ଭୁବନେଶ୍ୱର, ୧୨।୧: ସୁନ୍ଦରପଦାର ପ୍ରସିଦ୍ଧ ମକର ମେଳା ନିକଟେଇ ଆସିଲାଣି । ଏହି ପବିତ୍ର ଅବସରରେ ଗୋଖିବାବାଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିବାକୁ ଲୋକଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ । ପବିତ୍ର ଗୋଖିଚୁଆ କୁଣ୍ଡରୁ ୧୦୮ ପୂର୍ଣ୍ଣ କଳସ ଜଳ ଉଠି ଗୋଖିବାବାଙ୍କ ନିକଟରେ ବିଧିମତେ ଲାଗି ହେବା ପରେ ମେଳା ଆରମ୍ଭ ହେବ । ଏହି ଶୁଭମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏହି ଶୁଭ ଅବସରରେ ସବୁଠାରୁ ଶ୍ରଦ୍ଧାର ପାତ୍ର ବନିଛି ଗ୍ରାମ ଉପକଣ୍ଠରେ ଥିବା ଗୋଖିଚୁଆ ଅର୍ଥାତ୍ ଗୋଖିକୁଣ୍ଡ । ଏହି କୁଣ୍ଡ ସଦଭାବନାର ପ୍ରତୀକ । ଜଣେ ମୁସଲମାନ ଗ୍ରାମବାସୀ ଏହି କୁଣ୍ଡର ମାଲିକ । କିନ୍ତୁ ଏହାକୁ ସେ ଗୋଖିବାବାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପୁରାତନ କାଳରୁ ଏହି କୁଣ୍ଡରୁ ୧୦୮ ପବିତ୍ର ଜଳ ଉତ୍ତୋଳନ କରାଯାଇ ଏକ ଶୋଭାଯାତ୍ରାରେ ଗୋଖିବାବାଙ୍କ ପୀଠକୁ ଅଣାଯାଏ । ପୀଠରେ ଗୋଖିବାବାଙ୍କ ନିକଟରେ ୧୦୮ କଳସ ଜଳ ବିଧିମତେ ଲାଗି ହୁଏ । ଏହାପରେ ବିଧିବଦ୍ଧ ଭାବେ ମକର ମେଳା ଆରମ୍ଭ ହୁଏ । ହଜାର ହଜାର ମାନସିକଧାରୀ ଗୋଖିବାବାଙ୍କୁ ଯୋଡ଼ି ନଡ଼ିଆ ସମର୍ପଣ କରି ଆଶୀର୍ବାଦ ଭିକ୍ଷା କରନ୍ତି ।
ତେବେ କିଛି ଦଶନ୍ଧି ତଳେ ପ୍ରବଳ ବନ୍ୟା ଆସିଥିଲା । ପଟୁମାଟି ତଳେ ଏହି କ୍ଷୁଦ୍ର କୁଣ୍ଡଟି ଅଦୃଶ୍ୟ ହୋଇଯାଇଥିଲା । ଫଳରେ ମକର ବେଳେ ଜଳ ଉତ୍ତୋଳନ ପ୍ରକ୍ରିୟା ବ୍ୟାହତ ହୋଇଥିଲା । ୨୦୧୫ ମସିହାରେ ସଂପୃକ୍ତ ଜମି ମାଲିକଙ୍କ ଅନୁରୋଧକ୍ରମେ ଗ୍ରାମବାସୀ ଗୋଖିଚୁଆ ପୁନରୁଦ୍ଧାର କାମ ଆରମ୍ଭ କରିଥିଲେ । ଘାସ ବଣ କାଟି ମାଟିତଳୁ ଗୋଖିଚୁଆକୁ ବାହାର କରିଥିଲେ । ୨୦୧୫ ମସିହା ଡିସେମ୍ବର ମାସ ଅର୍ଥାତ୍ ମକର ମେଳା ପୂର୍ବରୁ ଗୋଖିଚୁଆକୁ ଗ୍ରାମବାସୀ ସମ୍ପୂର୍ଣ୍ଣ ପୁନରୁଦ୍ଧାର କରି ଦେଇଥିଲେ । ମାଟି ତଳୁ ପାଣି ଝରି କୁଣ୍ଡଟି କିଛି ଦିନ ମଧ୍ୟରେ ପରିପୂର୍ଣ୍ଣ ହୋଇ ଯାଇଥିଲା । ସେହିଦିନ ଠାରୁ ଏହି ପରମ୍ପରା ପୁନଃ ପ୍ରଚଳିତ ହୋଇ ଆସୁଛି । ଏଥିରେ ମୁସଲମାନ ସମ୍ପ୍ରଦାୟର ଗ୍ରାମବାସୀ ସହଯୋଗ କରି ଆସୁଛନ୍ତି ।