ନୂଆଦିଲ୍ଲୀ : ସରକାର ସୋମବାର ଦିନ ଲୋକସଭାରେ ପରମାଣୁ ଶକ୍ତି କ୍ଷେତ୍ରରେ ଘରୋଇ ଅଂଶଗ୍ରହଣକୁ ଅନୁମତି ଦେଇ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନୟନ ବିଲ୍,୨୦୨୫ (ଶାନ୍ତି ବିଲ୍ ,୨୦୨୫)କୁ ଆଗତ କରିଛନ୍ତି। ସରକାର କହିଛନ୍ତି ଯେ, ଯେ ଏହି ବିଧେୟକ ବା ବିଲ୍ ଦେଶର ପରମାଣୁ ଶକ୍ତି କ୍ଷେତ୍ରରେ ୧୯୬୨ପରେ ସବୁଠାରୁ ବଡ଼ ସଂସ୍କାର ଆଣିବାକୁ ଯାଉଛି। ସୋମବାର ପରମାଣୁ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହାକୁ ଲୋକସଭାର ପୂରକ କାର୍ଯ୍ୟସୂଚୀରେ ସାମିଲ କରି ଗୃହରେ ଆଗତ କରିଛନ୍ତି।
ସରକାରଙ୍କ ମୁତାବିକ, ବିଲର ପ୍ରାଥମିକ ଉଦ୍ଦେଶ୍ୟ ପରମାଣୁ ଶକ୍ତିର ସୁରକ୍ଷିତ ଏବଂ ସ୍ଥାୟୀ ବ୍ୟବହାରକୁ ବୃଦ୍ଧି କରିବା , ଯାହା ବିଦ୍ୟୁତ୍ ଉତ୍ପାଦନର ବ୍ୟତୀତ ସ୍ୱାସ୍ଥ୍ୟ (କର୍କଟ ଚିକିତ୍ସା), କୃଷି (ଫସଲ ସଂରକ୍ଷଣ ଏବଂ ବିକିରଣ), ଜଳ ବିଶୋଧନ, ଶିଳ୍ପ, ପରିବେଶ ସୁରକ୍ଷା ତଥା ବୈଜ୍ଞାନିକ ନବସୃଜନ ଭଳି କ୍ଷେତ୍ରରେ ବିଦ୍ୟୁତ୍ ଏହାର ବ୍ୟାପକ ଲାଭ ମିଳି ପାରିବ। ସରକାର ଏହା ମଧ୍ୟ କହିଛନ୍ତି ଯେ, ବିଲ ସବୁଠୁ ବଡ଼ ଶକ୍ତି ଏହା ଯେ, ଏହା ଘରୋଇ କ୍ଷେତ୍ର (ଘରୋଇ ଏବଂ ବିଦେଶୀ କମ୍ପାନୀ ଗୁଡ଼ିକ)କୁ ପରମାଣୁ ଶକ୍ତି ପ୍ରକଳ୍ପରେ ନିବେଶର ଅନୁମତି ଦେଇଥାଏ। ବିଲରେ କରାଯାଉ ଥିବା ପ୍ରାବଧାନ ଗୁଡ଼ିକରେ ୨୦୪୭ ସୁଦ୍ଧା ଭାରତରେ ୧୦୦ ଗିଗାୱାଟ୍ ପରମାଣୁ କ୍ଷମତାର ମହତ୍ବାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ଆଶା କରାଯାଉଛି , ବିଶେଷ କରି ଛୋଟ ଛୋଟ ମଡ୍ୟୁଲର ରିଆକ୍ଟର (ଏସଏମଆର) ମାଧ୍ୟମରେ।
ବିଲରେ କ'ଣ କଣ ରହିଛି ?
ଏହି ବିଲ୍ ପରମାଣୁ ଶକ୍ତି ଅଧିନିୟମ ୧୯୬୨ ଏବଂ ସିଭିଲ ନ୍ୟୁକ୍ଲିୟର ଡ୍ୟାମେଜ୍ ଲିଆବିଲିଟି ଆକ୍ଟ ୨୦୧୦ (ବେସାମରିକ ପରମାଣୁ କ୍ଷତି ଦାୟିତ୍ବ ଆଇନ ୨୦୧୦) କୁ ବାତିଲ କରି ଏକ ନୂଆ, ଏକୀକୃତ ଆଇନ ତିଆରି କରିବାକୁ ଯାଉଛି। ବିଲରେ ସ୍ୱାଧୀନ ପରମାଣୁ ସୁରକ୍ଷା ନିୟାମକ ସ୍ଥାପନ, ଦାୟିତ୍ଵର ନିୟମରେ ସଂଶୋଧନ, ବିବାଦ ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଓ କୌଣସି ବି ପ୍ରକାରର କ୍ଷତି ଉପରେ ଦାବି ପ୍ରଦାନ କରିବାର ପ୍ରାବଧାନ ମଧ୍ୟ କରାଯାଇଛି।
ସରକାର କହିଛନ୍ତି ଯେ, ଏହି ବିଲ୍ 'ବିକଶିତ ଭାରତ ୨୦୪୭'ର ଭିଜନର ଏକ ଅଂଶ ଏବଂ ଏହା ପରମାଣୁ ପ୍ରଯୁକ୍ତିବିଦ୍ୟାକୁ ଏକ ସ୍ୱଚ୍ଛ, ସ୍ଥିର ଓ ମୂଳ ଶକ୍ତି ଉତ୍ସ ଭାବରେ ପ୍ରତିଷ୍ଠା କରି ଜଳବାୟୁ-ଅନୁକୂଳ ବିକାଶକୁ ପ୍ରୋତ୍ସାହିତ କରିବ।