ଉତ୍ତର ପ୍ରଦେଶ ୩୦/୧୨: ଉତ୍ତର ପ୍ରଦେଶର ଚନ୍ଦୌଲିରେ ନିକଟରେ ଏକ ଅଜବ ଘଟଣା ଘଟିଛି । ସେଠାରେ ଏକ ବିବାହ ସମାରୋହରେ ରୁଟି ପରଷାଯିବାରେ ବିଳମ୍ବ ହେବାରୁ ବର ଏତେ ରାଗିଗଲେ ଯେ ବାହା ହେବାକୁ ସିଧା ମନା କରିଦେଲେ । ସେହି ରାତିରେ ସେ ନିଜ ସଂପର୍କୀୟା ଅନ୍ୟ ଜଣେ ଝିଅଙ୍କୁ ବିବାହ ବି କଲେ । ଏହାପରେ କନ୍ୟା ପକ୍ଷ ପୁଲିସର ଦ୍ୱାରସ୍ଥ ହୋଇଥିବା ସାମ୍ନାକୁ ଆସିଛି ।   

ଘଟଣାଟି ଚନ୍ଦୌଲିର ହମୀଦପୁର ଅଞ୍ଚଳର । କନ୍ୟା ପକ୍ଷ ଅନୁସାରେ, ପୀଡି଼ତା କନ୍ୟାଙ୍କ ବିବାହ ୭ ମାସ ପୂର୍ବରୁ ସେହି ଗ୍ରାମର ମେହତାବ ନାମକ ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ଡିସେମ୍ବର ୨୨ରେ ବିବାହ ହେବାର ଥିଲା । ବିବାହ ଲାଗି ଭବ୍ୟ ପ୍ରସ୍ତୁତି ହୋଇଥିଲା । ବରଯାତ୍ରୀ ଆସିବା ପରେ ସେମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ସହ ସ୍ୱାଗତ କରାଗଲା । ଏହାପରେ ସେମାନଙ୍କୁ ଖାଦ୍ୟ ଖାଇବାକୁ ଡକାଯାଇଥିଲା । ଏହି ସମୟରେ ରୁଟି ପରଷାଯିବାରେ ବିଳମ୍ବ ହେବାରୁ ଜଣେ ବରଯାତ୍ରୀ ହଙ୍ଗାମା ଆରମ୍ଭ କରିଥିଲେ । ତାଙ୍କ କଥା ଶୁଣି ଅନ୍ୟମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାଦେଖି କନ୍ୟାଙ୍କ ପରିବାର ଓ ସଂପର୍କୀୟ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କଲେ ବି ସେମାନେ ଶୁଣି ନଥିଲେ । 

ସେପଟେ ବର ମେହତାବ ଏହା ଶୁଣି ଅସନ୍ତୁଷ୍ଟ ହୋଇଗଲେ । ସେ ବିବାହ କରିବାକୁ ମନା କରିବା ସହିତ ବରଯାତ୍ରୀଙ୍କୁ ନେଇ ସେଠାରୁ ପଳାଇଗଲେ । କିଛି ଘଣ୍ଟା ପରେ ମେହତାବଙ୍କର ବିବାହ ତାଙ୍କର ଜଣେ ସଂପର୍କୀୟାଙ୍କ ସହିତ ଅନୁଷ୍ଠିତ ହୋଇଥିଲା । ଏହାପରେ କନ୍ୟା ପକ୍ଷ ଡିସେମ୍ବର ୨୪ ତାରିଖରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଥିଲେ । କନ୍ୟା ପକ୍ଷ ଅନୁସାରେ, ପ୍ରାୟ ୨୦୦ ବରଯାତ୍ରୀ ଆସିଥିଲେ । ସେମାନଙ୍କ ଲାଗି ଖାଦ୍ୟପେୟର ବ୍ୟବସ୍ଥା ବାବଦରେ ବେଶ୍‌ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହୋଇଛି । ସେପଟେ ୧.୫ ଲକ୍ଷ ଟଙ୍କା ଯୌତୁକରେ ବି ଦିଆଯାଇଥିଲା । ସବୁକୁ ମିଶାଇଲେ ପ୍ରାୟ ୭ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଏହାଛଡ଼ା ସେମାନେ ମାନସିକ ଭାବେ ଗଭୀର ଆଘାତ ପାଇବା ସହିତ ସେମାନଙ୍କର ସାମାଜିକ ପ୍ରତିଷ୍ଠାକୁ ମଧ୍ୟ କ୍ଷତି ପହଞ୍ଚିଛି । ତେଣୁ ବରପକ୍ଷ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଦାବି କରିଥିଲେ । ପୁଲିସ ଏହି ମାମଲାରେ ହସ୍ତକ୍ଷେପ କରି ଉଭୟ ପକ୍ଷ ମଧ୍ୟରେ ବୁଝାମଣା କରାଇଥିବା ସୂଚନା ମିଳିଛି ।