ନୂଆଦିଲ୍ଲୀ,୨୫/୦୩; ସମସ୍ତଙ୍କୁ କ୍ଷମା କରି...ସମସ୍ତଙ୍କୁ କ୍ଷମା ମାଗି ସେ ଚାଲିଗଲେ । ବିଶ୍ରାମ ନେଇଗଲେ ଚିରନିଦ୍ରାରେ ଶୋଇଗଲେ । ଯେବେ ଇଚ୍ଛାମୃତ୍ୟୁ କଥା ଆସିବ ସେ ମନେ ପଡିବେ । ହରିଶ ରାଣା । ୧୩ ବର୍ଷ ଧରି ସେ ଯେଉଁ ଯନ୍ତ୍ରଣା ସହିଥିଲେ ସେଥିରୁ ତାଙ୍କୁ ମୁକ୍ତି ମିଳିଛି । ୧୩ ବର୍ଷ ଧରି କୋମାରେ ଥିବା ହରିଶଙ୍କର ଗତକାଲି ଦେହାନ୍ତ ହୋଇଛି । ଏମ୍ସରେ ୧୩ ଦିନରେ ତାଙ୍କ ଇଚ୍ଛାମୃତ୍ୟୁ ପ୍ରକ୍ରିୟା ଚାଲିଥିଲା । ଦେଶର ପ୍ରଥମ ଇଚ୍ଛାମୃତ୍ୟୁ । ମଙ୍ଗଳବାର ଦିଲ୍ଲୀ ଏମ୍ସରେ ହରିଶ ରାଣାଙ୍କର ଦେହାନ୍ତ ହୋଇଛି । ୩୧ ବର୍ଷୀୟ ହରୀଶ ଗତ ୧୩ ବର୍ଷ ହେଲା କୋମାରେ ଥିଲେ । ସୁପ୍ରିମ୍ କୋର୍ଟ ଚଳିତ ମାସ ୧୧ ତାରିଖରେ ତାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ପ୍ରଦାନ କରିଥିଲେ । ଆଜି ଦିଲ୍ଲୀରେ ଗ୍ରୀନ ପାର୍କରେ ହରିଶଙ୍କର ଅନ୍ତିମ ସଂସ୍କାର ହୋଇଛି । ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ବାସିନ୍ଦା ଅଶ୍ରୁଳ ଆଖିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ବାପା ଏକ ହ୍ୱାଟ୍ସଆପ୍ ଗ୍ରୁପକୁ ପଠାଇଥିବା ଏକ ମେସେଜ ସମସ୍ତଙ୍କୁ କନ୍ଦାଇ ଦେଇଛି ।
ଏମ୍ସରେ ହରିଶଙ୍କୁ ପାସିଭ୍ ୟୁଥାନାସିଆ ଦିଆଯାଇଥିଲା । ଏହାର ଅର୍ଥ ଜଣେ ଗମ୍ଭୀର ରୋଗୀଙ୍କୁ ଜୀବିତ ରଖିବା ପାଇଁ ଯେଉଁ ବାହ୍ୟ ଜୀବନ-ସମର୍ଥନକାରୀ ଚିକିତ୍ସା ପ୍ରଦାନ କରାଯାଏ, ତାକୁ ହଟାଇଦେବା । ଏହା ଦ୍ୱାରା ରୋଗୀଙ୍କର ପ୍ରାକୃତିକ ମୃତ୍ୟୁ ହୋଇପାରିବ । ଏମ୍ସ ଅନୁସାରେ, ହରିଶ ମଙ୍ଗଳବାର ଅପରାହ୍ଣ ୪.୧୦ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କୁ ଅଂକଲୋଜି ୟୁନିଟ୍ରେ ଭର୍ତ୍ତି କରାଯାଇଥିଲା । ଗତ ୧୪ ତାରିଖରେ ହରିଶଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ୧୬ ତାରିଖ ଡାକ୍ତର ତାଙ୍କର ଖାଦ୍ୟ ନଳୀକୁ ହଟାଇ ଦେଇଥିଲେ । ଧିରେ ଧିରେ ଶରୀରକୁ ପାଣି ବି ବନ୍ଦ କରାଯାଇଥିଲା । ସୁପ୍ରିମ୍ କୋର୍ଟ ଇଚ୍ଛାମୃତ୍ୟୁକୁ ଅନୁମତି ଦେବା ପରେ ତାଙ୍କ ମା’କହିଥିଲେ, ପୁଅର ଚିକିତ୍ସା ପାଇଁ ସବୁ ଚେଷ୍ଟା ସେମାନେ କଲେ । ବଡ଼ ବଡ଼ ହସ୍ପିଟାଲରେ ଦେଖାଇଲେ ଏବଂ ଅନେକ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇଲେ । କିନ୍ତୁ ସବୁ ଆଶା ବିଫଳ ହେଲା । ଜୀବନରେ ସ୍ବପ୍ନ ନେଇ ଇଞ୍ଜିନୟରିଂ ପଢିବାକୁ ବାହାରିଥିବା ହରିଶ ରାଣା ଦୁନିଆରୁ ବିଦାୟ ଦେଇଛନ୍ତି । ସମସ୍ତେ ସ୍ତବ୍ଧ । ନୀରବତା ସମସ୍ତଙ୍କ ଆଖିଲେ ଲୁହ । ହରିଶଙ୍କ ଦେହାନ୍ତ ପରେ ତାଙ୍କ ବାପା ଅଶୋକ ରାଣାଙ୍କ ଛୋଟିଆ ମେସେଜ ସମସ୍ତଙ୍କ କନ୍ଦାଇ ଦେଇଛି । ସୋସିଆଲ ମିଡିଆରେ ସମସ୍ତେ ଲେଖିଛନ୍ତି କିଛି କିଛି ଛୋଟ ଛୋଟ ଶବ୍ଦ ଭିତରେ ଗଭୀର ଯନ୍ତ୍ରଣାକୁ ପ୍ରକାଶ କରିଛି ।
ଏହା ବି ପଢନ୍ତୁ...ମୃତ୍ୟୁ ପରେ ବି ମରିବେନି ହରିଶ: ଅଙ୍ଗଦାନ କରି ଅନ୍ୟ ପାଇଁ ସାଜିଲେ ଦେବଦୂତ
୨୦୧୩ ମସିହାରେ, ହରିଶ ଚଣ୍ଡିଗଡ଼ରେ ତାଙ୍କ ହଷ୍ଟେଲର ଚତୁର୍ଥ ମହଲାରୁ ପଡ଼ିଯାଇଥିଲେ । ଯାହା ତାଙ୍କୁ ସବୁଦିନ ପାଇଁ କୋମାରେ ପକାଇ ଦେଇଥିଲା । ଗୋଟିଏ ଘରେ ଏବଂ ବେଡ୍ରେ ବିତୁଥିଲା ହରିଶଙ୍କ ଜୀବନ । ୧୩ ବର୍ଷ ଧରି ତାଙ୍କ ବାପାମାଆ ଘରକୁ ଏକ ହସ୍ପିଟାଲରେ ପରିଣତ କରିଥିଲେ । ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଥିଲେ ଏବଂ ମେସିନ ଉପରେ ନିର୍ଭରଶୀଳ ଥିଲେ, କିନ୍ତୁ ପରିବାର ୨୪ ଘଣ୍ଟା ଯତ୍ନ ନେଉଥିଲେ । ହରିଶ ରାଣାଙ୍କ ବାପା, ଅଶୋକ ରାଣା, ଫିଜିଓଥେରାପି କରିବା ପାଇଁ ସକାଳ ୪:୩୦ ରେ ଉଠୁଥିଲେ । ମାଆ, ନିର୍ମଳା ଦେବୀ ତାଙ୍କୁ ଆହୁରି ୧୩ ବର୍ଷ ପର୍ଯ୍ୟନ୍ତ ପିଲା ପରି ଲାଳନପାଳନ କରିଥିଲେ । ହରିଶଙ୍କ ଛୋଟ ଛୋଟ ଆବଶ୍ୟକତା ସବୁକିଛି ପୂରଣ କରିଥିଲେ । ହେଲେ ପୁଅର କଷ୍ଟ ଯନ୍ତ୍ରଣାକୁ ସେ ସହି ପାରିନଥିଲେ । ତାଙ୍କ ଅନ୍ତେ ପୁଅର କଣ ହେବ ଭାବି ଭାବି ଚିନ୍ତାରେ ରହୁଥିଲେ । ଶେଷରେ ଛାତିକୁ ପଥର କରି ପୁଅର ମୃତ୍ୟୁ ମାଗିଥିଲେ । ଦେଶର ପ୍ରଥମ ଇଚ୍ଛାମୃତ୍ୟୁକୁ ମଞ୍ଜୁର ମିଳିଥିଲା । ଶେଷରେ ଦୁନିଆକୁ ଅଲବିଦା କହିଛନ୍ତି ୧୩ ବର୍ଷ ଧରି କୋମାରେ ଥିଲା ହରିଶ ରାଣା ।