PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରଥମ ଥର ୬୦ ହଜାର ଟପିଲା ସୁନା ଦାମ୍, ଆହୁରି ବଢିବ…

ନୂଆଦିଲ୍ଲୀ ୨୦/୩: ଆମେରିକାରୁ ଆରମ୍ଭ ହୋଇଥିବା ବ୍ୟାଙ୍କିଂ କ୍ରାଇସିସର ପ୍ରଭାବ ଏବେ ଧିରେ ଧିରେ ଅନ୍ୟ ଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଏଥିଯୋଗୁଁ ସେୟାର ମାର୍କେଟରେ ମଧ୍ୟ ଅପ-ଡାଉନ୍ ନଜର ଆସୁଛି । ଆର୍ଥିକ ସଙ୍କଟ ସ୍ଥିତିରେ ଲୋକମାନେ ଖାସ୍ କରି ଭାରତୀୟ ନିବେଶ ପାଇଁ ସୁନାକୁ ଏକ ଉତ୍ତମ ବିକଳ୍ପ ବୋଲି ବିବେଚନା କରୁଛନ୍ତି । ଅନ୍ୟପଟେ ଏମିତି ପରିସ୍ଥିତି ଯୋଗୁଁ ସୁନା ଦାମ୍ ପ୍ରଥମ ଥର ପାଇଁ ଏମସିଏକ୍ସରେ ୬୦ ହଜାର ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି ।

ମାର୍କେଟ୍ ଏକ୍ସପର୍ଟମାନଙ୍କ ଅନୁସାରେ ଆମେରିକା ଏବଂ ଅନ୍ୟ ଦେଶରେ ବ୍ୟାଙ୍କିଂ କ୍ରାଇସିସ୍ ସହ ସେୟାର ମାର୍କେଟରେ ଅନିଶ୍ଚିତତା  ସୁନା ଦାମ ବୃଦ୍ଧିର ମୁଖ୍ୟ କାରଣ ।  ଏଭଳି ପରିସ୍ଥିତିରେ ସୁନାରେ ନିବେଶ ବଢିବାରେ ଲାଗିଛି । ସେୟାର ମାର୍କେଟରେ ହ୍ରାସ ଯୋଗୁଁ ମଧ୍ୟ ସୁନାକୁ ସପୋର୍ଟ ମିଳିଛି ଯାହା ଫଳରେ ସପ୍ତାହରେ ସୁନା ଦାମ୍ ୫ ହଜାରରୁ ମଧ୍ୟ ଅଧିକ ବୃଦ୍ଧି ପାଇଛି । ଏହା ପୂର୍ବରୁ ଏମସିଏକ୍ସରେ ଏହାର ଅଲ୍ ଟାଇମ୍ ହାଇ ୫୮,୮୪୭ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା ।

୬୨ ହଜାର ଟଙ୍କା ଛୁଇଁପାରେ ସୁନା

ଏକ୍ସପର୍ଟ୍ସଙ୍କ ଅନୁସାରେ ସୁନାର ଦାମ୍ ଆହୁରି ବଢିପାରେ ଏବଂ ସୁନା ୬୨ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ସ୍ତର ମଧ୍ୟ ଛୁଇଁପାରେ । ସଙ୍କଟ ସମୟରେ ସମସ୍ତେ ସୁରକ୍ଷିତ ନିବେଶ ପାଇଁ ସୁନାକୁ ହିଁ ଉଚିତ୍ ବିକଳ୍ପ ବୋଲି ଭାବୁଛନ୍ତି । ଏହା ମଧ୍ୟରେ ମୁଦ୍ରାରେ ହ୍ରାସର ପ୍ରଭାବ ମଧ୍ୟ ସୁନା ଦାମ୍ ବଢାଇବାରେ ସହାୟକ ହେଉଛି । ଇଣ୍ଡିଆନ୍ ବୁଲିୟନ୍ ଜ୍ୱେଲର୍ସ ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା ୨୪ କ୍ୟାରେଟ୍ ଫାଇନ୍ ଗୋଲ୍ଡ ଦାମ୍ ୫୯,୬୭୦ ଟଙ୍କା ପ୍ରତି ୧୦ ଗ୍ରାମ୍ ରହିଥିଲା । ସେହିଭଳି ୨୨ କ୍ୟାରେଟ୍ ଗୋଲ୍ଡ ଦାମ୍ ୫୮,୨୪୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ ପହଞ୍ଚିଛି । ୧୮ କ୍ୟାରେଟ୍ ଗୋଲ୍ଡ ପ୍ରାଇସ୍ ୪୮,୩୩୦ ଟଙ୍କାରେ ପହଞ୍ଚିଥିଲା ।