ବିମାନବନ୍ଦରରୁ ପୁଣି ସୁନା ଜବତ; ମହିଳାଙ୍କ ମଳଦ୍ବାରରୁ ବାହାରିଲା ୨୪ ଲକ୍ଷର ସୁନା

ଭୁବନେଶ୍ୱର,୩ ।୩(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରେ ଥମୁନି ସୁନା ସ୍ମଗ୍ଲିଙ୍ଗ । ଆଜି ପୁଣି ସୁନା ଜବତ ହୋଇଛି । ଜଣେ ମହିଳା ସ୍ମଗ୍ଲରଙ୍କ ମଳଦ୍ୱାରରୁ ଜବତ ହୋଇଛି ୨୪ ଲକ୍ଷ ଟଙ୍କା ମୂଲ୍ୟର ସୁନା । ମହାରାଷ୍ଟ୍ରର ମହିଳା ସ୍ମଗ୍ଲର ଜଣଙ୍କ ଦୁବାଇରୁ ନୂଆଦିଲ୍ଲୀ ଦେଇ ଭୁବନେଶ୍ୱରକୁ ଚାଲାଣ କରୁଥିଲେ । ଏୟାର ଇଣ୍ଡିଆ ବିମାନ ଯୋଗେ ଆସି ଆଜି ଅପରାହ୍ଣରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଷ୍ଟମସ୍ ବିଭାଗର ଅଧିକାରୀମାନଙ୍କ ହାତରେ ଧରା ପଡ଼ିଛନ୍ତି । ଏତେ ପରିମାଣର ସୁନା ସେ କାହା ପାଖକୁ ଚାଲାଣ କରୁଥିଲେ ସେନେଇ ତାଙ୍କୁ ଅଟକ ରଖାଯାଇ ଜେରା ଚାଲିଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଆସିଷ୍ଟାଣ୍ଟ୍ କମିଶନର ଅଫ୍ କଷ୍ଟମସ୍ ବି.ବି ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଫ୍ଲାଇଟ୍ ନଂ.ଏ୧-୭୭ ରବିବାର ଅପରାହ୍ଣରେ ଦୁବାଇରୁ ଭାୟା ନୂଆଦିଲ୍ଲୀ ହୋଇ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ଗୁଇନ୍ଦା ପଦକ୍ଷେପ ସ୍ୱରୂପ ଏଠାରେ କଷ୍ଟମସ୍ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ପକ୍ଷରୁ ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଇଥିଲା । ମହାରାଷ୍ଟ୍ରର ଜଣେ ମହିଳା ଯାତ୍ରୀଙ୍କ ଲଗେଜ୍ ଓ ଶରୀର ଯାଞ୍ଚ କରାଯାଇଥିଲା । ଶରୀର ଯାଞ୍ଚ କଲାବେଳେ ତାଙ୍କ ମଳଦ୍ୱାରରୁ ୩ଟି କ୍ୟାପ୍ସୁଲ ବାହାରିଥିଲା । କ୍ୟାପ୍ସୁଲ ଉପରେ ବ୍ଲାକ୍ ଟେପ୍ ଗୁଡ଼ାଇ ସେ ମଳଦ୍ୱାରରେ ଖଞ୍ଜି ଆଣି ଆସୁଥିଲେ । ୩ଟି କ୍ୟାପ୍ସୁଲ୍ ଭିତରେ ୫ଟି ସୁନା ବାର୍ ଥିଲା । ଜବତ ସୁନାର ଓଜନ ୭୦୭.୬୭୦ ଗ୍ରାମ । ଯାହାର ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବ । ଏତେ ପରିମାଣର ସୁନା ସେ କେଉଁଆଡ଼େ ଚାଲାଣ କରୁଥିଲେ ସେ ନେଇ ତାଙ୍କୁ ପଚରା ଉଚରା ଜାରି ରହିଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଏଠାରେ ସୂଚନା ଥାଉକି, ଫେବ୍ରୁଆରୀ ୨୨ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ କୋଲକାତାର ଜଣେ ସ୍ମଗଲରଙ୍କ ଠାରୁ ୧୦ ଲକ୍ଷର ସୁନା ଜବତ ହୋଇଥିଲା । ସୁନାକୁ ସେ ସାର୍ଟ ବଟମ ଭିତରେ ଲୁଚାଇ ଆଣୁଥିଲେ । ସେହିପରି ଫେବ୍ରୁଆରୀ ୧୮ରେ ମହାରାଷ୍ଟ୍ରର ଜଣେ ମହିଳା ସ୍ମଗଲରଙ୍କୁ ଗିରଫ କରା ଯାଇଥିଲା । ତାଙ୍କ ଠାରୁ ୩୩ ଲକ୍ଷ ଟଙ୍କା ମୂଲ୍ୟର ସୁନା ବିସ୍କୁଟ୍ ଜବତ ହୋଇଥିଲା । ସେ ଏକ ଏମରଜେନ୍ସି ଲାଇଟ୍ ଭିତରେ କିଲେ ଓଜନର ୯ ଖଣ୍ଡ ସୁନା ବିସ୍କୁଟ୍ ଆଣି ଆସୁଥିଲେ ।