ନୂଆଦିଲ୍ଲୀ, ୧୧।୬: ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ଵସ୍ତିକର ଖବର । ସରକାର ପେଟ୍ରୋଲ୍ ଦରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଏବେ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ଉପରୁ ଉତ୍ପାଦ ଶୁଳ୍କ ବା ଏକ୍ସାଇଜ୍ ଡ୍ୟୁଟିକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ୨୨% ରୁ ୩୦% ଏଥାନଲ୍ ମିଶ୍ରିତ ପେଟ୍ରୋଲ୍ ଉପରେ ଆଉ କୌଣସି ଏକ୍ସାଇଜ୍ ଡ୍ୟୁଟି ଲାଗିବ ନାହିଁ । ଏହି ନିଷ୍ପତ୍ତି ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଉପହାର ସଦୃଶ ହୋଇଥିବା ବେଳେ ଏହାଦ୍ଵାରା ଚାଷୀମାନେ ମଧ୍ୟ ଲାଭବାନ ହେବେ ।
ଚାଷୀ ଓ ଜନତା ଉଭୟଙ୍କୁ ମିଳିବ ଲାଭ:
ବଜାରରେ ଏଥାନଲ୍ ଯୁକ୍ତ ଶସ୍ତା ପେଟ୍ରୋଲ୍ର ଚାହିଦା ବଢ଼ିଲେ, ଏହାର ସିଧାସଳଖ ଫାଇଦା ଦେଶର ଚାଷୀମାନଙ୍କୁ ମିଳିବ । କାରଣ ଇଥାନଲ୍ର ଉତ୍ପାଦନ ମୁଖ୍ୟତଃ ଆଖୁ, ମକା ଏବଂ ନଷ୍ଟ ହୋଇଯାଇଥିବା ଶସ୍ୟରୁ କରାଯାଇଥାଏ । ଅନ୍ୟପଟେ, ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୧୪ ଡଲାରରେ ପହଞ୍ଚିଛି । ଏହାଦ୍ଵାରା ଦେଶର ଆମଦାନୀ ଖର୍ଚ୍ଚ କ୍ରମାଗତ ଭାବେ ବଢ଼ୁଛି । ଏହି ସମସ୍ୟାର ମୁକାବିଲା କରିବା ପାଇଁ ଏବଂ ଭାରତୀୟ ମୁଦ୍ରାର ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ଏହି ବିକଳ୍ପ ଇନ୍ଧନ ଉପରେ ଅଧିକ ଜୋର୍ ଦେଉଛନ୍ତି ।
କ’ଣ ଏହି ଏକ୍ସାଇଜ୍ ଡ୍ୟୁଟି ?
ଏକ୍ସାଇଜ୍ ଡ୍ୟୁଟି ବା ଉତ୍ପାଦ ଶୁଳ୍କ ହେଉଛି ଏକ ପ୍ରକାର ଇନଡିରେକ୍ଟ ଟ୍ୟାକ୍ସ, ଯାହା ଦେଶ ଭିତରେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଉପରେ ଲାଗିଥାଏ । ବିଶେଷ କରି ମଦ, ତମାଖୁ ଏବଂ ପେଟ୍ରୋଲିୟମ ଜାତ ଦ୍ରବ୍ୟ ଉପରେ ଏହି ଶୁଳ୍କ ଲାଗୁ କରାଯାଇଥାଏ । ଶୂନ୍ୟ ଏକ୍ସାଇଜ୍ ଡ୍ୟୁଟିର ନିୟମ ଓ ସର୍ତ୍ତ ବିଷୟରେ ଆସନ୍ତୁ ଜାଣିବା । ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ, ୨୨%, ୨୫%, ୨୭% ଏବଂ ୩୦% ଇଥାନଲ୍ ମିଶ୍ରଣ ଥିବା ପେଟ୍ରୋଲ୍ ଉପରୁ ଏକ୍ସାଇଜ୍ ଡ୍ୟୁଟି ଛାଡ଼ କରାଯାଇଛି । ଏହି ଇନ୍ଧନ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ (BIS) ର ନିୟମ ଏବଂ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ଆବଶ୍ୟକ ।
E20 ନା E85: କେଉଁ ଇନ୍ଧନ ଅଧିକ ଶସ୍ତା ?
ଦେଶରେ ପୂର୍ବରୁ ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ଅର୍ଥାତ୍ E20 କୁ ପ୍ରୋତ୍ସାହନ ଦିଆଯାଉଥିଲା । ମାତ୍ର ବିଶ୍ଵ ବଜାରର ସ୍ଥିତିକୁ ଦେଖି ଭାରତ ସରକାର ନିକଟରେ E85 ଇନ୍ଧନକୁ ବଜାରରେ ଲଞ୍ଚ କରିଛନ୍ତି । E85 ଇନ୍ଧନରେ ୮୫ ପ୍ରତିଶତ ଇଥାନଲ୍ ଏବଂ ୧୫ ପ୍ରତିଶତ ପେଟ୍ରୋଲ୍ ରହିଥାଏ । ବିଶେଷ କଥା ହେଉଛି, ଏହି E85 ଇନ୍ଧନ, E20 ପେଟ୍ରୋଲ୍ ତୁଳନାରେ ପ୍ରତି ଲିଟର ପିଛା ପ୍ରାୟ ୨୦ ଟଙ୍କା ଶସ୍ତା ମିଳିବ ।
ଆହୁରି ପଢ଼ନ୍ତୁ... ଦେଶର କୋଣ କୋଣରେ ପହଁଞ୍ଚିବ ପବ୍ଲିକ Wi-Fi, ଆମାଜନ୍ ଆଣୁଛି ମେଗା ପ୍ଲାନ୍