ନୂଆଦିଲ୍ଲୀ, ୨୨/୦୯: ଶସ୍ତା ହେଲା ଅତ୍ୟାବଶ୍ୟକ ସାମଗ୍ରୀ । କାର୍ଯ୍ୟକାରୀ ହେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ର ପରିବର୍ତ୍ତିତ ହାର । ୫% ଓ ୧୮% ଭଳି ୨ଟି ସ୍ଲାବ ହୋଇଛି ଜିଏସ୍ଟି ୨.୦ । ପରିବର୍ତ୍ତିତ ଜିଏସ୍ଟି ଲାଗୁ ହେବା ଯୋଗୁ ପନିର, ଘିଅ, ସାବୁନ, ସାମ୍ପୁ ସହ ଏସି ଏବଂ କାର୍ ଭଳି ବିସ୍ତୃତ ବର୍ଗରେ ଦର କମିଛି । ଜିଏସ୍ଟି ପରିଷଦର ୫୬ତମ ବୈଠକରେ ଏନେଇ ଘୋଷଣା କରାଯାଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ ସେପ୍ଟେମ୍ବରରେ ଏହି ସୂଚନା ଦେଇଥିଲେ । ପୂର୍ବରୁ ଜିଏସ୍ଟି ୫%, ୧୨%, ୧୮% ଏବଂ ୨୮% ସ୍ଲାବ୍ ବିଶିଷ୍ଟ ଥିଲା । ଏବେ ଦୁଇଟି ଚୂଡାନ୍ତ ସ୍ଲାବ୍କୁ ଖସିଛି । ବିଳାସପୂର୍ଣ୍ଣ ଏବଂ ଅବଗୁଣକାରୀ ସାମଗ୍ରୀ ଉପରେ ଲାଗିଛି ୪୦% ଜିଏସ୍ଟି । ତମାଖୁ, ପାନ ମସଲା, କାର୍ବୋନେଟେଡ୍ ଡ୍ରିଙ୍କ, ବିଳାଶ ସାମଗ୍ରୀ ଯଥା ବଡ଼ କାର, ୟଟ୍, ବ୍ୟକ୍ତିଗତ ବିମାନ ଏହି ସ୍ଲାବ୍ରେ ସାମିଲ ହୋଇଛି । ଛେନା, ପନିର, ରୁଟି, ପରଟା ଟିକସମୁକ୍ତ ହୋଇଛି । ତମାଖୁକୁ ଛାଡ଼ି ଅନ୍ୟ ସମସ୍ତ ସାମଗ୍ରୀ ଉପରେ ଆଜିଠାରୁ ନୂଆ ଜିଏସ୍ଟି ଲାଗୁ ହୋଇଛି । ଜିଏସ୍ଟି ପରିବର୍ତ୍ତନ ପରେ ସାବୁନ, ସାମ୍ପୁ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଖାଦ୍ୟ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଉତ୍ପାଦ, କାର୍ ଶସ୍ତା ହୋଇଛି । ସ୍ୱାସ୍ଥ୍ୟ ବୀମା ଏବଂ ଜୀବନ ବୀମା ଏବେ ଟିକସମୁକ୍ତ । ସିମେଣ୍ଟ ଉପରେ ପୂର୍ବରୁ ୨୮% ଟିକସ ଏବେ ୧୮%କୁ ଖସିଛି । ଫଳରେ ଘର ନିର୍ମାଣ ଓ ମରାମତି ଖର୍ଚ୍ଚ କମିବ ।
ସେହିଭଳି ଟିଭି ଏବଂ ଏସି ଉପରେ ଟିକସ ୨୮%ରୁ ୧୮%କୁ ଖସିଛି । କର୍କଟ ସମେତ ୩୩ ଜଟିଳ ରୋଗର ମେଡିସିନ ଉପରେ ଏବେ କୌଣସି ଟିକସ ଲାଗି଼ବନି । ଛୋଟ କାର ଏବଂ ୩୦୦ ସିସି ଯାଏ ମୋଟରସାଇକେଲ ଉପରେ ୨୮% ପରିବର୍ତ୍ତେ ଟିକସ ୧୮%କୁ ହ୍ରାସ ହୋଇଛି । ଅଟୋମୋବାଇଲ ଯନ୍ତ୍ରାଂଶ ଏବଂ ୩ ଚକିଆ ଯାନ ଉପରେ ମଧ୍ୟ ଲାଗିବ ୧୮% ଟିକସ । ଫଳରେ ଏହା ପୂର୍ବାପେକ୍ଷା ଶସ୍ତା ହେବ । ପୁରୁଣା ସାମଗ୍ରୀର ଷ୍ଟକ୍ ଉପରେ ଏମ୍ଆର୍ପି ଅଧିକ ଥିଲେ ମଧ୍ୟ ପରିବର୍ତ୍ତିତ ଦରରେ ଏହା ମିଳିବ । ଜିଏସ୍ଟି ହ୍ରାସ ସୁବିଧା ପାଇବେ ଗ୍ରାହକ ।
ସେହିଭଳି ମେଡିସିନ ପ୍ରସ୍ତୁତି ଏବଂ ବିକ୍ରି କରୁଥିବା କମ୍ପାନି ଗୁଡ଼ିକ ମେଡିସିନ ଦର ଅପ୍ଡେଟ୍ କରିବାକୁ ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି (ଏନ୍ପିପିଏ) ନିର୍ଦ୍ଦେଶ ଦେଇଛନ୍ତି । ଜିଏସ୍ଟି ପରିବର୍ତ୍ତନ ପରେ ପରିବର୍ତ୍ତିତ ମୂଲ୍ୟ ତାଲିକାକୁ ଡିଲର, ରିଟେଲର, ରାଜ୍ୟ ଡ୍ରଗ କଣ୍ଟ୍ରୋଲର ଏବଂ ସରକାରଙ୍କୁ ଦେବାକୁ ପଡ଼ିବ । ଏହା ଦ୍ୱାରା ଲୋକମାନେ ଦର ହ୍ରାସ ସମ୍ପର୍କରେ ଠିକ୍ ସୂଚନା ପାଇପାରିବେ ।
କୌଣସି ବ୍ୟବସାୟୀ ଜିଏସ୍ଟି ହ୍ରାସ ସୁବିଧା ଦେଉ ନ ଥିଲେ ଏ ନେଇ ନ୍ୟାସନାଲ କଞ୍ଜ୍ୟୁମର ହେଲ୍ପଲାଇନ, ଜିଏସ୍ଟି ହେଲ୍ପଲାଇନ, ନ୍ୟାସନାଲ ଆଣ୍ଟି ପ୍ରଫିଟିୟରିଂ ଅଥରିଟି ୱେବ୍ସାଇଟରେ ଅଭିଯୋଗ କରିପାରିବେ ଗ୍ରାହକ । ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଆଇନ ମୁତାବକ ଜରିମାନା ଏବଂ ଜେଲ୍ ଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ୨୨ ସେପ୍ଟେମ୍ବର ପରେ ସ୍ୱାସ୍ଥ୍ୟ ବୀମା ନବୀକରଣରେ ମଧ୍ୟ ଜିଏସ୍ଟି ଲାଗିବନି । ବଡ କାର୍ ଏବଂ ବାଇକ୍ ଉପରେ ୪୦% ଟିକସ ରହିଛି । ତେବେ ପୂର୍ବର ୪୫% ତୁଳନାରେ ଏହା କମ୍ ରହିଛି । ଜିଏସ୍ଟି ୨.୦ରେ ୯୦% ସାମଗ୍ରୀ ଦର କମିଛି । ହୋଟେଲ ରୁମ୍ ବୁକିଂ, ବ୍ୟୁଟି ସର୍ଭିସ ଉପରେ ଟିକସ ୫%କୁ ଖସିଛି । ୧୦୦ ଟଙ୍କା ଯାଏ ସିନେମା ଟିକଟରେ ଜିଏସ୍ଟି ୧୨ରୁ ୫%କୁ ହ୍ରାସ କମିଛି । ୧୦୦ ଟଙ୍କାରୁ ଉଦ୍ଧ୍ୱର୍ ସିନେମା ଟିକଟ ଉପରେ ୧୮% ଜିଏସ୍ଟି ରହିଛି । ହୋଟେଲ ରୁମ୍ ୧ ହଜାର ଟଙ୍କାରୁ କମ୍ ଥିଲେ ଜିଏସ୍ଟି ଲାଗିବନି । ୭୫୦୦ ଟଙ୍କା ଯାଏ ରୁମ୍ ଉପରେ ୫% ଏବଂ ଏହା ଠାରୁ ଉଦ୍ଧ୍ୱର୍ ରୁମ ଭଡାରେ ୧୮% ଜିଏସ୍ଟି ପଡ଼ିବ ।
ଜିଏସ୍ଟି ୨.୦ ଯୋଗୁ ଦେଶବାସୀଙ୍କୁ ଦରଦାମ ଚାପରୁ ଆଶ୍ୱସ୍ତି ମିଳିବ । ବାଣିଜ୍ୟ ଆହୁରି ସରଳ ହେବ ଏବଂ ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ସରକାର ଆଶା ରଖିଛନ୍ତି । ଏହାଦ୍ୱାରା ଅର୍ଥନୀତିକୁ ୨ ଲକ୍ଷ କୋଟି ଟଙ୍କା ଆସିବ ବୋଲି ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ । ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି ସହ ଚାହିଦା-ଉତ୍ପାଦନରେ ଦୃଢ଼ତା ଏବଂ ଅର୍ଥନୀତି ଗତି ତ୍ୱରାନ୍ୱିତ ହେବ ବୋଲି ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ କହିଛନ୍ତି । ଅର୍ଥନୀତିଜ୍ଞ ତଥା ଏଲୋରା କ୍ୟାପିଟାଲର ଇଭିପି ଗରିମା କପୁର କହିଛନ୍ତି, ଜିଏସ୍ଟି ସଂସ୍କାର ଚାହିଦାକୁ ୧.୨% ବଢ଼ାଇପାରେ । ଆଗାମୀ ୪ରୁ ୫ ତ୍ରୈମାସରେ ଜିଡିପି ଉପରେ ଉନ୍ନତ ପ୍ରଭାବ ପଡ଼ିବ ।