ନୂଆଦିଲ୍ଲୀ: ଆଇପିଏଲର ୩୦ତମ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଗୁଜୁରାଟ ଟାଇଟନ୍ସ । ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ଗିଲ୍ ବାହିନୀ । ୩ଟି ମ୍ୟାଚ୍ ଜିତିଥିବା ଗୁଜରାଟ ଆଉ ଏକ ଚମକପ୍ରଦ ବିଜୟ ସହ ୨ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ମୁମ୍ବାଇ ବିଜୟକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଫଳରେ ମ୍ୟାଚ୍ଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।
ଗୁଜରାଟ ସିଜନର ପ୍ରଥମ ୨ଟି ମ୍ୟାଚ୍ ପରାଜିତ ହେବା ପରେ ପରବର୍ତ୍ତୀ ୩ଟି ମ୍ୟାଚ୍ (ଦିଲ୍ଲୀ, ଲକ୍ଷ୍ନୌ, କୋଲକାତା) ଜିତି ମୋଟ ୬ପଏଣ୍ଟ ସହ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ମୁମ୍ବାଇ ପ୍ରଥମ ମ୍ୟାଚ୍ରେ କୋଲକାତାକୁ ହରାଇଥିଲା । ମାତ୍ର ପରବର୍ତ୍ତୀ ୪ଟି ଯାକ ମ୍ୟାଚ୍ରେ ପରାଜିତ ହୋଇଛି । ଦଳ ସବା ଶେଷରେ (ଦଶମ) ରହିଛି । ଗୁଜରାଟକୁ ହରାଇବାକୁ ହେଲେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।
ଗୁଜରାଟ ଦଳ ଶୁଭମନ ଗିଲ୍, ବି ସାଇ ସୁଦର୍ଶନ ଏବଂ ଜୋସ୍ ବଟଲରଙ୍କ ଉପରେ ନିର୍ଭରଶୀଳ । ଅନ୍ୟ ସମସ୍ତ ବ୍ୟାଟର ସଂଘର୍ଷ କରୁଛନ୍ତି । ବୋଲିଂ ବିଭାଗରେ କାଗିସୋ ରାବାଡ଼ା, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ ଭଲ ପ୍ରଦର୍ଶନ କରୁଥିବାବେଳେ ରସିଦ ଖାନ ଆବଶ୍ୟକ ସ୍ଥଳେ ଯୋଡ଼ି ଭାଙ୍ଗିବାରେ ସଫଳ ହୋଇଛନ୍ତି ।