୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର,୩/୧୨ : ଆସନ୍ତା ୨୪ରୁ ୨୮ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ – ୨୦୨୨ ଆୟୋଜିତ ହେବ। ପୂର୍ବରୁ ବିଭିନ୍ନ କାରଣ ସମେତ କୋଭିଡ୍ ପ୍ରକୋପ ଦେଖା ଦେଇଥିବାରୁ ଗତ ଦୁଇ ବର୍ଷ ମଧ୍ୟ ବିଚ୍ ଫେଷ୍ଟ ଆୟୋଜିତ ହୋଇପାରିନ ଥିଲା । ଏଥର କିନ୍ତୁ ଜିଲ୍ଲା ପ୍ରଶାସନ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶନିବାର ଟ୍ଵିଟର ପୋଷ୍ଟ ଯୋଗେ ଏହି ସୂଚନା ଦେଇଛନ୍ତି ।
ଏଥିସହ ବେଳାଭୂମି ମହୋତ୍ସବର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଛି । ଏହା କଳା, ସଂସ୍କୃତି, ପ୍ରଦର୍ଶନୀ ଓ ମନୋରଞ୍ଜନର ମଞ୍ଚ ସାଜିବ ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ । ବହୁ ପ୍ରତିକ୍ଷୀତ ଏହି ମହୋତ୍ସବ ସକାଶେ ପୂର୍ବରୁ ପ୍ରସ୍ତୁତି ବୈଠକ ହେବା ସହ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ପଦସ୍ଥ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ ।
ଶନିବାର ତାରିଖ ଘୋଷଣା ସହ ଲୋଗୋ ରିଲିଜ୍ କରିଛି ଜିଲ୍ଲା ପ୍ରଶାସନ। ପର୍ଯ୍ୟଟନ ଋତୁରେ ଏହା କେବଳ ସ୍ଥାନୀୟ ନୁହେଁ, ରାଜ୍ୟ- ଦେଶ ଏପରିକି ବିଦେଶର ଟୁରିଷ୍ଟଙ୍କୁ ମଧ୍ୟ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି। ବିଭିନ୍ନ ସରକାରୀ ବିଭାଗର ଷ୍ଟଲ ପ୍ରଦର୍ଶନୀ, ଏସ୍ଏଚଜି ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିବଟା, ଜଳକ୍ରୀଡା, ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ବଡ ସୁଯୋଗ ଆଣିଦେବ ଗୋପାଳପୁର ବେଳାଭୂମି ମହୋତ୍ସବ।