ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମଣିଷ-ଅନ୍ତରରେ ଦେବ ଓ ଦାନବ

Published By : Rasmita Pradhan | November 20, 2024 12:16 PM

   ମଣିଷର ଅନ୍ତରରେ ଦେବତ୍ୱ ଅଛି, ଦାନବତ୍ୱ ଅଛି । ସଂଯମ, ସତ୍ୟ, ଶୀଳ, ଦୟା ଗୋଟିଏ ଗୋଟିଏ ଦିବ୍ୟ ଗୁଣ । ଏସବୁର ଅଭାବରେ ମଣିଷ ଦାନବ ସ୍ତରକୁ ଖସିଆସେ । ପୃଥିବୀରେ ପ୍ରତିଦିନ କେତେ କେତେ ହିଂସା, ହତ୍ୟା, ରକ୍ତପାତ, ବ୍ୟଭିଚାର, ପାଶବିକ ଘଟଣା ଘଟିଯାଉଛି । ଆଧ୍ୟାତ୍ମିକ ଚେତନାର ଅଭାବରେ ଏସବୁ ହେଉଛି । ମଣିଷ କିଭଳି ସ୍ୱର୍ଗୀୟ ଗୁଣର ଅଧିକାରୀ ହେବ ସେଥିପାଇଁ କେତେ ଆଧ୍ୟାତ୍ମିକ ସଂଗଠନ ଗଢ଼ାହେଉଛି, ଆଧ୍ୟାତ୍ମିକ ପୁସ୍ତକର ଆଲୋଚନା ହେଉଛି, କେତେ ନୀତି ଉପଦେଶ ଦିଆଯାଉଛି,ବହୁ ସଂସ୍କାରମୂଳକ କାର୍ଯ୍ୟକ୍ରମର ଆୟୋଜନ ହେଉଛି । କିନ୍ତୁ ସର୍ବୋପରି ଆବଶ୍ୟକ ହେଉଛି ବ୍ୟକ୍ତିର ଆତ୍ମସଚେତନତା ଓ ଆତ୍ମୋପଲବ୍ଧ । 

୧୮୬୧ ମସିହା ମାର୍ଚ୍ଚ ୪ ତାରିଖ ଦିନ ଆବ୍ରାହାମ୍‌ ଲିଙ୍କନ ଯୁକ୍ତରାଷ୍ଟ୍ର ଆମେରିକାର ଷୋଡ଼ଶ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ଓ ନିଜର ଉଦ୍‌ଘାଟନୀ ଭାଷଣ ପ୍ରଦାନ କଲେ । ସେତେବେଳେ ଆମେରିକାରେ ଭୟଙ୍କର ଗୃହଯୁଦ୍ଧର ଆଶଙ୍କା ପ୍ରକାଶ ପାଇଥିଲା । ଦାସତ୍ୱ ପ୍ରଥାକୁ ଲୋପ କରିବା ପାଇଁ ଲିଙ୍କନ୍‌ଙ୍କର ସଂକଳ୍ପ ହେତୁ ଦାକ୍ଷିଣାତ୍ୟର ୭ଟି ରାଜ୍ୟ ଯୁକ୍ତରାଷ୍ଟ୍ରରୁ ଅଲଗା ହୋଇଯାଇଥିଲେ । ଅବଶିଷ୍ଟ ୮ଟି ଦାକ୍ଷିଣାତ୍ୟ ରାଜ୍ୟ ମଧ୍ୟ ଯୁକ୍ତରାଷ୍ଟ୍ରରୁ ଅଲଗା ହୋଇଯିବେ ବୋଲି ଆଶଙ୍କା ପ୍ରକାଶ ପାଉଥିଲା । କୃଶ ଶରୀର ହେଲେ ମଧ୍ୟ ଦୃଢ଼ମନା ରାଷ୍ଟ୍ରପତି ଲିଙ୍କନ୍‌ ନିଜ ଦେଶବାସୀଙ୍କୁ ନିବେଦନ କରି କହିଲେ, ‘ସମ୍ପର୍କର ଆଧ୍ୟାତ୍ମିକ ତନ୍ତ୍ରୀ ଗୁଡ଼ିକ ତଥାପି ଯୁକ୍ତରାଷ୍ଟ୍ରର ସହଗାନ (କୋରସ୍‌) କୁ ସମ୍ପ୍ରସାରିତ କରିବ, ଯେତେବେଳେ ସେଗୁଡ଼ିକ ପୁନର୍ବାର ଆମ ଦିବ୍ୟ ସ୍ୱଭାବର ସ୍ପର୍ଶ ଲାଭ କରିବେ’ ଗୋଟେ ରକ୍ତାକ୍ତ ସଂଘର୍ଷକୁ ଏଡ଼ାଇଦେବା ଆଶାରେ ଲିଙ୍କନ୍‌ ଏପରି କହିଥିଲେ । 

ତେବେ ଦାମର ‘ଦିବ୍ୟ ସ୍ୱଭାବ’ କହିଲେ ଲିଙ୍କନ୍‌ ସୂଚିତ କରିଥିଲେ କରୁଣା, ପ୍ରେମ ଓ ମୈତ୍ରୀକୁ, ଯାହାର ସ୍ପର୍ଶରେ ମଣିଷ-ମଣିଷ ମଧ୍ୟରେ ସମ୍ପର୍କର ଆଧ୍ୟାତ୍ମିକ ତନ୍ତ୍ରୀଗୁଡ଼ିକ ଯୁକ୍ତରାଷ୍ଟ୍ରର ସହଗାନକୁ ସଂପ୍ରସାରିତ କରିପାରିବେ । ଅର୍ଥାତ୍‌ ମଣିଷ-ମଣିଷ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ସୁପ୍ରତିଷ୍ଠିତ ହୋଇ ଯୁକ୍ତରାଷ୍ଟ୍ରରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହେବ । ସମସ୍ତେ ଏକ ସ୍ୱରରେ ବନ୍ଧୁତ୍ୱର ସଂଗୀତ ଗାନ କରିପାରିବେ । ଲିଙ୍କନ୍‌ ଏହା ମଧ୍ୟ ସୂଚିତ କରିଥିଲେ ଯେ ମଣିଷର ଅନ୍ତରରେ ଥିବା ରାକ୍ଷସମାନେ ହେଉଛନ୍ତି ଘୃଣା, କ୍ରୋଧ ଓ ହିଂସା, ଯାହା ମଣିଷଠାରେ ଅଶାନ୍ତି ଉପଦ୍ରବ ସହିତ ରାଷ୍ଟ୍ରରେ ଗୃହଯୁଦ୍ଧ ସୃଷ୍ଟି କରିବ । ଏ ସମସ୍ତ ରାକ୍ଷସଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ମଣିଷ ଚେଷ୍ଟାନିରତ ହେବା ଆବଶ୍ୟକ । ୧୮୮୬ ମସିହାରେ ପ୍ରକାଶିତ ଆର୍‌.ଏଲ୍‌. ଷ୍ଟିଭେନ୍‌ସନ୍‌ଙ୍କ ଉପନ୍ୟାସ ‘ଡକ୍ଟର୍‌ ଜେକିଲ୍‌ ଆଣ୍ଡ୍‌ ମିଷ୍ଟର୍‌ ହାଇଡ୍‌’ରେ ଡକ୍ଟର୍‌ ଜେକିଲ୍‌ ଜଣେ ଭଦ୍ର ଚରିତ୍ର, କିନ୍ତୁ ମିଷ୍ଟର୍‌ ହାଇଡ୍‌ ମାନବଘାତୀ । ଦୁହେଁଯାକ ବିଲ୍‌କୁଲ୍‌ ଓଲଟା ବା ବିପରୀତ ମାନସିକତାର ଚରିତ୍ର । ଆମ ସମସ୍ତଙ୍କ ଅନ୍ତରରେ ଡକ୍ଟର୍‌ ଜେକିଲ୍‌ ଅଛନ୍ତି, ମିଷ୍ଟର୍‌ ହାଇଡ୍‌ ବି ଅଛନ୍ତି । ପ୍ରତି ମୁହୂର୍ତ୍ତରେ ଆମ ଭିତରେ ସଂଘର୍ଷ ଚାଲିଛି ‘ଭଲ’ ଆଉ ‘ମନ୍ଦ’ର । 

ଜର୍ମାନ୍‌-ସ୍ୱିସ୍‌ ଦାର୍ଶନିକ-ଔପନ୍ୟାସିକ ହର୍ମାନ୍‌ ହେସ୍‌ ୧୯୨୭ ମସିହାରେ ପ୍ରକାଶିତ ତାଙ୍କର ନୀତିଶିକ୍ଷାମୂଳକ ଗଳ୍ପ ‘ଷ୍ଟିପେନ୍‌ଉଲ୍‌ଫ୍‌’ରେ ମଣିଷର ଏହି ଦ୍ୱିବିଧତାକୁ ଉପସ୍ଥାପନ କଲେ । ଗଳ୍ପର ନାୟକ ମଧ୍ୟବୟସ୍କ ହ୍ୟାରି ହଲର୍‌ ଗୋଟେ ସୁଦୃଢ଼ ଭାବାତ୍ମକ ଓ ଆଧ୍ୟାତ୍ମିକ ସଂକଟରେ ପୀଡ଼ିତ । ସେ ନିଜକୁ ଦୈନନ୍ଦିନ ଜୀବନର ପାରମ୍ପରିକତା ଠାରୁ ଅଲଗା ହୋଇ ରହିଥିବା ଜଣେ ସମାଜ ବାହାରର ବ୍ୟକ୍ତି ଭାବରେ ବିଚାର କରୁଛି । ତା’ ଅନ୍ତରରେ ଅନବରତ ସଂଘର୍ଷ ଲାଗିରହିଛି - ସତ୍ୟ ଆଉ ଅସତ୍ୟ ମଧ୍ୟରେ । ସେ ଅନୁଭବ କରୁଛି ତା’ ଭିତରେ ଗୋଟେ କ୍ରୂର କାମୁକ ବ୍ୟକ୍ତିସତ୍ତା ରହିଛ । ପୁଣି ଇଚ୍ଛା କରୁଛି ନିଜକୁ ଗେଟେ ଓ ମୋଜାଟ୍‌ର୍ଙ୍କ ଭଳି ଅମର ଦିବ୍ୟପୁରୁରୁଷଙ୍କ ସ୍ତରକୁ ଉନ୍ନୀତ କରିବ । ଆମ ସମସ୍ତଙ୍କ ଭିତରେ ଏଭଳି ଗୋଟେ ‘ଷ୍ଟିପେନ୍‌ଉଲ୍‌ଫ୍‌’ ଗୁପ୍ତରେ ଅଛି । ଆମ ଅନ୍ତରରେ ଗୋଟିଏ ପାଶ୍ୱର୍ରେ ଅଛି ସତ୍ୟ, ସାଧୁତା, ଦୟାଳୁତା, ଉଦାରତା, ଅପର ପାଶ୍ୱର୍ରେ ମିଥ୍ୟା, ଛଳ, କପଟ, ଲୋଭ, ଦ୍ୱେଷ ଇତ୍ୟାଦି । ଉଭୟ ପାଶ୍ୱର୍ ମଧ୍ୟରେ ଲଢ଼େଇ ଲାଗିଛି । ଯେତେବେଳେ ମଣିଷ ଠିକ୍‌ ଭୁଲ୍‌ର ପ୍ରଭେଦ ଅର୍ଥାତ୍‌, ସେ କେଉଁ ଠିକ୍‌ କର୍ମ ନିଶ୍ଚିତ କରିବାର କଥା, କିନ୍ତୁ କେଉଁ ଭୁଲ୍‌ କର୍ମ ପ୍ରଲୋଭିତ ହୋଇ କରୁଛି ନିର୍ଣ୍ଣୟ କରେ ସେତେବେଳେ ଦୁଇଟି ସ୍ୱର ଶୁଣିପାରେ, ଗୋଟିଏ ହେଉଛି ତା’ ଅନ୍ତରସ୍ଥ ‘ଦେବତା’ର, ଆରଟି ଗୋଟେ କାମୋତ୍ତେଜକ, ମୋହକ ‘ଦାନବ’ର । ‘ଦେବତା’ର ଆହ୍ୱାନକୁ ଏଡ଼ାଇ‘ଦାନବ’ର ପ୍ରଲୋଭନ ଦ୍ୱାରା ସେ ବଶୀଭୂତ ହେଉଛି ଅର୍ଥାତ୍‌ ଭୁଲ୍‌ କର୍ମ କରୁଛି, ଯେଉଁ ଅବସ୍ଥାକୁ ଗ୍ରୀକ୍‌ମାନେ କହନ୍ତି, ‘ଆକ୍ରାସିଆ’ ବା ‘ଆତ୍ମନିୟନ୍ତ୍ରଣର ଅଭାବ’ । 

ଏପରି ଅବସ୍ଥାରେ ସେ ଅସତ୍‌ ଉପାୟରେ ଅର୍ଥ ଅର୍ଜନ କରେ, କ୍ଷମତା ଆହରଣ କରେ, ଅନୈତିକ ଯୌନାଚାରରେ ଲିପ୍ତ ରହେ, ହିଂସାଚରଣ କରି ହତ୍ୟା ରକ୍ତପାତର ବିଭୀଷିକା ସୃଷ୍ଟି କରେ ଓ ତା’ ଠାରୁ ଅଧିକ ପ୍ରତିଭାଧର ପ୍ରତି ଅସହିଷ୍ଣୁତା ପ୍ରଦର୍ଶନ କରେ । ଦାନବର ଏପରି ସବୁ ପ୍ରଲୋଭନକୁ ଏଡ଼ାଇଦେଲେ ଯାଇ ଦେବତାର ଆହ୍ୱାନକୁ ଗ୍ରହଣ କରିହେବ । କବି ଓ ଔପନ୍ୟାସିକ ଡି.ଏଚ୍‌.ଲରେନ୍ସ୍‌ କହନ୍ତି, ‘ମୁଁ କେବେ ମାନବଜାତିକୁ ମୋ ଉପରେ କୌଣସି ଚାପ ପ୍ରୟୋଗ କରିବାକୁ ଅନୁମତି ଦେବିନାହିଁ, କିନ୍ତୁ ମୋ ଭିତରେ ଓ ଅନ୍ୟ ପୁରୁଷ, ନାରୀଙ୍କ ଭିତରେ ଥିବା ଈଶ୍ୱରଙ୍କୁ ଚିହ୍ନିବାକୁ ଓ ତାଙ୍କ ଅଧୀନତା ସ୍ୱୀକାର କରିବାକୁ ସବୁବେଳେ ଉଦ୍ୟମ କରିବି । ତାହାହିଁ ମୋ ଜୀବନର ପଥ ।’ ନିଜ ଭିତରେ ଥିବା ଈଶ୍ୱରଙ୍କୁ ଚିହ୍ନିବା ଅର୍ଥାତ୍‌ ନିଜର ଅନ୍ତର୍ନିହିତ ଐଶୀଶକ୍ତିକୁ ଆବିଷ୍କାର, ଉପଲବ୍ôଧ, ବିକଶିତ କରିବା ଦ୍ୱାରା ଅସୁର ଆପେ ପରାସ୍ତ ହେବ, ଆସୁରିକତା ଲୋପ ପାଇବ । ା ଅନ୍ୟ ସମସ୍ତଙ୍କ ଅନ୍ତରସ୍ଥ ଐଶ୍ୱରିକତାକୁ ଅନୁଭବ କରିବା ଦ୍ୱାରା ପାରସ୍ପରିକ ମୈତ୍ରୀ, ଭ୍ରାତୃତ୍ୱର ଭାବ ବୃଦ୍ଧି ପାଇବ । ଆଲ୍‌ଡସ୍‌ ହକ୍ସ୍‌ଲେ ସେଥିପାଇଁ କହନ୍ତି, ‘ମଣିଷର ଜୀବନ ଦେବତ୍ୱ ଅଭିମୁଖେ ଏକ ନିରବଚ୍ଛିନ୍ନ ଯାତ୍ରା ।’ ପରସ୍ୱାପହାରୀ, ନରହନ୍ତା ରତ୍ନାକର ମହର୍ଷି ବାଲ୍ମୀକିରେ ରୂପାନ୍ତରିତ ହେଲେ, ‘ରାମାୟଣ’ ରଚନା କଲେ । ବାରାଙ୍ଗନାସକ୍ତ ବିଲ୍ୱମଙ୍ଗଳ ସଂସ୍କାରିତ ହୋଇ କୃଷ୍ଣଭକ୍ତ ହେଲେ,‘କୃଷ୍ଣକର୍ଣ୍ଣାମୃତମ୍‌’ ଲେଖିଲେ । ପତ୍ନୀଙ୍କ ପ୍ରତି ଅତ୍ୟନ୍ତ ଆସକ୍ତ ତୁଳସୀ ଦାସ ସନ୍ଥରେ ପରିଣତ ହେଲେ,‘ଶ୍ରୀରାମ ଚରିତ ମାନସ’ ଲେଖିଲେ । 

ନିଶା ନାରୀ ଆସକ୍ତ ଅମୀଚାନ୍ଦ ନାରକୀୟ ଗୁଣଗୁଡ଼ିକୁ ପରିହାର କରି ଈଶ୍ୱରଙ୍କ ପରମ ଭକ୍ତରେ ପରିଣତ ହେଲେ, ଭଜନ ଲେଖିଲେ ଓ ନିଜେ ସୁଲଳିତ କଣ୍ଠରେ ସେଗୁଡ଼ିକୁ ଗାନକଲେ । ଅଗଷ୍ଟିନ୍‌ ରୂପାନ୍ତରିତ ହେଲେ ସେଣ୍ଟ୍‌ ଅଗଷ୍ଟିନ୍‌ରେ ଓ ରଚନା କଲେ ‘କନ୍‌ଫେସନ୍ସ୍‌ ଅଫ୍‌ ସେଣ୍ଟ୍‌ ଅଗଷ୍ଟିନ୍‌’ ଭଳି ଗୋଟେ ପ୍ରଭାବଶାଳୀ ଗ୍ରନ୍ଥ । ଜନ୍‌ ବୁନିୟାନ୍‌ ସ୍ୱରଚିତ ‘ଦି ପିଲ୍‌ଗ୍ରିମ୍ସ୍‌ ପ୍ରୋଗ୍ରେସ୍‌’ ପୁସ୍ତକରେ କହନ୍ତି, ‘ମଣିଷର ଜୀବନ ଏକ ତୀର୍ଥଯାତ୍ରା ଓ ପ୍ରତ୍ୟେକ ମଣିଷ ଜଣେ ଜଣେ ତୀର୍ଥଯାତ୍ରୀ ।’ ମଣିଷ ଭିତରେ ଥିବା ଅସୁରତ୍ୱର ବିନାଶ ଓ ଈଶ୍ୱରତ୍ୱର ବିକାଶ ସେହି ତୀର୍ଥଯାତ୍ରାର ବିଶେଷତ୍ୱ । କ୍ରିଷ୍ଟିଆନି ଉଲ୍‌ଫ୍‌ ଜଣେ ଚିକିତ୍ସକ ଥିଲେ । ପରବର୍ତ୍ତୀ ସମୟରେ ସେ ଲୋକମାନଙ୍କୁ ସଚେତନତା, ଆନ୍ତରିକ ସ୍ଥିତି ଓ ପରିବେଶ ପ୍ରତି ଜାଗରୂକତା ଏବଂ ଧର୍ମ ସମ୍ବନ୍ଧୀୟ ଶିକ୍ଷାଦାନ କଲେ । ସେ କହନ୍ତି, ତଥାଗତ ବୁଦ୍ଧ ୪ଟି ‘ବ୍ରହ୍ମବିହାର’ ପ୍ରତିପାଦନ କଲେ ଯାହା ହେଉଛି ମଣିଷ-ହୃଦୟର ୪ଟି ସର୍ବୋଚ୍ଚ ଗୁଣ, ଯଥା : ମେତ୍ତା(ଅନୁରାଗଶୀଳ ଦୟାଳୁତା),କରୁଣା, ଉପେକ୍ଷା (ସମଭାବ) ଓ ମୁଦିତା (ସହାନୁଭୂତିପୂର୍ଣ୍ଣ ଆନନ୍ଦ) । ଏଥିମଧ୍ୟରୁ ସର୍ବୋତ୍କୃଷ୍ଟ ହେଉଛି ‘ମୁଦିତା’ ଅର୍ଥାତ୍‌ ଅନ୍ୟର ସୁଖରେ ସୁଖୀ ହେବାର ଗୁଣ । ଏହି ଗୁଣଗୁଡ଼ିକ ମଣିଷ-ଜୀବନର ଦିବ୍ୟତ୍ୱକୁ ପ୍ରକଟ କରିଥାଏ । ତେବେ ଦିବ୍ୟତ୍ୱ ପ୍ରାପ୍ତି ନିମତ୍ତ ଆଧ୍ୟାତ୍ମିକ ସାଧନା ଲୋଡ଼ା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.