ନୂଆଦିଲ୍ଲୀ, ୨୫।୩: ମୃତ୍ୟୁ ପରେ ବି ଅମର ହୋଇ ରହିବେ ହରିଶ । ତାଙ୍କ ଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଥାଇପାରେ, କିନ୍ତୁ ତାଙ୍କ ଅଙ୍ଗ ମାଧ୍ୟମରେ ସେ ଏବେ ବି ଏହି ଦୁନିଆରେ ଜୀବିତ ରହିବେ । ଦୀର୍ଘ ୧୩ ବର୍ଷ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ହରିଶ ରାଣା ଆଖି ବୁଜିଛନ୍ତି । ପୁଅର ମୃତ୍ୟୁ ପରେ ଭାଙ୍ଗି ନପଡ଼ି ତାଙ୍କ ପିତାମାତା ଯେଉଁ ସାହସିକ ନିଷ୍ପତ୍ତି ନେଇଛନ୍ତି, ତାହା ଆଜି ସମଗ୍ର ଦେଶ ପାଇଁ ଏକ ପ୍ରେରଣା ପାଲଟିଛି ।
୧୩ ବର୍ଷର ଅନ୍ଧକାର ଓ ଅସହ୍ୟ ଯନ୍ତ୍ରଣାର କାହାଣୀ:
ହରିଶ ରାଣାଙ୍କ କାହାଣୀ ଯେତିକି କଷ୍ଟଦାୟକ, ସେତିକି ସଂଘର୍ଷମୟ । ଜଣେ ମେଧାବୀ ଛାତ୍ର ଭାବେ କଲେଜ ପାଠପଢ଼ା ଶେଷ କରି ଏକ ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ହରିଶଙ୍କ ଜୀବନରେ ୨୦୧୩ ମସିହାରେ ଆସିଥିଲା ଏକ କଳାବୈଶାଖୀ । ଚଣ୍ଡିଗଡ଼ର ଏକ ହଷ୍ଟେଲର ୪ର୍ଥ ମହଲାରୁ ସେ ହଠାତ୍ ତଳକୁ ଖସି ପଡ଼ିଥିଲେ । ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା, ଯାହାଫଳରେ ସେ କୋମା ଅବସ୍ଥାକୁ ଚାଲିଯାଇଥିଲେ । ଦୀର୍ଘ ୧୩ ବର୍ଷ ଧରି ସେ ଶଯ୍ୟାଶାୟୀ ହୋଇ ରହିଥିଲେ, ନା କହିପାରୁଥିଲେ, ନା କିଛି ବୁଝିପାରୁଥିଲେ ।
ଏହା ବି ପଢ଼ନ୍ତୁ... ପାକିସ୍ତାନକୁ ପଠାଯାଉଛି ଭାରତର ସମ୍ବେଦନଶୀଳ ସ୍ଥାନର ସିସିଟିଭି ଫୁଟେଜ୍, ଦେଶବ୍ୟାପୀ ସବୁ ନେଟୱର୍କର ଯାଞ୍ଚ ନିର୍ଦ୍ଦେଶ
ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି:
ହରିଶଙ୍କ ଅବସ୍ଥାରେ କୌଣସି ସୁଧାର ନଆସିବାରୁ ମାମଲା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗତ ୧୧ ମାର୍ଚ୍ଚରେ ସୁପ୍ରିମକୋର୍ଟ ଏକ ସମ୍ବେଦନଶୀଳ ନିଷ୍ପତ୍ତି ଶୁଣାଇଥିଲେ । କୋର୍ଟ ଦିଲ୍ଲୀ ଏମ୍ସକୁ ନିର୍ଦ୍ଦେଶ ଦେଇଥିଲେ ଯେ ହରିଶଙ୍କୁ 'ପାଲିଏଟିଭ କେୟାର'ରେ ରଖାଯାଉ, ଯାହାଫଳରେ ଏକ ନିର୍ଦ୍ଦିଷ୍ଟ ଯୋଜନା ଅନୁଯାୟୀ, ତାଙ୍କର ଚିକିତ୍ସା ବନ୍ଦ କରାଯାଇପାରିବ ଏବଂ ସେ ସମ୍ମାନର ସହ ମୃତ୍ୟୁବରଣ କରିପାରିବେ । ଗତ ମଙ୍ଗଳବାର ଅପରାହ୍ନ ୪ଟା ୧୦ ମିନିଟରେ ହରିଶ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ଅଙ୍ଗଦାନ କରି ସୃଷ୍ଟି କଲେ ଉଦାହରଣ:
ହରିଶଙ୍କ ମୃତ୍ୟୁ ପରେ ତାଙ୍କ ପିତାମାତା ଶୋକକୁ ଶକ୍ତିରେ ପରିଣତ କରିଥିଲେ । ପୁଅର ଅଙ୍ଗ ଅନ୍ୟ କାହାର ଜୀବନ ବଞ୍ଚାଇପାରିବ ବୋଲି ଭାବି ସେମାନେ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ । ଏମ୍ସ ସୂତ୍ର ଅନୁଯାୟୀ, ହରିଶଙ୍କ ଦୁଇଟି କର୍ଣ୍ଣିଆ ଏବଂ ହୃଦୟର ଭାଲ୍ଭ ଭଳି ଗୁରୁତ୍ୱପୂର୍ଣ୍ଣ ଟିସୁ ଦାନ କରାଯାଇଛି । ଏହି ଅଙ୍ଗଦାନ ଫଳରେ ଏକାଧିକ ବ୍ୟକ୍ତି ନୂଆ ଜୀବନ ପାଇବେ । କେହି ଦୁନିଆ ଦେଖିପାରିବେ ତ କାହାର ଅଚଳ ହୃଦୟ ପୁଣିଥରେ ଜୀବନ ପାଇବ । ହରିଶଙ୍କ ପରିବାର କହିଛନ୍ତି, "ଆମ ପୁଅ ଚାଲିଗଲା ସତ, କିନ୍ତୁ ସେ ଅନ୍ୟ କାହାର ଆଖିରେ ଏହି ଦୁନିଆକୁ ଦେଖିବ ଏବଂ କାହାର ହୃଦୟରେ ସ୍ପନ୍ଦିତ ହେବ । ଏହା ହିଁ ଆମ ପାଇଁ ସବୁଠାରୁ ବଡ଼ ସାନ୍ତ୍ୱନା ।" ସମାଜରେ ଅଙ୍ଗଦାନକୁ ନେଇ ସଚେତନତା ସୃଷ୍ଟି କରିବା ଦିଗରେ ହରିଶ ରାଣା ଓ ତାଙ୍କ ପରିବାରର ଏହି ବଳିଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ।