୨୦୨୬ ଗ୍ରହ ଚଳନ:- ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ୦୧.୦୬.୨୦୨୬ ବୃହସ୍ପତି କର୍କଟ ରାଶିକୁ ଗମନ କରିବେ । ପୁଣି ୩୦.୧୦.୨୦୨୬ରେ ବୃହସ୍ପତି ସିଂହକୁ ଗମନ କରିବେ । ୨୫.୧୧.୨୦୨୬ରେ ରାହୁ ମକରକୁ ଗମନ କରିବେ ଏବଂ କେତୁ କର୍କଟକୁ ଗମନ କରିବେ ।
ବୃଷ: ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକାଦଶ ଶନି, ଜୁନ୍ ମାସ ୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ବୃହସ୍ପତି ଯୋଗୁ ବୃଷ ରାଶିର ସବୁ ବର୍ଗ ବ୍ୟକ୍ତିଙ୍କର ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଧନ, ସମ୍ପଦ ବୃଦ୍ଧି ପାଇବ । ନୂତନ ଗୃହ ନିର୍ମାଣ, ମୂଲ୍ୟବାନ ଧାତୁ, ଯାନବାହନ, ଭୂମି କ୍ରୟ କରିବେ ଏବଂ ସମସ୍ତ ଈପ୍ସ ପଦାର୍ଥ ହାତପାଆନ୍ତାରେ ଉପଲବ୍ଧ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଉତ୍ତମ ଆୟ କରିବେ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । କର୍ମଜୀବୀମାନଙ୍କ କର୍ମରେ ଉନ୍ନତି ଘଟିବ ଏବଂ ପ୍ରମୋଶନ ମିଳିପାରେ । ପଦସ୍ଥ ଅଧିକାରୀଙ୍କ କୃପା ଲାଭ କରିବେ ଏବଂ ସମସ୍ତ କର୍ମ ସେମାନଙ୍କ ପାଇଁ ସହଜ ହେବ । ଚାକିରି ଆଶାୟୀମାନଙ୍କର ନୂତନ ନିଯୁକ୍ତି ମିଳିବ ଏବଂ ତାଙ୍କର ମନ ମୁତାବକ ସ୍ଥାନରେ ମିଳିବ । ଅବିବାହିତ ପୁଅଝିଅମାନଙ୍କର ବୈବାହିକ କର୍ମ ସମ୍ପୂର୍ଣ୍ଣ ହେବ ଏବଂ ସତ୍ପାତ୍ରରେ ସେମାନଙ୍କର ବିବାହ ହେବ ।
ପ୍ରେମ ଅସଫଳ ହୋଇଥିବା ପୁଅ ଝିଅମାନଙ୍କର ପୁରାତନ ବିବାହର ସମାଧାନ ହେବ ଏବଂ ସେମାନେ ପୁନଶ୍ଚ ଉତ୍ତମ ସମ୍ପର୍କ ସ୍ଥାପନ କରିବେ । ଶିକ୍ଷାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ତାଙ୍କର ଈପ୍ସିତ ଅନୁଷ୍ଠାନରେ ଶିକ୍ଷାଲାଭର ସୁଯୋଗ ପାଇବେ । ଗୃହିଣୀମାନେ ପରିବାରର ସମସ୍ତ ସଦସ୍ୟଙ୍କର ମନ ଜିଣିବାରେ ସମର୍ଥ ହେବେ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । କ୍ରୀଡ଼ାବିତ୍ମାନେ ଦେଶ ଓ ଜାତି ପାଇଁ ସମ୍ମାନ ଆଣିବେ ଏବଂ ଉତ୍ତମ ଆୟ କରିବେ । ଜୁନ୍ ମାସ ୧ ତାରିଖ ପରେ ବୃହସ୍ପତି ତୃତୀୟ ହେଉଥିବାରୁ ଏବଂ ଅକ୍ଟୋବର ୩୦ ତାରିଖ ପରେ ଚତୁର୍ଥ ହେଉଥିବାରୁ ଭ୍ରାତୃବିବାଦ, ନୂତନ ପରିଜନଙ୍କ ସହ ବିବାଦ, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି ।
ଶୁଭରଙ୍ଗ : ନୀଳ, ସଂଖ୍ୟା: ୪, ଆରାଧନା: ମା’ କମଳା ।