ନୂଆଦିଲ୍ଲୀ,୧୯/୦୪: ୨ ହଜାର ଟଙ୍କାର ୟୁପିଆଇ ଟ୍ରାନଜାକ୍ସନ ଉପରେ ଲାଗିବନି ଜିଏସଟି। ଏଭଳି ଖବରକୁ ମିଛ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ। ସରକାରଙ୍କର ଏଭଳି କୌଣସି ପ୍ରସ୍ତାବ ନ ଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଜାନୁଆରୀ ୨୦୨୦ରୁ ୟୁପିଆଇ ପ୍ଲାଟଫର୍ମରେ ବ୍ୟକ୍ତି ବିଶେଷଙ୍କଠାରୁ ମର୍ଚ୍ଚାଣ୍ଟ (ପିଟୁଏମ୍) ନେଣଦେଣ କ୍ଷେତ୍ରରେ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମ୍ଡିଆର୍) ଶୂନ ରହିଛି । ଫଳରେ ଏହା ଉପରେ ଜିଏସ୍ଟି ଲାଗୁ ହେଉନି । ୧୯ ମାର୍ଚ୍ଚରେ କେନ୍ଦ୍ର ସରକାର ୟୁପିଆଇକୁ ପ୍ରୋତ୍ସାହିତ କରିବା ଲାଗି ପ୍ରୋତ୍ସାହନ ସ୍କିମକୁ ଗୋଟିଏ ବର୍ଷ ବୃଦ୍ଧି କରିଥିଲେ । ଏହି ସ୍କିମ ୨୦୨୬ ମାର୍ଚ୍ଚ ୩୧ ଯାଏ ଜାରି ରହିବ । ଏଥିଲାଗି ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କେନ୍ଦ୍ର କ୍ୟାବିନେଟ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ ।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରୁପେ ଡେବିଟ କାର୍ଡ ଏବଂ ଭୀମ ୟୁପିଆଇ ଜରିଆରେ ୨ ହଜାର ଟଙ୍କା ଯାଏ ପର୍ସନ ଟୁ ମର୍ଚ୍ଚାଣ୍ଟ ନେଣଦେଣ କ୍ଷେତ୍ରରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ୦.୧୫% ଇନସେଣ୍ଟିଭ ମିଳିବ । ସରଳ ଭାଷାରେ କହିଲେ, ପର୍ସନ ଟୁ ମର୍ଚ୍ଚାଣ୍ଟ ନେଣଦେଣ ହେଉଛି ବ୍ୟବସାୟୀ ଏବଂ ଗ୍ରାହକଙ୍କ ମଧ୍ୟରେ ହେଉଥିବା ନେଣଦେଣ । ଏହି ସ୍କିମ ୨୦୨୧ ଏପ୍ରିଲ ପହିଲାରୁ ଲାଗୁ ହୋଇଛି । ରୁପେ ଡେବିଟ କାର୍ଡକୁ ପ୍ରୋତ୍ସାହିତ କରିବା ଯୋଗୁ ଗ୍ଲୋବାଲ ପେମେଣ୍ଟସ କମ୍ପାନି ଭିସା ଏବଂ ମାଷ୍ଟରକାର୍ଡ ଉପରେ ପ୍ରଭାବ ପଡିବ । ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଏବେ କାମ କରୁଛନ୍ତି । ଆର୍ଥିକ ବର୍ଷ ୨୦୨୫-୨୬ରେ ୨୦ ହଜାର କୋଟି ନେଣଦେଣ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରହିଛି ।
ସେହିଭଳି ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ମଧ୍ୟ ୟୁପିଆଇକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସରକାର ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ରୁପେ ଡେବିଟ କାର୍ଡ ଏବଂ ଭୀମ ୟୁପିଆଇ ନେଣଦେଣ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ଜିରୋ କରାଯାଇଥିଲା । ଏବେ ଏହି ଇନସେଣ୍ଟିଭ ସ୍କିମ ଜରିଆରେ ଦୋକାନୀଙ୍କୁ ୟୁପିଆଇ ପେମେଣ୍ଟ ନେବା ଲାଗି ପ୍ରୋତ୍ସାହିତ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି, ୟୁପିଆଇ ପେମେଣ୍ଟ ଦୋକାନୀଙ୍କ ଲାଗି ସହଜ, ସୁରକ୍ଷିତ ତ୍ୱରୀତ ସେବା ଯୋଗାଣ କରୁଛି ।