PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ବାଣଫୁଟାକୁ ନେଇ ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ପିଟାପିଟି, ଦୋକାନ ଭଙ୍ଗାରୁଜା

ଭୁବନେଶ୍ବର/ଯାଁଳା,12।1(ବୁୟରୋ/ଆ.ପ୍ର): ବାଣଫୁଟାକୁ କେନ୍ଦ୍ରକରି ଆଜି ରାତିରେ ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ଓ ଭଗବାନପୁରରେ ତୁମୁଳକାଣ୍ଡ ଘଟିଛି। ଦୁଇ ଗୋଷ୍ଠୀ ପିଟାପିଟି ହେବା ସହ ଏକାଧୀକ ଦୋକାନ ଭଙ୍ଗାରୁଜା ହୋଇଛି। ଉଭୟ ଗୋଷ୍ଠୀ ପକ୍ଷରୁ 6ରୁ ଅଧିକ ଆହତ ହୋଇଛନ୍ତି। ଖବରପାଇ ଖଣ୍ଡଗିରି ଓ ତମାଣ୍ଡୋ ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଚଳାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଅଧିକ ଗଣ୍ଡଗୋଳ ଆଶଙ୍କାରେ ଦୁଇ ଗାଁରେ ପୁଲିସ ମୁତୟନ କରାଯାଇଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଭଗବାନପୁର ମେଳଣ ପଡ଼ିଆ ନିକଟରେ କିଛି ପିଲା ବାଣ ଫୁଟାଉଥିଲେ। ବାଣ ନିଆଁ ଗାଁର ରବି ରାଉତ ଓ ଚରଣ ଚମ୍ପତ୍ତିଙ୍କ ଘର ଉପରେ ପଡ଼ିଥିଲା। ସେମାନେ ପ୍ରତିବାଦ କରିବାରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଉଭୟପକ୍ଷ ଡିଏନ୍ ରିଗାଲିଆ ମଲ୍ ନିକଟରେ ଏକାଠି ହୋଇଥିଲେ। ସେଠାରେ ଦୁଇ ଗାଁର ଲୋକେ ଉଠା ଦୋକାନ ଭଙ୍ଗାରୁଜା କରିଥିଲେ। 5/6ଟି ଦୋକାନ ଭଙ୍ଗାରୁଜା କରିବା ପରେ ଉଭୟପକ୍ଷ ପୁଣି ମାର୍ ପିଟ୍ ହୋଇଥିଲେ। ଏଥିରେ ରାଜୁ ମହାରଣା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ 5/6 ଜଣ ଆହତ ହୋଇଛନ୍ତି। ଖବରପାଇ ଜୋନ୍-3 ଏସିପି ପି.କେ ରାଉତ, ଖଣ୍ଡଗିରି ଥାନା ପୁଲିସ ଓ ତମାଣ୍ଡୋ ଥାନା ପୁଲିସ ପହଞ୍ଚି ଉଭୟପକ୍ଷଙ୍କୁ ବୁଝାସୁଝା ଚଳାଇଛନ୍ତି। ଉଭୟପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି। ଉତ୍ତେଜନା ଲାଗି ରହିଥିବାରୁ ଦୁଇ ଗାଁରେ ପୁଲିସ ମୁତୟନ କରାଯାଇଛି। ତମାଣ୍ଡୋ ଥାନା ଅଧିକାରୀ ସିତାଂଶୁ ମାନ୍ଧାତାଙ୍କୁ ପଚାରିବାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗଣ୍ଡଗୋଳ ଘଟିଥିବା କହିଛନ୍ତି। ସୂଚନା ଥାଉକି, ପାତ୍ରପଡ଼ା ଦିଲ୍ଲୀପ ନାୟକ ହତ୍ୟାକାଣ୍ଡକୁ ନେଇ ଦୀର୍ଘଦିନ ହେବ ପାତ୍ରପଡ଼ା ଓ ଭଗବାନପୁରର ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା ଓ ମାର୍ ପିଟ୍। ଗୁରୁବାର ରାତିରେ ପାତ୍ରପଡ଼ାରେ ଘନଘନ ବୋମାମାଡ଼ ହୋଇଥିଲା। ବୋମାମାଡ଼କୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ଆଜି ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଦୁଇ ଗାଁରେ ଉତ୍ତେଜନା ଲାଗି ରହିଥିବା ଜଣା ପଡ଼ିଛି।