ଟି-ଲିଙ୍କ୍: ଖସି ଗଲେ ସରକାରୀ ବାବୁ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସୟଦ ଉସ୍ମାନ ଅଲ୍ଲୀ ଓରଫ ଟିଟୋଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ଟିମ୍ ତିନି ଥର ରିମାଣ୍ଡରେ ନେଇ ଜେରା କରିଥିଲା । ଏହି ସମୟରେ ନେତା, ମନ୍ତ୍ରୀ, ପୁଲିସ୍, ତହସିଲଦାର, ବିଡିଓ ଓ ଅନ୍ୟ ସରାକରୀ କର୍ମଚାରୀଙ୍କ ଲିଙ୍କ୍ ଥିବା ଏସ୍ଟିଏଫ୍ ଜାଣିବାକୁ ପାଇଥିଲା । ହେଲେ ସେମାନଙ୍କୁ ଜେରା କରି ପାରିଲା ନାହିଁ ଏସ୍ଟିଏଫ୍ । କାରଣ ଏସ୍ଟିଏଫ୍ର ମୁଖିଆଙ୍କ ବଦଳି ପରେ ତଦନ୍ତ ବି ଦିଗହରା ହୋଇଗଲା । ଏବେ ଲାଗୁଛି ଯେମିତି ଟିଟୋରର ଫାଇଲ୍ ଆଉ କେବେ ଖୋଲିବ ନାହିଁ, କି ସରକାରୀ ବାବୁମାନଙ୍କ ମୁଖା ଖୋଲିବ ନାହିଁ । ସବୁ ସରକାରୀ ବାବୁ ଖସିଗଲେ ।
ଏସ୍ଟିଏଫ୍ ଠାରୁ ମିଳିଥିବା ସୂଚନା ମୁତାବକ, ରାଜନଗରରେ ଅଲି ୱାଟର ରିସୋର୍ସର ୭ କୋଟି ଟଙ୍କାର ଟେଣ୍ଡର ନେଇଥିଲେ ପ୍ରେମାନନ୍ଦ ଲେଙ୍କା ନାମକ ଜଣେ ଠିକାଦାର । ଏହି ସମୟରେ ଟିଟୋ ଧମକ ଦେଇ ତାଙ୍କଠାରୁ ୭୦ ଲକ୍ଷ ଟଙ୍କା ବଟି ନେଇଥିଲେ । ତା’ ପୁଣି ଜଣେ ବିଡିଓଙ୍କ ମଧ୍ୟସ୍ଥିରେ । ଏ ବାବଦରେ ଏସ୍ଟିଏଫ୍ ଖୋଳତାଡ ଆରମ୍ଭ କଲା । ଯେତେବେଳେ ବିଡିଓଙ୍କ ନାଁ ଆସିଲା ତା’ ପରେ ସବୁ ବନ୍ଦ ହୋଇଗଲା । ଏମିତିକି ଠିକାଦାର ବି ସେ ବିଷୟରେ କିଛି ମୁହଁ ଖୋଲିଲେନି । କେବଳ ଏହି ଘଟଣା ନୁହେଁ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ଅଞ୍ଚଳକୁ ସେ ନିଜ ହାତମୁଠାରେ ରଖିବାରେ ସକ୍ଷମ ହୋଇଥିଲେ ଟିଟୋ ଗ୍ୟାଙ୍ଗ । ଉକ୍ତ ୩ ଜିଲ୍ଲାରେ ଟିଟୋ ନାଁ ଶୁଣିଲେ ଛୋଟରୁ ବଡ ଠିକାଦାରଙ୍କ ଛାତି ଥରୁଥିଲା । ଟିଟୋ ଯେଉଁ କାମ କରିବାକୁ ଚାହୁଁଥିଲା, ସେହି କାମକୁ ସେ ହାତେଇବାରେ ସକ୍ଷମ ହେଉଥିଲା । ଏଥିରୁ ସେ କୋଟି କୋଟି ଟଙ୍କା ରୋଜଗାର କରୁଥିଲା । ଟିଟୋ କାମ କରୁଥିବା ବେଳେ ତା’ ସହଯୋଗୀଙ୍କ ନାମରେ କାମର ଟେଣ୍ଡର ନିଆଯାଉଥିଲା । ସେମାନଙ୍କୁ ସହଯୋଗ କରୁଥିଲେ ତିନିଟି ଜିଲ୍ଲାର ସରକାରୀ ଅଫିସର । କେଉଁ ଅଫିସ୍ର ଟିଟୋକୁ ସହଯୋଗ କରୁଥିଲେ ସେମାନଙ୍କ ତାଲିକ କରିଥିଲେ ଏସ୍ଟିଏଫ୍ । ଜେରା କରିବା ପାଇଁ ସମନ ମଧ୍ୟ ହୋଇଥିଲା । ହେଲେ ସବୁ ଫୁସ୍ ହୋଇଗଲା । କ’ଣ ହେଲା କେଜାଣି କୌଣସି ସରାକରୀ କର୍ମଚାରୀଙ୍କୁ ତଦନ୍ତ ପରିସଭୁକ୍ତ କରାଗଲା ନାହିଁ । କିନ୍ତୁ ସରକାରୀ ବାବୁଙ୍କ ଲିଙ୍କ୍ ବିଷୟରେ ଜାଣିବା ପାଇଁ ଭିଜିଲାନ୍ସ ଛାନଭିନ ଆରମ୍ଭ କଲା ।
ଯେବେଠୁ ଇ-ଟେଣ୍ଡର ହୋଇଛି ସେବେ ଠାରୁ ଟିଟୋ ଗିରଫ ପର୍ଯ୍ୟନ୍ତ ସବୁ କାଗଜ ପତ୍ର ଯାଞ୍ଚ କରି ଭିଜିଲାନ୍ସ ଜାଣିବାକୁ ପାଇଥିଲା ଟିଟୋକୁ ସହଯୋଗ କରୁଥିବା ଅଫିସରମାନେ କିଛି ତ୍ରୁଟି ରଖି ନାହାନ୍ତି । ଇ-ଟେଣ୍ଡର ପୂର୍ବରୁ ଯେଉଁ ବ୍ୟବସ୍ଥାରେ ଟେଣ୍ଡର ହେଉଥିଲା ତା’ର ଯଦି ଭିଜିଲାନ୍ସ ଯାଞ୍ଚ କରିଥାନ୍ତା ତା’ ହେଲେ ଗଣ୍ଡା ଗଣ୍ଡା ସରକାରୀ ବଡ଼ବାବୁମାନେ ଧରାପଡ଼ିଥାନ୍ତେ । ଇ-ଟେଣ୍ଡର ପୂର୍ବରୁ ଥିବା ନିୟମ ଟିଟୋ ଗ୍ୟାଙ୍ଗକୁ ବେଶ ସୁହାଉଥିଲା । ସେତେବେଳେ ଟିଟୋର ଲୋକମାନେ ଟେଣ୍ଡର ବାକ୍ସ ପାଖରେ ଜଗି ରହୁଥିଲେ । ଯିଏ ଟେଣ୍ଡର ପକାଉବାକୁ ଆସୁଥିଲା ତା’କୁ ଧମକ ଚମକ ଦେଉଥିଲେ । କେହି ଟେଣ୍ଡର ପକାଉ ନଥିଲେ । ଫଳରେ ସବୁ ଟେଣ୍ଡର ଟିଟୋ ଓ ତା’ର ଲୋକମାନେ ନେଉଥିଲେ । ଭିଜିଲାନ୍ସ ଯଦି ସେ ବିଷୟରେ ଚିନ୍ତାକରି ପୁଣି ତଦନ୍ତ କରନ୍ତା ତା’ ହେଲେ କିଛି ତଥ୍ୟ ହାସଲ୍ କରନ୍ତା ।
ବଡ଼କଥା ହେଉଛି ଏବେ ଟିଟୋ ମାମଲାରେ ଏସ୍ଟିଏଫ୍ ତଦନ୍ତରେ ସାମ୍ନାକୁ ଆସିଥିଲେ ନେତା, ମନ୍ତ୍ରୀ, ତହସିଲଦାର, ବିଡ଼ିଓ ପୁଲିସ୍ ଓ ଅନ୍ୟ ସରକାରୀ ଠକିଦାରମାନେ । ଏ ସବୁ ଜଣାପଡ଼ିବା ପରେ ଏହି ମାମଲାରେ ତଦନ୍ତ ଆଗକୁ ଗଲା ନାହିଁ । ଏବେ ଏହି ମାମଲା ବନ୍ଦ । ପୂର୍ବ ଭଳି ଏବେ ବି ଟିଟୋର ଦବଦବା ବଜାୟ ରହିଛି । ସେପଟେ ଟିଟୋ ଜାମିନରେ ଆସିବାକୁ ଲାଗିପଡ଼ିଛି ।