ଡବ୍ଲ୍ୟୁଟିଓକୁ ରାଜ୍ୟପାଳଙ୍କ ଅନୁରୋଧ: ବିଶ୍ୱ ବଜାରରେ ପହଞ୍ଚାଅ ଏସ୍ଏଚ୍ଜି ସାମଗ୍ରୀ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ଓଡ଼ିଶାର ସ୍ୱୟଂସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଅ । ପ୍ରମୁଖ ଆନ୍ତର୍ଜାତିକ ବଜାରରେ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ କରାଅ । ସାରା ବିଶ୍ୱର ଲୋକଙ୍କ ଦ୍ୱାରା ଓଡ଼ିଶା ଏସ୍ଏଚ୍ଜି ସାମଗ୍ରୀ ଲୋକପ୍ରିୟ ହୋଇପାରିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶନିବାର ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)କୁ ଏଭଳି ଅନୁରୋଧ କରିଛନ୍ତି ।
ଡବ୍ଲ୍ୟୁଟିଓ ଭୁବନେଶ୍ୱର ସେଣ୍ଟର ପକ୍ଷରୁ ଜୁନ୍ ୨୨କୁ ବିଶ୍ୱ ବାଣିଜ୍ୟ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଓଡ଼ିଶା ନିଜ ଖାଦ୍ୟ ସାମଗ୍ରୀ ଜରିଆରେ ବିଶ୍ୱର ଯେକୌଣସି ରାଷ୍ଟ୍ରରେ ବ୍ୟବସାୟ ସମ୍ପ୍ରସାରଣ କରିବାର କ୍ଷମତା ରଖିଛନ୍ତି । କିନ୍ତୁ ଏଥିପାଇଁ ଓଡ଼ିଆ ସାମଗ୍ରୀକୁ ବିଶ୍ୱ ବଜାରରେ ପ୍ରଦର୍ଶନ କରିବାର ସୁଯୋଗ ମିଳିବା ଉଚିତ । ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି, କୌଣସି ଶିଳ୍ପ ପାଇଁ ଏକ ଭିଜନ ଓ ନିର୍ଦ୍ଦିଷ୍ଟ ନୀତି ରହିବା ଦରକାର । ଓଡ଼ିଆମାନେ ବିଶ୍ୱକୁ ବଜାର ନୁହଁ, ପରିବାର ବୋଲି ବିଚାର କରନ୍ତି । ଏଣୁ ଚୀନ୍ ଓ ଆମେରିକା ଭଳି ଆନ୍ତର୍ଜାତିକ ବଜାରରେ ଓଡ଼ିଶାର ଏସ୍ଏଚ୍ଜିଗୁଡ଼ିକର ସାମଗ୍ରୀକୁ ପ୍ରଦର୍ଶିତ କରାଅ । ନିଜର ସ୍ୱତନ୍ତ୍ର ସାମଗ୍ରୀ ଜରିଆରେ ସେମାନେ ବିଶ୍ୱବାସୀଙ୍କ ମନ ଜିଣିପାରିବେ ଓ ବ୍ୟବସାୟ ସୁଦୃଢ଼ କରିପାରିବେ ।
ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ରାଜ୍ୟ ସରକାର ଓଡ଼ିଶାରେ ଏକ କ୍ଷୁଦ୍ର ଓ ମଧ୍ୟମ ବାଣିଜ୍ୟ ଅନୁକୂଳ ଇକୋସିଷ୍ଟମ ସୃଷ୍ଟି ପାଇଁ ପ୍ରତିବଦ୍ଧ । ଏମ୍ଏସ୍ଏମ୍ଇ ସ୍ଥାପନ ପାଇଁ ଏଠାରେ ମାନବସମ୍ବଳ, ଦକ୍ଷତାଠାରୁ ଆରମ୍ଭ କରି ସବୁକିଛି ରହିଛି । ଓଡ଼ିଶାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ଦେଶରେ ସର୍ବୋତ୍ତମ । ଓଡ଼ିଶାକୁ ଏକ ରପ୍ତାନିଶୀଳ ରାଜ୍ୟରେ ପରିଣତ କରିବାକୁ ରାଜ୍ୟ ସରକାର ପ୍ରଚେଷ୍ଟା କରୁଛନ୍ତି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଡବ୍ଲ୍ୟୁଟିଓ ଭୁବନେଶ୍ୱର ଅଧ୍ୟକ୍ଷ କ୍ୟାପଟେନ୍ ସୋମେଶ ବାତ୍ରା, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଡ. ନୀତିନ୍ ଜାୱଲେ, ଏମ୍ଏସ୍ଏମ୍ଇ ସଚିବ ଏଲ୍ ଏନ୍ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।