କଟକ, ୧୧।୫: ଗୋଟିଏ ସମୟରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ଏବଂ ଜଳକ୍ରୀଡ଼ା ପାଇଁ ଆକର୍ଷଣୀୟ ସ୍ଥାନ ପାଲଟିଥିବା ଯୋବ୍ରା ନିକଟ ତାଳଦଣ୍ଡା ବୋଟିଂ ଏବଂ ବ୍ୟଞ୍ଜନ ପରିସର ଏବେ ଏକ ପ୍ରକାର ଅଲୋଡ଼ା ହୋଇପଡ଼ିଛି । ନା ଏଠାରେ ବୋଟିଂ ହୋଇପାରୁଛି ନା ଫୁଡ୍ କୋର୍ଟ ଠିକ୍ରେ ଚାଲୁଛି । ତାଳଦଣ୍ଡା କେନାଲରେ ପାଣି ଅଭାବରୁ ବୋଟିଂ ହୋଇପାରୁ ନଥିବା ବେଳେ ପର୍ଯ୍ୟଟକ ଅଭାବ ପାଇଁ ବ୍ୟବସାୟ ପ୍ରଭାବିତ ହେବାରୁ ଏକାଧିକ ଷ୍ଟଲ୍ ବନ୍ଦ ହୋଇ ଯାଇଛି । ତେବେ କେବଳ ବୋଟିଂ ଛଡ଼ା ଏଠାରେ ଅନ୍ୟ କୌଣସି ମନୋରଞ୍ଜନର ବ୍ୟବସ୍ଥା ନଥିବାରୁ ଦିନକୁ ଦିନ ଏହି ସ୍ଥାନ ପର୍ଯ୍ୟଟକ ଶୂନ୍ୟ ହେବାକୁ ବସିଛି । ଏପରି ସ୍ଥିତିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) କରିଥିବା ଏହି ପ୍ରକଳ୍ପ ଆର୍ଥିକ କ୍ଷତିରେ ଚାଲୁଥିବା ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ କରାଯାଇଥିବା ଏହି ବ୍ୟବସ୍ଥା ଏକପ୍ରକାର ଫେଲ୍ ମାରିଛି ।

କଟକ ସହରକୁ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବା ପାଇଁ ପୂର୍ବ ସରକାର ତାଳଦଣ୍ଡା କେନାଲକୁ ପୁନରୁଦ୍ଧାର କରିବା ସହ ଏଠାରେ ବୋଟିଂ ସହ ମନୋରଞ୍ଜନ ପାର୍କ ଏବଂ ଫୁଡକୋର୍ଟ ଆରମ୍ଭ କରିଥିଲେ । ଓଟିଡିସି ପକ୍ଷରୁ ହୋଇଥିବା ଏହି ପ୍ରକଳ୍ପରେ ୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୩ ମସିହାରେ ଏହାକୁ ଉଦ୍ଘାଟନ କରାଯାଇଥିଲା । ଏହି ମନୋରଞ୍ଜନ ପାର୍କରେ ମୁକ୍ତାକାଶ ଫୁଡ୍ କୋର୍ଟଠାରୁ ଆରମ୍ଭ କରି ସେଲ୍ଫି ଜୋନ୍ ଏବଂ ଡାଇନିଂ ସ୍ପେସ୍ ଭଳି ବ୍ୟବସ୍ଥା କରାଯାଇଛି । ଏହା ବ୍ୟତିତ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ତାଳଦଣ୍ଡା କେନାଲରେ ଜଳକ୍ରୀଡ଼ାର ମଜା । ପ୍ରକଳ୍ପ ଆରମ୍ଭରୁ ଏଠାରେ କାଶ୍ମୀର ଶିକାରା ଭଳି ବୋଟିଂ ସୁବିଧା ମିଳିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସି ଏଠାରେ ବୋଟିଂର ମଜା ନେଇଥିଲେ । ତେଣୁ ଏହି ପ୍ରକଳ୍ପ ସଫଳ ହେବାରୁ ତାଳଦଣ୍ଡାରେ ଇଟାଲୀର ଗୋଣ୍ଡାଲା ବୋଟ୍ ଚଳାଇବାକୁ ଯୋଜନା ହୋଇଥିଲା । କିନ୍ତୁ ବର୍ଷା ଋତୁରେ ତାଳଦଣ୍ଡା କେନାଲରେ ପାଣି ରହୁଥିବା ବେଳେ ଅନ୍ୟ ସମୟରେ କେନାଲରେ ପାଣି ଛଡ଼ା ହେଉ ନଥିବାରୁ ବୋଟିଂ ହୋଇପାରିଲା ନାହିଁ ।

ସେହିପରି କେନାଲରେ ପାଣି ରଖିବା ପାଇଁ କୌଣସି ଗେଟ୍ ନଥିବାରୁ ଏହା ସମ୍ଭବ ହୋଇପାରିଲା ନାହିଁ । ଏପରି ସ୍ଥିତିରେ ବର୍ଷ ବର୍ଷ ଧରି ବୋଟିଂ ବନ୍ଦ ରହିବା ପରେ ଗତବର୍ଷ ନୂଆବଜାର ନିକଟରେ ଗେଟ୍ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ଏହି ପ୍ରକଳ୍ପ ଶେଷ ହେବାକୁ ସମୟ ଲାଗୁଥିବାରୁ ବୋଟିଂ ଆରମ୍ଭ ହୋଇପାରୁନାହିଁ । ଫଳରେ ପର୍ଯ୍ୟଟକ ଫେରିବା ସହ ଜେଟିରେ ପଡ଼ି ରହିଥିବା ବୋଟ୍ ଗୁଡ଼ିକ ନଷ୍ଟ ହୋଇଗଲାଣି । ଏଣେ ଫୁଡକୋର୍ଟ ଚାଲିପାରୁନାହିଁ । ଆଶାନୁରୂପ ବ୍ୟବସାୟ ନହେବାରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଚଳାଉଥିବା ୩ଟି ଫୁଡ୍ ଷ୍ଟଲ୍ ଏଠାରେ ବନ୍ଦ ହୋଇଯାଇଛି । ସନ୍ଧ୍ୟାରେ କାଁ ଭାଁ ଛାତ୍ରଛାତ୍ରୀ ଆସୁଥିଲେ ବି ପରିବାର ସହ କେହି ଆସୁନାହାନ୍ତି । ଛୋଟ ପିଲାଙ୍କ ଖେଳିବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ । ତେଣୁ ମନୋରଞ୍ଜନ ପାଇଁ ଏଠାରେ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଦିନକୁ ଦିନ ଏହି ସ୍ଥାନରୁ ଲୋକେ ମୁହଁ ଫେରାଉଛନ୍ତି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଓଟିଡିସିର ଅଧିକାରୀ ଅରୁଣ କୁମାର ଜେନା କହିଛନ୍ତି, ତାଳଦଣ୍ଡାରେ ମୁଖ୍ୟତଃ ପାଣି ଅଭାବରୁ ବୋଟିଂ ହୋଇପାରୁନି ।

ଆହୁରି ପଢ଼ନ୍ତୁ... ଜଗତସିଂହପୁରରେ ଶିଶୁ ସୁରକ୍ଷା ବିପନ୍ନ: ବାଲ୍ୟବିବାହର କରୁଣ ପରିଣତି, ଗର୍ଭବତୀ ହେଲେ ନାବାଳିକା !