ନୂଆଦିଲ୍ଲୀ: ଶେରୱାନି ପିନ୍ଧି ବର ବେଶରେ ରୋଷଣି କରି ଆସି ବର ବାହାସ୍ଥାନରେ ପହଞ୍ଚିବ। ଆଉ ତାପରେ ଜାଣିବାକୁ ପାଇବ ନା ବାହାସ୍ଥାନ ଅଛି ନା କନିଆ ଅଛି। ଏ ଘଟଣା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ପଞ୍ଜାବର ମୋଗା ସହରରେ କିଛି ଏମିତି ହିଁ ଘଟିଛି। ପଞ୍ଜାବର ଜଳନ୍ଧରରେ ରହୁଥିବା ୨୪ ବର୍ଷିୟ ଦୀପକ କୁମାର ଦୁବାଇରେ ରହି କାମ କରନ୍ତି। ଇନଷ୍ଟାଗ୍ରାମ ଯୋଗେ ସେ ଜଣେ ଯୁବତୀଙ୍କ ସହ ସମ୍ପର୍କରେ ରହିଥିଲେ। ବାହାଘର ତିଥି ଠିକ ହେବା ପରେ ଦୀପକ ୧୫୦ ବରଯାତ୍ରୀଙ୍କୁ ନେଇ ମୋଗାକୁ ବିବାହ କରିବାକୁ ଆସିଥିଲେ। କିନ୍ତୁ ଯୁବତୀ ଦେଇଥିବା ଠିକଣାରେ ନା ବାହାଘର ହେଉଥିଲା ନା ତା ପରେ ଆଉ ଯୁବତୀହ୍କ ଫୋନ ଲାଗିଥିଲା। 

ମଣ୍ଡିଆଲା ଗାଁର ଦୀପକ କୁମାର ଦୁବାଇରେ ଜଣେ ଶ୍ରମିକ ହିସାବରେ କାମ କରନ୍ତି। ସେ ପ୍ରାୟ ମାସେ ପୂର୍ବରୁ ନିଜ ପ୍ରେମିକା ମନପ୍ରୀତ କୈରଙ୍କୁ ବିବାହ କରିବାକୁ ଭାରତକୁ ଫେରିଥିଲେ। ତେବେ ସେ ମନପ୍ରୀତଙ୍କୁ ସୋଶିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭେଟିଥିଲେ। ଉଭୟ କେବେ ପରସ୍ଫରକୁ ଭେଟି ନଥିବା ବେଳେ ଦୁହେଁ ଦୀର୍ଘ ୩ ବର୍ଷ ହେବ ଲଙ୍ଗ ଡିଷ୍ଟାନ୍ସ ରିଲେସନସିପରେ ଥିଲେ। 

ମୋଗା ସହରର ରୋଜ ଗାର୍ଡେନ ପ୍ୟାଲେସ ନାମକ ଏକ ସ୍ଥାନରେ ବାହାଘର ହେବାର ଥିଲା ବୋଲି ମନପ୍ରିତ ଦୀପକଙ୍କୁ କହିଥିଲେ। ତେବେ ବାହାଘର ଦିନ(ଡିସେମ୍ବର ୬) ଦୀପକ ନିଜ ସାଙ୍ଗ ଓ ପରିଜନ ମାନଙ୍କୁ ଧରି ମୋଗା ସହରରେ ଦ୍ୱିପ୍ରହର ସମୟରେ ପହଞ୍ଚିଥିଲେ। ସେ ବାହାଘର ସ୍ଥଳରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ ସହରରେ ସେମିତି କୈଣସି ଜାଗା ନଥିବା ବେଳେ ବାହାଘର ପାଇଁ କନିଆ ମଧ୍ୟ ଗାଏବ ଥିଲେ। 

ଏନେଇ କଥା ହେବା ପାଇଁ ଦୀପକ ମନପ୍ରୀତଙ୍କୁ ଯୋଗାଯୋଗ କରିବାରୁ ସେ ତାଙ୍କ ପରିବାରଙ୍କୁ ପଠଉଛନ୍ତି ବୋଲି କହିଥଲେ। କିନ୍ତୁ କେହି ନଆସିବା ସହ କିଛି ସମୟପରେ ତାଙ୍କ ଫୋନ ସୁଇଚ-ଅଫ ହୋଇଯାଇଥିଲା। ଦୀପକ ଓ ସାଙ୍ଗରେ ଯାଇଥିବା ୧୫୦ ଜଣ ବରଯାତ୍ରୀ ମୋଗା ସହରର ଲୋହାରା ଚକରେ ସନ୍ଧ୍ୟା ୬ ଟା ଯାଏ ଅପେକ୍ଷା କରିଥିଲେ। କିନ୍ତୁ ମନପ୍ରୀତଙ୍କ ପରିବାର ତରଫରୁ କେହି ଯୋଗାଯୋଗ ନକରିବାରୁ ବାଧ୍ୟହୋଇ ଦୀପକ ଓ ତାଙ୍କ ବାପା ପ୍ରେମ ଚାନ୍ଦ ପୋଲିସ ଥାନାରେ ଏନେଇ ଅଭିଯୋଗ ଦାଖଲ କରିଥିଲେ। 

ଦୀପକ ବାହାଘର ପାଇଁ ମନପ୍ରୀତଙ୍କୁ ୫୦,୦୦୦-୬୦,୦୦୦ ଟଙ୍କା ଦେଇଥିଲେ ବୋଲି ପୋଲିସକୁ କହିଛନ୍ତି। ଦୀପକଙ୍କ ବାପା ପ୍ରେମ ଚାନ୍ଦ କହିଛନ୍ତି ଆମେ କେବେ ବି ମନପ୍ରୀତଙ୍କ ବାପାମା'ଙ୍କ ସହ ସିଧାସଳଖ କଥା ହୋଇ ନଥିଲୁ। ପ୍ରଥମେ ବାହାଘର ୨ ଡିସେମ୍ୱରରେ ଠିକ ହୋଇଥିବା ବେଳେ ପରେ ଏହା ୬ ଡିସେମ୍ବରକୁ ଏହାକୁ ଘୁଞ୍ଚାଯାଇଥିଲା। ଆମେ ଧାର ଉଧାର କରି ବାହାଘର ପାଇଁ ଟଙ୍କା ଯୋଗାଡ କରିଥିଲୁ କଣ ଏଇଭଳି ଘଟଣାର ସାମ୍ନା କରିବାକୁ। 

ଅଭିଯୋଗକୁ ସ୍ୱୀକାର କରିବା ସହ ଫୋନ ନମ୍ବର ଆଧାରରେ ମନପ୍ରୀତଙ୍କୁ ଖୋଜାଯାଉଛି ବୋଲି ପୋଲିସ କହିଛି।