ନୂଆଦିଲ୍ଲୀ: ପଳାତକ ବିଜୟ ମାଲ୍ୟା ଏବଂ ନୀରବ ମୋଦୀ ଭଳି ଅପରାଧୀଙ୍କ ପାଖରୁ ସରକାର ୨୨,୨୮୦ କୋଟି ଟଙ୍କାର ସଂପତ୍ତି ଆଦାୟ କରିଛନ୍ତି । ଏହି ସଂପତ୍ତି ବିଭିନ୍ନ ବ୍ୟାଙ୍କ ଏବଂ ଏହାର ଦାବିଦାରଙ୍କୁ ଫେରାଇ ଦିଆଯାଇଛି । ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରକୃତ ଦାବିଦାରଙ୍କୁ ୨୨,୨୮୦ କୋଟି ଟଙ୍କାର ସଂପତ୍ତି ଫେରାଇଛି ଏବଂ ଆର୍ଥିକ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । 

କେନ୍ଦ୍ରମନ୍ତ୍ରୀ ସୀତାରମଣ କହିଛନ୍ତି, ପଳାତକ ବିଜୟ ମାଲ୍ୟାଙ୍କ ପାଖରୁ ୧୪, ୧୩୧.୬ କୋଟି ଟଙ୍କାର ସଂପତ୍ତି ଜବତ କରିବା ସହ ସମ୍ବନ୍ଧିତ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି । ସେହିଭଳି ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ପାଖରୁ ୧,୦୫୨.୫୮ କୋଟି ଟଙ୍କାର ସଂପତ୍ତି ମଧ୍ୟ ବ୍ୟାଙ୍କକୁ ଫେରାଇ ଦିଆଯାଇଛି । ମେହୁଲ ଚୋକସି ମାମଲାରେ ୨୫୬୫.୯୦ କୋଟିର ସଂପତ୍ତି ଜବତ ହୋଇଥିବା ବେଳେ ଏହାର ନିଲାମ କରାଯିବ ବୋଲି ସୀତାରମଣ କହିଛନ୍ତି । 

ସେ ଆହୁରି କହିଛନ୍ତି, ନ୍ୟାସନାଲ ସ୍ପଟ ଏକ୍ସଚେଞ୍ଜ ଲିମିଟେଡ୍‌ (ଏନଏସ୍‌ଇଏଲ୍‌) ମାମଲାରେ ଆର୍ଥିକ ହେରଫେରର ଶିକାର ହୋଇଥିବା ନିବେଶକଙ୍କୁ ୧୭ କୋଟି ୪୭ ଲକ୍ଷ ଟଙ୍କା ଫେରାଇ ଦିଆଯାଇଛି । ଇଡି  ଏସବୁ ମାମଲାରେ ପାଖାପାଖି ୨୨,୨୮୦ କୋଟି ଟଙ୍କାର ସଂପତ୍ତି ସଫଳତାପୂର୍ବକ ହାସଲ କରିଛି । ଆମେ କୌଣସି ଦୁର୍ନୀତିଖୋରଙ୍କୁ ଛାଡ଼ିବୁ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି । ନିର୍ମଳା ସୀତାରମଣ କହିଛନ୍ତି ଯେ, ‘ଦେଶ ଛାଡ଼ି ଚାଲିଗଲେ ବି ଆମେ କାହାକୁ ଛାଡ଼ିବୁ ନାହିଁ । ଆମେ ସେମାନଙ୍କ ପଛରେ ପଡ଼ିଯିବୁ । ଇଡି ଏହି ସବୁ ଟଙ୍କା ଏକାଠି କରି ବ୍ୟାଙ୍କୁକୁ ଫେରାଇ ଦେଇଛି । ଆର୍ଥିକ ହେରଫେର କରି ପଳାୟନ କରିଥିବା କୌଣସି ବ୍ୟକ୍ତିଙ୍କୁ ନିସ୍ତାର ମିଳିବ ନାହିଁ ।’ 

ସେପଟେ ବିଦେଶରେ ଥିବା କଳା ଟଙ୍କା ଫେରସ୍ତ ପ୍ରସଙ୍ଗରେ କେତେ ଜଣ ସାଂସଦଙ୍କ ପ୍ରଶ୍ନରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ୨୦୧୫ରେ ଆସିଥିବା କଳା ଧନ ଅଧିନିୟମ ବାସ୍ତବରେ କରଦାତାଙ୍କୁ ସଜାଗ ରହିବାକୁ ବାଧ୍ୟ କରୁଛି । ବିଦେଶରେ କଳା ଟଙ୍କା ରଖିଥିବା ଲୋକେ ସ୍ବୟଂ ଆସି ତଥ୍ୟ ଦେବାକୁ ଚାହୁଁଛନ୍ତି ।