବଂ ଆମେରିକା । ଏଥିସହିତ ଦୁଇ ଦେଶ ପାଇଁ ସର୍ବୋତ୍ତମ ଚୁକ୍ତି ସ୍ୱାକ୍ଷର ହେବ ବୋଲି ଅଗ୍ରୱାଲ କହିଛନ୍ତି । କେତେକ ପ୍ରସଙ୍ଗ ଉପରେ ଥିବା ମତଭେଦକୁ ଦୂର କରିବା ପାଇଁ ଉଭୟ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଟିମ୍‌ ଲଗାତର କାର୍ଯ୍ୟ ଚଳାଇଥିବା ସେ କହିଛନ୍ତି ।

ଚୀନ୍‌-ଆମେରିକା ଜବାବୀ 
ଟାରିଫ୍‌ ଭାରତ ସମେତ ୬୦ ରାଷ୍ଟ୍ରଙ୍କ ଉପରେ ଯେସାକୁ ତେସା ଶୁଳ୍କ ଘୋଷଣା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧରଣର ବାଣିଜ୍ୟ ଯୁଦ୍ଧର ସୂତ୍ରପାତ କରିଥିଲେ । ଏହାମଧ୍ୟରେ ଆମେରିକା ଉପରେ ଚୀନ୍‌ର ଜବାବୀ ଟାରିଫ୍‌ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଆମେରିକାର ରେସିପ୍ରୋକାଲ ଟାରିଫ ବା ଯେସାକୁ ତେସା ଶୁଳ୍କର କଡ଼ା ଜବାବ ଦେଇଥିଲା ଚୀନ୍‌ । ପ୍ରତିଶୋଧ ନେଇ ଏହା ଆମେରିକା ଉପରେ ଲଦିଥିଲା ଅତିରିକ୍ତ ଶୁଳ୍କ । ଉଭୟ ଦେଶ ମଧ୍ୟରେ ଲାଗି ରହିଥିଲା ଟାରିଫ୍‌ ହମ୍‌ଲା । ଆମେରିକାଠାରୁ ଆଉ କିଛି ପାଦ ଆଗେଇ ଚୀନ୍‌ କିଛି ପ୍ରମୁଖ ସାମଗ୍ରୀର ରପ୍ତାନି ଉପରେ ବି ରୋକ୍‌ ଲଗାଇ ଦେଇଥିଲା । ଏସବୁ ଦ୍ୱାରା ଚୀନ୍‌ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଅଧିକ ତୀବ୍ରତର ହୋଇଥିଲା । ଏ ନିଷ୍ପତ୍ତି ଉକ୍ତ ସମୟରେ ନିଆଯାଇଥିଲା, ଯେତେବେଳେ ଚୀନ୍‌ ଆମେରିକାକୁ କହିଥିଲା ଯେ, ଏହା ନିଜର ଶୁଳ୍କକୁ ତୁରନ୍ତ ହଟାଇ ଦେଉ । ଚୀନ୍‌ ଏହା ମଧ୍ୟ କହିଥିଲା ଯେ, ଏହା ନିଜର ହିତ ରକ୍ଷା ଲାଗି ପାଲଟା ହମ୍‌ଲା ନିଶ୍ଚିତ କରିବ । ଏହାମଧ୍ୟରେ ଆମେରିକାର ଶୁଳ୍କ ବାଣର ସିଧା ଜବାବ ଦେଇଥିଲା ଡ୍ରାଗନ୍‌ । ଦୁଇ ରାଷ୍ଟ୍ର ମଧ୍ୟରେ ଜାରି ରହିଥିଲା ଜବାବୀ ଟାରିଫ୍‌ ।

ଓଡ଼ିଶା ଚିଙ୍ଗୁଡି ରପ୍ତାନିକୁ ମାଡ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ୫୦% ଟାରିଫ ଲଦିଛନ୍ତି । ଏହାଦ୍ୱାରା ରାଜ୍ୟର ମତ୍ସ୍ୟଚାଷ ଇକୋସିଷ୍ଟମରେ କାର୍ଯ୍ୟରତ ପ୍ରାୟ ୧୫ ଲକ୍ଷ କୃଷକଙ୍କ ଉପରେ ସିଧାସଳଖ ପ୍ରଭାବ ପଡିଛି । ଭିଏତ୍‌ନାମ ଏବଂ ଏସିଆର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ଉପରେ ଅଧିକ ଟାରିଫ୍‌ ଯୋଗୁ ଭାରତ ଏ କ୍ଷେତ୍ରରେ ଆମେରିକାରେ ପ୍ରତିଯୋଗିତା କରିବାରେ କଷ୍ଟକର ହେବ ବୋଲି ବିଶେଷଜ୍ଞ କହିଥିଲେ । ରାଜ୍ୟରୁ କମ୍ପାନିଗୁଡ଼ିକ ଆମେରିକା ବଜାରକୁ ଚିଙ୍ଗୁଡି ରପ୍ତାନି କରିଥାନ୍ତି । ମାତ୍ର ଉଚ୍ଚ ଟାରିଫ୍‌ ଯୋଗୁ ସେମାନେ ଚିଙ୍ଗୁଡି ସଂଗ୍ରହ କମାଇବାକୁ ଯୋଜନା ରଖିଥିଲେ । ୨୦୨୪-୨୫ରେ ଓଡ଼ିଶା ୪,୭୦୦ କୋଟିର ଚିଙ୍ଗୁଡି ରପ୍ତାନି କରିଥିଲା । ଏହା ମଧ୍ୟରେ ଏକ ତୃତୀୟାଂଶ ଆମେରିକା ବଜାରକୁ ହୋଇଥିଲା । ଭାରତ ଉପରେ ଆମେରିକା ୨୫% ଟାରିଫ୍‌ ଲଦିଥିଲା । ଏହା ପରେ ଜୁଲାଇ ୩୦ରେ ଅତିରିକ୍ତ ୨୫% ଟାରିଫ କସିଥିଲା । ଆମେରିକାର କ୍ରେତାମାନେ ଓଡ଼ିଶା ଚିଙ୍ଗୁଡି ଅର୍ଡର କମାଇବା ଯୋଗୁ ଏହା ବଜାର ଉପରେ ବଡ଼ ପ୍ରଭାବ ପକାଇବ ବୋଲି ଆଶଙ୍କା ରହିଛି । ଟାରିଫ ଯୋଗୁ ଚିଙ୍ଗୁଡି ରପ୍ତାନି ୫୦ରୁ ୭୦% ହ୍ରାସ ହୋଇଛି । ଏହା ଉଭୟ ପ୍ରୋସେସିଂ ଏବଂ ଚିଙ୍ଗୁଡି ଚାଷକୁ ପ୍ରଭାବିତ କରିଛି । ଏହି ସମସ୍ୟାର ସମାଧାନ ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ ଲୋଡିଥିଲେ କମ୍ପାନି । ଆମେରିକା କଟକଣା ପରେ ଅନ୍ୟ ବଜାର ଉପରେ ନଜର ରଖିଛନ୍ତି ଭାରତୀୟ ଚିଙ୍ଗୁଡି ରପ୍ତାନିକାରୀ ।

 ବର୍ଷ ତମାମ ଧମକ 

ବର୍ଷ ତମାମ ଭାରତକୁ ଧମକ ଦେଇଚାଲିଥିଲେ ଟ୍ରମ୍ପ । ସେ ରୁଷ ତେଲ କ୍ରୟ ହେଉ କିମ୍ବା ଅନ୍ୟାନ୍ୟ କୌଣସି ପ୍ରସଙ୍ଗ, ଧମକ ଦେବାରୁ ବିରାମ ନେଇ ନ ଥିଲେ ଆମେରିକା ରାଷ୍ଟ୍ରପତି । ରୁଷ ତେଲ କ୍ରୟ ବନ୍ଦ ନ କଲେ ଆହୁରି ଟାରିଫ୍‌ ଲଗାଇବାକୁ ନିୟମିତ ଭାବେ ଧମକ ଦେଇ ଚାଲିଥିଲେ । ଏହା ପରେ ସେ ଭାରତର ଚାଉଳକୁ ମଧ୍ୟ ଟାର୍ଗେଟ୍‌ କରିଥିଲେ । ଭାରତରୁ ଆସୁଥିବା ଚାଉଳ ଏବଂ କାନାଡାରୁ ଆସୁଥିବା ସାର ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବାକୁ ଘୋଷଣା କରିଛନ୍ତି ଟ୍ରମ୍ପ । ଟ୍ରମ୍ପ କହଛନ୍ତି ଯେ, ଭାରତ, ଭିଏତ୍‌ନାମ ଏବଂ ଥାଇଲାଣ୍ଡ ଭଳି ଦେଶ ଆମେରିକାରେ ଅତ୍ୟନ୍ତ ଶସ୍ତାରେ ଚାଉଳ ବିକ୍ରି କରୁଛନ୍ତି, ଯାହାଦ୍ୱାରା ଆମେରିକୀୟ ଚାଷୀଙ୍କ ଆୟ କମୁଛି । ସେମାନଙ୍କୁ ବଡ଼ ଆକାରରେ କ୍ଷତି ସହିବାକୁ ପଡୁଛି । ସେ ଏହାକୁ ଡମ୍ପିଂ ଭାବେ ସମ୍ବୋଧିତ କରିଥିଲେ ଏବଂ କହିଥିଲେ ଯେ, ଏଭଳି ହେବା ଉଚିତ ନୁହେଁ । ଭାରତ ବିଶ୍ୱର ସର୍ବବୃହତ୍‌ ଚାଉଳ ରପ୍ତାନିକାରୀ । ଶସ୍ତା ଘରୋଇ ଚାଉଳ ଏବଂ ବଡ଼ ଭଣ୍ଡାର ଯୋଗୁ ଭାରତ ବିଶ୍ୱବ୍ୟାପୀ ପ୍ରାୟ ୪୦% ଚାଉଳ ରପ୍ତାନି କରିଥାଏ ।