ଭୁବନେଶ୍ୱର, ୨୫।୧୧ : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ସ୍କୁଲ ମାନଙ୍କରେ ସ୍ମାର୍ଟ କ୍ଲାସ ରୁମ୍ ବୋର୍ଡ ସ୍ଥାପନ କରାଯାଇଛି। ଏହା ପରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ବ୍ୟବସ୍ଥାରେ କଣ ପ୍ରଭାବ ରହିଛି ଏହା ଉପରେ ମୂଲ୍ୟାଙ୍କନ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି।
ରାଜଭବନର ନିଉ ଅଭିଷେକ ହଲଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାଲକାନଗିରି, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ, ରାୟଗଡ଼ା ଏବଂ ମନବରଙ୍ଗପୁର ଜିଲ୍ଲାର ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ,ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିବା ଅବସରରେ ରାଜ୍ୟପାଳ ଏଭଳି ଗୁରୁତ୍ୱାରୋପ କରିଛନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) ପଦକ୍ଷେପ ଅଧୀନରେ ଉପରୋକ୍ତ ସାତଟି ଜିଲ୍ଲାର ୪୬ଟି ଏସଏସଡି ସ୍କୁଲରେ ସ୍ମାର୍ଟ ଇଣ୍ଟରାକ୍ଟିଭ୍ ପ୍ୟାନେଲ୍ ସ୍ଥାପନ କରାଯାଇଛି।
ରାଜ୍ୟପାଳ କହିଥିଲେ ଯେ, ଏପରି ମୂଲ୍ୟାଙ୍କନ ପ୍ରଯୁକ୍ତିବିଦ୍ୟା-ସକ୍ଷମ ଶିକ୍ଷାର ପ୍ରଭାବକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିବ । ଏ ଦିଗରେ ସହଯୋଗ ପ୍ରଦାନ କରିବାକୁ ଅଧିକ ସଂଗଠନକୁ ଉତ୍ସାହିତ କରିବ। ଛାତ୍ରଛାତ୍ରୀମାନେ ରାଜ୍ୟପାଳଙ୍କ ସହ କଥା ହୋଇ ଡିଜିଟାଲ୍ ଶ୍ରେଣୀଗୃହଗୁଡ଼ିକ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ ଏବଂ ବୁଝିବା ସହଜ କରିଛି ବୋଲି କହିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅଂଶଗ୍ରହଣ, ଉନ୍ନତ ଶିକ୍ଷଣ ଫଳାଫଳ ଏବଂ ବିଜ୍ଞାନ ଏବଂ ଗଣିତ ଭଳି ବିଷୟ ପ୍ରତି ଆଗ୍ରହ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ।
ରାଜ୍ୟପାଳ କହିଥିଲେ ଯେ, ସ୍ମାର୍ଟ ଶ୍ରେଣୀଗୃହଗୁଡ଼ିକ ନିଶ୍ଚିତ ଭାବରେ ଶୈକ୍ଷିକ ପ୍ରଦର୍ଶନ ବୃଦ୍ଧି, ଶିକ୍ଷଣ କ୍ଷମତାକୁ ସୁଦୃଢ଼ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜିଜ୍ଞାସା ବୃଦ୍ଧି କରିବାରେ ସାହାଯ୍ୟ କରିବ। ପ୍ରଯୁକ୍ତିବିଦ୍ୟା ଜନଜାତି ପିଲାଙ୍କ ଶିକ୍ଷାରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିପାରିବ।ରାଜ୍ୟର ଜନଜାତି ଝିଅମାନଙ୍କ ମଧ୍ୟରେ ସାକ୍ଷରତା ସ୍ତରକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ଭିତ୍ତିକ ପ୍ରୟାସର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।
ଭାରତୀୟ ଷ୍ଟେଟ ବ୍ୟାଙ୍କର ସହଯୋଗ ପାଇଁ ରାଜ୍ୟପାଳ ଧନ୍ୟବାଦ ଜଣାଇଥିଲେ । ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ସମନ୍ୱିତ ପ୍ରୟାସକୁ ପ୍ରଶଂସା କରିଥିଲେ। ଏସଟି ଏବଂ ଏସସି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ବି. ପରମେଶ୍ୱରନ, ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ, ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ର ଚିଫ ଜେନେରାଲ ମ୍ୟାନେଜର ରତ୍ନ ତେଜା ଦିନକର ଆକେଲାଙ୍କ ସମେତ ରାଜଭବନର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।