ନୂଆଦିଲ୍ଲୀ,୨୪/୫ : ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଆଲୋଚନା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ, ଆଗାମୀ କିଛି ଘଣ୍ଟା ମଧ୍ୟରେ ଇରାନକୁ ନେଇ ଭଲ ଖବର ଆସିପାରେ । ରୁବିଓ ୪ଦିନିଆ ଭାରତ ଗସ୍ତରେ ଅଛନ୍ତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରୁବିଓ କହିଛନ୍ତି ଯେ, ଗତ ୪୮ଘଣ୍ଟା ମଧ୍ୟରେ ଆଲୋଚନାରେ ଅଗ୍ରଗତି ହୋଇଛି, ଯାହା ହର୍ମୁଜ୍ ସମସ୍ୟା ସମ୍ପର୍କରେ ସମାଧାନ ବାହାରିପାରେ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ରୁବିଓଙ୍କ ଏହି ବୟାନ ଆସିଛି, ୱାଶିଂଟନ ଏବଂ ତେହେରାନ ଏକ ଚୁକ୍ତି ଚୂଡ଼ାନ୍ତ କରିବାକୁ ନିକଟତର।
ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଆମେରିକା-ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଚୁକ୍ତି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଶେଷ କରିବା ଏବଂ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଟ୍ରମ୍ପ କହିଛନ୍ତି ଯେ, ଚୁକ୍ତିର ଚୂଡ଼ାନ୍ତ ପର୍ଯ୍ୟାୟ ଉପରେ ବର୍ତ୍ତମାନ ଆଲୋଚନା ଚାଲିଛି ଏବଂ ଖୁବଶୀଘ୍ର ଏହା ଘୋଷଣା କରାଯାଇପାରେ। ମାତ୍ର, ସେ ଚୁକ୍ତିରେ ଅନ୍ୟ କେଉଁ ସର୍ତ୍ତ ଅନ୍ତର୍ଭୁକ୍ତ ହେବ ତାହା ସ୍ପଷ୍ଟ କରିନାହାଁନ୍ତି।
ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଇରାନ ତା’ର ଅତ୍ୟଧିକ ସମୃଦ୍ଧ ୟୁରାନିୟମ ଭଣ୍ଡାର ଛାଡିବାକୁ ରାଜି ହୋଇଛି । ରିପୋର୍ଟରେ ଆମେରିକୀୟ ଅଧିକାରୀଙ୍କ ଉଦ୍ଧୃତି ଦିଆଯାଇଛି ଯେ ଇରାନ ତା’ର ଅତ୍ୟଧିକ ସମୃଦ୍ଧ ୟୁରାନିୟମ ଭଣ୍ଡାରକୁ ହଟାଇବା ପାଇଁ ନୀତିଗତ ଭାବରେ ରାଜି ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ପ୍ରସଙ୍ଗରେ ଆସନ୍ତା ୩୦ରୁ ୬୦ଦିନ ମଧ୍ୟରେ ବିସ୍ତୃତ ଆଲୋଚନା ହେବ। ଆମେରିକା ଦୀର୍ଘ ଦିନ ଧରି ଚାହୁଁଛି ଯେ, ଇରାନ ତାର ପରମାଣୁ କାର୍ଯ୍ୟକ୍ରମକୁ ସୀମିତ କରୁ । ମାତ୍ର ଜଣେ ବରିଷ୍ଠ ଇରାନୀ ଅଧିକାରୀ ପରେ ଏହି ଦାବିକୁ ଅସ୍ୱୀକାର କରିଥିଲେ। ରଏଟର୍ସ ସହିତ କଥାବାର୍ତ୍ତା କରି, ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ଚୂଡ଼ାନ୍ତ ହେଉଥିବା ପ୍ରାରମ୍ଭିକ ଚୁକ୍ତିନାମାରେ ପରମାଣୁ ପ୍ରସଙ୍ଗ ଅନ୍ତର୍ଭୁକ୍ତ ନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ, ଇରାନ ଦେଶରୁ ଏହାର ଅତ୍ୟନ୍ତ ସମୃଦ୍ଧ ୟୁରାନିୟମ ରପ୍ତାନି କରିବାକୁ ରାଜି ହୋଇନାହିଁ।