ଗୋରଖପୁର, ୨୨/୦୨ : ମନ୍ଦିରରେ ଜମିଥିଲା ଭିଡ଼... ପୂଜାପାଠରେ ବ୍ୟସ୍ତ ଥିଲେ ଲୋକେ। ଅଚାନକ ଶୁଭିଲା ଚିତ୍କାର, ଉଠିଯାଅ ସାପ... ସାପ ! ଆଉ ତାପରେ କେହି କିଛି ନଭାବି ଏଣେତେଣେ ଦୌଡ଼ିଲେ। ଦେଖୁ ଦେଖୁ ହୋଇଗଲା ଠେଲାପେଲା ସ୍ଥିତି। ଆଉ ଏହାର ସୁଯୋଗ ନେଇ ଗହଣା ଲୁଟିନେଲେ ଲୁଟେରା। ତେବେ ଏହା କୌଣସି ସଂଯୋଗ ନଥିଲା କି ଅଚାନକ ଗହଳି ଭିତରକୁ ସାପ ପଶି ଆସିନଥିଲା। ଏହା ଲୁଟ୍‌ ର ଏକ ପାର୍ଟନ ଥିଲା। କେହି କିଛି ବୁଝିବା ପୂର୍ବରୁ ସୁନା ଗହଣା ସବୁ ଖୋଳ ହୋଇଗଲା। ଉତ୍ତର ପ୍ରଦେଶର ଗୋରଖପୁରରୁ ଏଭଳି ଏକ ଡକାୟତ ଗ୍ୟାଙ୍ଗ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗର ୪୧ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩୬ ଜଣ ମହିଳା ରହିଛନ୍ତି। ପୁଲିସ ତଦନ୍ତରୁ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଚୋରଙ୍କ ପାର୍ଟନ ଦେଖି ପୁଲିସ ବି ତାଜୁବ ହୋଇଯାଇଛି। 

ସୂଚନାନୁଯାୟୀ, ୟୁପିର ଗୋରଖପୁର ପୁଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୩୬ ଜଣ ମହିଳାଙ୍କ ସମେତ ୪୧ ଜଣ ପୁରୁଷ ଅଛନ୍ତି। ଏମାନେ ବିଭିନ୍ନ ଜିଲ୍ଲାରେ ମନ୍ଦିର, ମେଳା, ବସ୍, ଅଟୋରେ ଏକାଠି ହୋଇ ବୁଲନ୍ତି। ସୁଯୋଗ ଦେଖି ସୁନା ଗହଣା ଲୁଟି ନିଅନ୍ତି। ୧୧ଟି ଜିଲ୍ଲାରେ ଏମାନଙ୍କ ନେଟୱାର୍କ କାମ କରୁଥିଲା। ମହିଳା ଏହି ଗ୍ୟାଙ୍ଗର ମୂଳ ଅସ୍ତ୍ର ପାଲଟିଥିଲେ। ଏମାନେ ଭିଡ଼ ସ୍ଥାନରେ ପଶି ପ୍ରଥମେ ଲୋକମାନଙ୍କ ସହ ମିଶି ଯାଉଥିଲେ। ଏହାପରେ ଲୋକଙ୍କ ଉପରକୁ ପ୍ଲାଷ୍ଟିକ୍ ସାପ, ବିଛା, ଏବଂ ଝିଟିପିଟି ଫିଙ୍ଗି ଲୋକଙ୍କୁ ଡରାଉ ଥିଲେ। ଲୋକମାନେ ମଧ୍ୟ ଡରି ଏଣେତେଣେ ଦୌଡ଼ୁଥିଲେ। ଠେଲାପେଲାର ସୁଯୋଗ ନେଇ ସୁନା ଗହଣା ଛଡାଇ ନେଇଥିଲେ। 

ଏହି ଲୁଟେରା ଗ୍ୟାଙ୍ଗରେ ସମସ୍ତଙ୍କ କାମ ଭିନ୍ନ ଥିଲା। କିଏ ସାପ ଫୋପାଡୁଥିଲା ତ ଆଉ କିଏ ଚିଲାଉ ଥିଲା। ଆଉ କିଏ ଲୋକଙ୍କୁ ପ୍ୟାନିକ୍ କରିବାକୁ ଏଣେତେଣେ ଦୌଡ଼ି ଠେଲାପେଲା ପରିସ୍ଥିତି ସୃଷ୍ଟି କରୁଥିଲା। ଆଉ କିଏ ଲୁଟିବା ପାଇଁ ଛକି ରହୁଥିଲା। ଲୁଟି ସାରିବା ପରେ ଆଉ ଜଣେ ସଦସ୍ୟକୁ ଦେଇ ଭିଡ଼ରୁ ବାହାରି ଯିବାକୁ କୁହାଯାଉଥିଲା। ଏଭଳି ସ୍ମାର୍ଟ ଉପାୟରେ ସେମାନେ ଲୁଟ୍ କରୁଥିଲେ। କେହି କିଛି ବୁଝିବା ଆଗରୁ ଏମାନେ ଲୁଟି ଫେରାର୍ ହୋଇଯାଉଥିଲେ। ତେବେ ବିଭିନ୍ନ ସ୍ଥାନରୁ ଏଭଳି ସମାନ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ପୁରା ମାମଲା ବୁଝି ପାରିଥିଲା। ପୁଲିସ ଏହି ଗ୍ୟାଙ୍ଗ ଉପରେ ନଜର ରଖିଥିଲା। ତରକୁଲହା ମନ୍ଦିର ପରିସରରେ ଏହି ଗ୍ୟାଙ୍ଗ ସକ୍ରିୟ ଥିବା ଜାଣି ଚୌରିଚୌରା ପୁଲିସ ପୂର୍ବ ପ୍ରସ୍ତୁତି କରିଥିଲା। ସାଧା ପୋଷାକରେ ଟିମ୍ ନିୟୋଜିତ କରାଯାଇଥିଲା। 

ଏହି ସମୟରେ ଲୁଟେରା ଗ୍ୟାଙ୍ଗ ଲୁଟ୍ କରିବା ବେଳେ ପୁଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରି ଦେଇଥଲା। ଘଟଣାସ୍ଥଳରୁ ୧୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପରେ ଏହି ଘଟଣାର ଛାନଭିନ୍ କରି ପୁଲିସ ୪୧ ଜଣଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ଛାନଭିନ୍ ଚାଲିଛି। 

ଏହି କବରଟିକୁ ପଢନ୍ତୁ- ବାହାହେବାକୁ କହି ଡାକିଲେ, ସୁନା ଗହଣା ଲୁଟିନେଲେ