କେନ୍ଦ୍ରାପଡ଼ା/ରାଜନଗର,୨୯/୧୨: କୋର୍ଟ ବଦଳରେ ପଞ୍ଚାୟତରେ ଚୂଡ଼ାନ୍ତ ହେଉଛି ବିବାହ ବିଚ୍ଛେଦ ଓ ଛାଡ଼ପତ୍ର ମାମଲା । ‘ପଞ୍ଚ’ ନିଷ୍ପତ୍ତି ନେଉଛନ୍ତି ଭରଣପୋଷଣ ବାବଦକୁ ପତ୍ନୀ କେତେ ଟଙ୍କା ପାଇବ ଓ ଆଉ କ’ଣ ପଦକ୍ଷେପ ଗ୍ରହଣ କରାଯିବ । ପଞ୍ଚ ନାଁରେ ଭରଣପୋଷଣ ବାବଦକୁ ଅର୍ଥ ହଡ଼ପ ଅଭିଯୋଗ ଉଠିବା ପରେ ଏହି ଘଟଣା ଏବେ ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଗୁପ୍ତି ପଞ୍ଚାୟତର ବନବିହାରୀପୁର ଗ୍ରାମରୁ ଏହି ଅଭିଯୋଗ ଆସିଛି । ଜଣେ ଦମ୍ପତିଙ୍କ ଛାଡ଼ପତ୍ର ମାମଲାରେ ଭଦ୍ରଲୋକ ୨ ଲକ୍ଷ ୬୫ ହଜାର ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି ।

ଅଭିଯୋଗକାରୀ ବଳରାମ ପରିଡ଼ା (୨୭) ଦର୍ଶାଇଛନ୍ତି ଯେ ଏହି ବ୍ଲକ ଘଡିଆମାଳ ପଞ୍ଚାୟତ ଦାରୁଓରା ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସ୍ୱାଇଁଙ୍କ ସହ ବିବାହ ହୋଇଥିଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ମନାନ୍ତର ହୋଇ କଳହ ହେବାରୁ ଶେଷରେ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ହୋଇଥିଲା । ବନବିହାରୀପୁର ଗ୍ରାମର ୩ଜଣ ବ୍ୟକ୍ତି ଓ ଏହି ପଞ୍ଚାୟତ କାନଫୁଲିଆ ଗ୍ରାମର ଜଣେ ବ୍ୟକ୍ତି ଏକାଠି ବସି ତାଙ୍କୁ କହିଥିଲେ କି- ପାଞ୍ଚ ଲକ୍ଷ ପନ୍ଦର ହଜାର ଟଙ୍କା ଭଦ୍ରଲୋକଙ୍କ ନିକଟରେ ଜମା କଲେ ଆମେ ବସି ଫାଇନାଲ୍ କରିବୁ । ଛାଡ଼ପତ୍ର ପାଇଁ କ୍ଷତିପୂରଣ ଦେବା ପରେ ଅବଶିଷ୍ଟ ଅର୍ଥ ଫେରି ପାଇବୁ । ଭଦ୍ରଲାକଙ୍କ କହିବାନୁଯାୟୀ ନିଜର ଜମି ବିକ୍ରି କରି ୫ଲକ୍ଷ ୧୫ ହଜାର ଟଙ୍କା ଦାଖଲ କରିବା ପରେ ଚଳିତ ମାସ ୮ ତାରିଖରେ ଛାଡ଼ପତ୍ର ପାଇଁ ଆପୋଷ ସମାଧାନ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ୨ଲକ୍ଷ ୫୦ ହଜାର ଟଙ୍କା ଦିଆଗଲା । ଅବଶିଷ୍ଟ ୨ଲକ୍ଷ ୬୫ ହଜାର ବଳରାମଙ୍କୁ ପରେ ଫେରସ୍ତ ଦିଆଯିବ ବୋଲି ଭଦ୍ରଲୋକ ମାନେ କହିଥିଲେ । ଭଦ୍ରଲାକଙ୍କ କଥାକୁ ବିଶ୍ୱାସ କରି ବଳରାମ ଫେରିଆସିଥିଲେ । ପରେ ଆଜିକାଲି କହି ଟଙ୍କା ଫେରସ୍ତ ଦେଇନଥିଲେ କି ଫୋନ୍ କଲେ ବି ଧରିନଥିଲେ । ବାରମ୍ବାର ଦୌଡ଼ି ନିରାଶ ହେବା ପରେ ବାଧ୍ୟହୋଇ ରାଜନଗର ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ଥାନାଧିକାରୀ ମାମଲା ରୁଜୁ ନକରି ଚୁପ୍ ବସିଯାଇଥିଲେ ।

କୁହାଯାଉଛି କି- ସ୍ଥାନୀୟ ଅଞ୍ଚଳର ନେତା ପ୍ରଭାବଶାଳୀ ଦଳରେ ଯୋଗ ଦେବା ସର୍ତ୍ତରେ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଯାଇଛନ୍ତି । ଥାନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ବଳରାମ ବାଧ୍ୟ ହୋଇ ଡିଜିପି, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓଙ୍କୁ ଭେଟି ଜଣାଇବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ଟଙ୍କା ଫେରି ପାଇବାପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ରାଜନଗର ଥାନାଧିକାରୀ ନରେଶ କୁମାର ସାହୁଙ୍କୁ ଅଭିଯୋଗ ସଂକ୍ରାନ୍ତରେ ପଚାରିବାରୁ କିଛି କହିବାକୁ ମନା କରିଦେଇଛନ୍ତି ।