ନୂଆଦିଲ୍ଲୀ, ୧୦।୧୧: ଆମେ ଘର ସଫା କରିବା ସମୟରେ ଅନେକ ପୁରୁଣା ଏବଂ ଅଦରକାରୀ ଜିନିଷ ବାହାରିଥାଏ । ଏସବୁ ଜିନିଷକୁ କବାଡ଼ି ବାଲାକୁ ବିକି ଦିଅନ୍ତି । ଫଳରେ ଦୁଇଟି ଲାଭ ମିଳିଥାଏ । ପ୍ରଥମଟି ହେଉଛି ଘରେ ଅଦରକାରୀ ଜିନିଷ ରହେନି ଅନ୍ୟଟି ହେଉଛି ଅଳିଆ ବଦଳରେ ଟଙ୍କା ମିଳିଯାଏ । କେନ୍ଦ୍ର ସରକାର ମଧ୍ୟ ସମାନ ଉପାୟ ଆପଣେଇଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ୱଚ୍ଛତା ଅଭିଯାନର ମାତ୍ର ଗୋଟିଏ ମାସରେ ୮୦୦ କୋଟି ଟଙ୍କା ରୋଜଗାର କରିଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ଭିନ୍ନ ଭିନ୍ନ ମନ୍ତ୍ରଣାଳୟରେ ଥିବା ୨.୩୨ କୋଟି ବର୍ଗଫୁଟର ଅଳିଆ ଜାଗା ମଧ୍ୟ ସଫା କରାଯାଇଥିଲା ।
୨ରୁ ୩୧ ଅକ୍ଟୋବର ଯାଏଁ ଚାଲିଥିଲା ଅଭିଯାନ:
ଅଧିକାରୀଙ୍କ ଅନୁଯାୟୀ, ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରୁ ଅଳିଆ ବିକ୍ରୟରୁ କେନ୍ଦ୍ର ସରକାର ପ୍ରାୟ ୮୦୦ କୋଟି ଆୟ କରିଛନ୍ତି । ପ୍ରାୟ ଗୋଟିଏ ମାସ ଅର୍ଥାତ୍ ଅକ୍ଟୋବର ୨ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିଥିଲା ।
୫ ବର୍ଷରେ ଅଳିଆ ବିକ୍ରିରୁ ୪,୧୦୦ କୋଟି ରୋଜଗାର:
ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ଅଭିଯାନ ୨୦୨୧ ମସିହାରେ ଆରମ୍ଭ ହୋଇଥିଲା । ସେବେଠାରୁ ସରକାର ଅଳିଆ ଏବଂ ପୁରୁଣା ସମ୍ପତ୍ତି ବିକ୍ରି କରି ପ୍ରାୟ ୪୧୦୦ କୋଟି ରୋଜଗାର କରିଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ଅଭିଯାନ ଅଧୀନରେ ପ୍ରାୟ ୧୧.୫୮ ଲକ୍ଷ କାର୍ଯ୍ୟାଳୟକୁ କଭର୍ କରାଯାଇଛି ଏବଂ ଏହାକୁ ପ୍ରଶାସନିକ ସୁଧାର ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ସମନ୍ୱିତ କରାଯାଇଥିଲା ।
ଅଭିଯାନ ତଦାରଖ କରିଥିଲେ ୩ କେନ୍ଦ୍ରମନ୍ତ୍ରୀ:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା ଏବଂ ସୁଶାସନ ଆହ୍ୱାନରେ ଅନୁପ୍ରାଣିତ ହୋଇ ବାର୍ଷିକ ସ୍ୱଚ୍ଛତା ଏବଂ ଦକ୍ଷତା ଅଭିଯାନ ଏବେ ପ୍ରଶାସନିକ ସଂସ୍କାରର ମୂଳଦୁଆ ପାଲଟିଛି । ଅଧିକାରୀମାନେ କହିଛନ୍ତି ଯେ ୩ ଜଣ କେନ୍ଦ୍ର ମନ୍ତ୍ରୀ, ମନସୁଖ ମାଣ୍ଡଭିଆ, କେ. ରାମ ମୋହନ ନାଇଡୁ ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଶାଳ ପ୍ରୟାସର ତଦାରଖ କରିଥିଲେ, ଯେଉଁଥିରେ ବିଦେଶରେ ଭାରତର ମିଶନ ସମେତ ୮୪ଟି ମନ୍ତ୍ରଣାଳୟ ଏବଂ ବିଭାଗ ସାମିଲ ଥିଲେ ।
ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୫.୦:
ଗତ ମାସରେ ରାଜଧାନୀ ଦିଲ୍ଲୀର ନେହେରୁ ପାର୍କରେ 'ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୫.୦' ଅଭିଯାନର ଶୁଭାରମ୍ଭ ଅବସରରେ କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଥିଲେ ଯେ, ଏହି ଅଭିଯାନ ପ୍ରଶାସନ ଏବଂ ସାର୍ବଜନୀନ ସେବାରେ ଆଖିଦୃଶିଆ ପରିବର୍ତ୍ତନ ଆଣିଛି । ସରକାର ଇ-ଆବର୍ଜନା ବିକ୍ରି କରି ୩,୨୯୬.୭୧ କୋଟି ଟଙ୍କା ରୋଜଗାର କରିଛନ୍ତି । ଗତ ଚାରି ବର୍ଷ ମଧ୍ୟରେ ୬୯୬.୨୭ ଲକ୍ଷ ବର୍ଗଫୁଟରୁ ଅଧିକ କାର୍ଯ୍ୟାଳୟ ସଫା କରାଯାଇଛି । ସେ କହିଛନ୍ତି, ଅଭିଯାନର ପୂର୍ବ ପର୍ଯ୍ୟାୟଗୁଡ଼ିକରେ, ସାରା ଦେଶରେ ୧.୩୮ କୋଟିରୁ ଅଧିକ ପୁରୁଣା ଫାଇଲ୍ ଅପସାରଣ କରାଯାଇଛି ଏବଂ ୧୨.୪ ଲକ୍ଷରୁ ଅଧିକ ସ୍ଥାନ ସଫା କରାଯାଇଛି ।