ଲଇକେରା ୩/୩ ( ଆପ୍ର): ଲଇକେରା ଥାନା ଅନ୍ତର୍ଗତ ତାଳମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ସ୍ୱାମୀଙ୍କୁ ମାଡ଼ ଓ ସ୍ତ୍ରୀକୁ ପିସ୍ତଲ ଦେଖାଇ ଦୁର୍ବୃତ୍ତମାନେ ନଗଦ ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଏବଂ ୧୫ ଭରି ସୁନା ଗହଣା ନେଇ ଫେରାର ହୋଇଯାଇଛନ୍ତି ।

ପାଞ୍ଚଜଣ ମୁଖା ପିନ୍ଧା ଯୁବକ ଗାଁର ପ୍ରକାଶ ନାଏକ (୫୨) ଙ୍କ ବାରିପଟ ଅସ୍ଥାୟୀ କାନ୍ଥ ଭାଙ୍ଗି ଘର ଭିତରକୁ ପଶି ଯାଇଥିଲେ । ସେ ସମୟରେ କାନ୍ଥ ପଡ଼ିବାର ଶବ୍ଦ ଶୁଣି ପ୍ରକାଶ ନିଦରୁ ଉଠି ପଡ଼ି ଶୋଇବା ଘରଠାରୁ ବାରିପଟକୁ ଦେଖି ଆସିବା ସମୟରେ ଚୋରମାନଙ୍କ ସହ ମୁହାଁମୁହିଁ ହୋଇଥିଲେ । ତେବେ ଚୋର ମାନଙ୍କ ମଧ୍ୟରୁ ହଠାତ୍ ଜଣେ ପ୍ରକାଶର ଗାଲରେ ଏକ ଶକ୍ତ ଚାପୁଡ଼ା ମାରିଥିଲା । ଫଳରେ ପ୍ରକାଶ ତଳେ ପଡ଼ିଯାଇଥିଲେ। ଏହାପରେ ମଧ୍ୟ ଚୋରମାନେ ନିସ୍ତୁକ ମାଡ଼ ମାରିଥିଲେ ଏବଂ କେଉଁଠି ଟଙ୍କା ଓ ସୁନା ରଖିଥିବା କଥା ପଚାରିଥିଲେ । ଅନ୍ୟ ପକ୍ଷରେ ସ୍ତ୍ରୀ ଝିଲି ନାଏକ ଙ୍କୁ ମଧ୍ୟ ପିସ୍ତଳ , ଭୁଜାଲି ଦେଖାଇ ଉୟଭୀତ କରିବା ସହିତ ସୁନାଗହଣା, ଟଙ୍କା ପଇସା ଥିବା ଆଲମିରା, ବାକ୍ସା ର ଚାବି ନେବାରେ ସକ୍ଷମ ହୋଇଥିଲେ । ପାଞ୍ଚଜଣ ଚୋର ମଧ୍ୟରୁ ୩ ଜଣ ଘର ଭିତରେ ରହି ଛାନ୍ ଭିନ୍ କରୁଥିବା ବେଳେ ୨ ଜଣ ଘର ବାହାରେ ପାଇଁତରା ମାରୁଥିଲେ ।

ନଗଦ ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଏବଂ ୧୫ ଭରି ସୁନା ଗହଣା ନେଇ ଚୋର ମାନେ ଫେରାର ହୋଇଥିଲେ । ଘଟଣାକୁ ନେଇ ଲଇକେରା ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସ୍ଥାନୀୟ ପୋଲିସ୍ ଟିମ୍ ଏବଂ ନିଜେ ଝାରସୁଗୁଡ଼ା ଏସ୍ ପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡି ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ହେଲେ ଏ ଯାଏଁ କାହାରିକୁ ଗିରଫ କରାଯାଇ ନାହିଁ ।

ଡ଼କାୟତ ମାନେ ଓଡ଼ିଆ ଏବଂ ସମ୍ବଲପୁରୀ ଭାଷାରେ କଥା ହେଉଥିଲେ । ପ୍ରାୟ ୧୫ ରୁ ୨୦ ମିନିଟ୍ ମଧ୍ୟରେ ଟଙ୍କା ସୁନା ଗହଣା ନେଇ ଫେରାର୍ ହୋଇ ଯାଇଥିଲେ । ଏହି ଚୋରୀ ନିଶ୍ଚିତ ଭାବରେ ଯୋଜନାବଦ୍ଧ ବୋଲି ଅଞ୍ଚଳରେ ଆଲୋଚନା ହେଉଛି ।

ଗତ ଅକ୍ଟୋବର ୨୨ ତାରିଖରେ ପ୍ରାୟ ସମାନ ଢ଼ଙ୍ଗରେ ଲଇକେରା ଥାନା କୁଅଁରମାଲ ଗ୍ରାମରେ ମଧ୍ୟ ଏମିତି ବଡ଼ଧରଣର ଚୋରୀ ହୋଇଥିଲା ।, ଏହାର ପାଞ୍ଚ ମାସ ପରେ ଲଇକେରା ଥାନା ଅଞ୍ଚଳ ରେ ଆଉ ଏକ ଚୋରୀ ଘଟଣା ଲଇକେରା ପୋଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ପଡ଼ିଛି ।