୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ: କଳା, ସଂସ୍କୃତି, ପ୍ରଦର୍ଶନୀ ଓ ମନୋରଞ୍ଜନର ମଞ୍ଚ ଦୁଲୁକିବ

ବ୍ରହ୍ମପୁର,୦୪/୧୨: ଆସନ୍ତା ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ- ୨୦୨୨ ଆୟୋଜିତ ହେବ । ପୂର୍ବରୁ ବିଭିନ୍ନ କାରଣ ସମେତ କୋଭିଡ୍ ପ୍ରକୋପ ଦେଖା ଦେଇଥିବା ଗତ ଦୁଇ ବର୍ଷ ମଧ୍ୟ ବିଚ୍ ଫେଷ୍ଟ ଆୟୋଜିତ ହୋଇପାରି ନଥିଲା । ଏଥର କିନ୍ତୁ ଜିଲ୍ଲା ପ୍ରଶାସନ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶନିବାର ଟ୍ୱିଟର୍ ପୋଷ୍ଟ ଯୋଗେ ଏହି ସୂଚନା ଦେଇଛନ୍ତି । ଏଥିସହ ବେଳାଭୂମି ମହୋତ୍ସବର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଛି । ଏହା କଳା, ସଂସ୍କୃତି, ପ୍ରଦର୍ଶନୀ ଓ ମନୋରଞ୍ଜନର ମଞ୍ଚ ସାଜିବ ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ । ବହୁ ପ୍ରତିକ୍ଷୀତ ଏହି ମହୋତ୍ସବ ସକାଶେ ପୂର୍ବରୁ ପ୍ରସ୍ତୁତି ବୈଠକ ହେବା ସହ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ପଦସ୍ଥ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ । ଆଉ ଶନିବାର ତାରିଖ ଘୋଷଣା ସହ ଲୋଗୋ ରିଲିଜ୍ କରିଛି ଜିଲ୍ଲା ପ୍ରଶାସନ ।
Here’s the official logo and dates for the much awaited ‘Gopalpur Beach Festival-2022’. Stay tuned for further updates. @CMO_Odisha @odisha_tourism @IPR_Odisha #GopalpurBeachFestival2022 pic.twitter.com/DQM8QhZhG4
— Collector & District Magistrate, Ganjam (@Ganjam_Admin) December 3, 2022
ପର୍ଯ୍ୟଟନ ୠତୁରେ ଏହା କେବଳ ସ୍ଥାନୀୟ ନୁହେଁ, ରାଜ୍ୟ- ଦେଶ ଏପରିକି ବିଦେଶର ଟୁରିଷ୍ଟଙ୍କୁ ମଧ୍ୟ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି । ବିଭିନ୍ନ ସରକାରୀ ବିଭାଗର ଷ୍ଟଲ୍ ପ୍ରଦର୍ଶନୀ, ଏସ୍ଏଚ୍ଜିଙ୍କ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିବଟା, ଜଳକ୍ରୀଡା, ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ବଡ ସୁଯୋଗ ଆଣିଦେବ ଗୋପାଳପୁର ବେଳାଭୂମି ମହୋତ୍ସବ ।