ନୂଆଦିଲ୍ଲୀ, ୨୧/୦୩: ଉତ୍ତର  ପ୍ରଦେଶ କାସଗଞ୍ଜର ଜଣେ ୧୧ ବର୍ଷୀୟା  ନାବାଳିକା ସହ ଜଡ଼ିତ ମାମଲାରେ ଆହ୍ଲାବାଦ  ହାଇକୋର୍ଟ ଦେଇଥିବା ଟିପ୍ପଣୀକୁ ନେଇ ପ୍ରଶ୍ନ  ଉଠିଛି । ବିଜେପି ରାଜ୍ୟସଭା ସାଂସଦ ତଥା  ଜାତୀୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା  ରେଖା ଶର୍ମା କହିଛନ୍ତି, ଯଦି ବିଚାରପତି  ହିଁ ସମ୍ବେଦନଶୀଳ ନ ହେବେ, ତେବେ  ମହିଳା ଓ ଝିଅମାନେ କ’ଣ କରିବେ? ଏହି  ମାମଲାରେ ମହିଳା କମିଶନ ସୁପ୍ରିମକୋର୍ଟଙ୍କ  ଦ୍ୱାରସ୍ଥ ହେବା ଉଚିତ । 

ଆହ୍ଲାବାଦ ହାଇକୋର୍ଟ  ନିଜ ରାୟରେ କହିଥିଲେ କି କୌଣସି  ନାବାଳିକାର ଛାତିକୁ ଧରିବା, ତା’ର  ପାଇଜାମା ଡୋର ଖୋଲିବା କିମ୍ବା ତାକୁ ଘୋଷାଡ଼ି ନାଳ କଡ଼କୁ ନେଇଯିବା ପାଇଁ  ଉଦ୍ୟମ କରିବା ଦୁଷ୍କର୍ମ ଅଥବା ଦୁଷ୍କର୍ମ ଉଦ୍ୟମ ମାମଲା ହୋଇପାରିବ ନାହିଁ । ଆହ୍ଲାବାଦ ହାଇକୋର୍ଟ ବିଚାରପତି  ରାମ ମନୋହର ନାରାୟଣ ମିଶ୍ର ମାମଲାଟିକୁ  ଅପରାଧର ପ୍ରସ୍ତୁତି ଓ ବାସ୍ତବିକ ଉଦ୍ୟମ  ମଧ୍ୟରେ ପ୍ରଭେଦ ଦର୍ଶାଇଛନ୍ତି । ତତ୍‌ସହିତ  ତଳ କୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ଗମ୍ଭୀର  ଅଭିଯୋଗକୁ ସଂଶୋଧନ ପାଇଁ ନିର୍ଦ୍ଦେଶ  ଦେଇଛନ୍ତି । 

ସେହିଭଳି ଅଦାଲତ ୩ ଜଣ  ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହୋଇଥିବା  ଅପରାଧ ସଂଶୋଧନ ପିଟିସନକୁ ସ୍ୱୀକାର  କରିଛନ୍ତି । ହାଇକୋର୍ଟ ଅଭିଯୁକ୍ତ ଆକାଶ ଓ ପୱନ ବିରୋଧରେ ଆଇପିସି ଧାରା ୩୭୬  (ଦୁଷ୍କର୍ମ) ଓ ପୋକ୍‌ସୋ ଆଇନ ଧାରା  ୧୮ରେ ହୋଇଥିବା ଅଭିଯୋଗକୁ କମାଇ  ଦେଇଛନ୍ତି । ଏବେ ସେମାନଙ୍କ ବିରୋଧରେ  ଧାରା ୩୫୪ (ବି) (ଉଲଗ୍ନ ଉଦ୍ଦେଶ୍ୟରେ  ଆକ୍ରମଣ କିମ୍ବା ଅପରାଧିକ ବଳର  ପ୍ରୟୋଗ) ଏବଂ ପୋକ୍‌ସୋ ଧାରା ୯/୧୦  (ଗମ୍ଭୀର ଯୌନ ଆକ୍ରମଣ) ଅନୁସାରେ  ମକଦ୍ଦମା ଚାଲିବ । ତଳ କୋର୍ଟକୁ ସାନି ସମନ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଉଲ୍ଲେଖଯୋଗ୍ୟ, କାସଗଞ୍ଜର ଜଣେ  ମହିଳା ୨୦୨୨ ଜାନୁଆରୀ ୧୨ରେ କୋର୍ଟରେ  ଅଭିଯୋଗ କରିଥିଲେ ଯେ ୨୦୨୧ ନଭେମ୍ବର ୧୦ରେ ସେ ନିଜ ୧୧ ବର୍ଷୀୟା ଝିଅ ସହ  ନଣନ୍ଦଙ୍କ ଘରକୁ ଯାଉଥିଲେ । ସେହି ଦିନ  ସନ୍ଧ୍ୟାରେ ଘରକୁ ଫେରୁଥିଲା ବେଳେ ରାସ୍ତାରେ ତାଙ୍କ ଗ୍ରାମର ଆକାଶ, ପୱନ ଓ ଅଶୋକ  ଦେଖା ହୋଇଥିଲେ । ପୱନ ତା’ର ବାଇକ୍‌ରେ  ଝିଅକୁ ନେଇ ଘରେ ଛାଡ଼ିଦେବ ବୋଲି କହିଥିଲା । 

ମହିଳା ଜଣକ ତା’ ଉପରେ ଭରସା  କରି ଝିଅକୁ ଛାଡ଼ିଥିଲେ । କିନ୍ତୁ ରାସ୍ତାରେ ପୱନ  ଓ ଆକାଶ ଝିଅଟିର ଛାତିକୁ ଧରିବା ସହ ତାକୁ  ନାଳ କଡ଼କୁ ନେଇ ତା’ର ପାଇଜାମା ଡୋର  ଟାଣି ଛିଡ଼ାଇ ଦେଇଥିଲେ । ଝିଅଟିର ଚିତ୍କାର  ଶୁଣି ଲୋକେ ପହଞ୍ଚିଯିବାରୁ ଅଭିଯୁକ୍ତମାନେ  ଧମକ ଦେଇ ଖସି ପଳାଇଥିଲେ । ମହିଳା ଜଣକ ଅଭିଯୋଗ ପାଇଁ  ବାରମ୍ବାର ଥାନାକୁ ଯାଇଥିଲେ । କିନ୍ତୁ ପୁଲିସ ଅଭିଯୋଗ ନ ରଖିବାରୁ ସେ କୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ । ଅଭିଯୁକ୍ତମାନେ ତଳ  କୋର୍ଟଙ୍କ ଆଦେଶ ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।