ଅହମ୍ମଦାବାଦ : ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)୨୦୨୬ ର ୫୬ ନମ୍ବର ମ୍ୟାଚରେ ଆଜି (୧୨ମେ) ଗୁଜରାଟ ଟାଇଟନ୍ସ (GT) ଓ ସନରାଇଜର୍ସ ହାଇଦ୍ରାବାଦ (SRH) ମୁହାଁମୁହିଁ ହେଉଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ, ସନରାଇଜର୍ସ ହାଇଦ୍ରାବାଦକୁ ଜିତିବା ପାଇଁ ୧୬୯ ରନର ଟାର୍ଗେଟ୍ ଦେଇଛି। ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟରେ ୧୬୮ ରନ କରିଛି ଗୁଜରାଟ।
ଚଳିତ ସିଜନରେ ଉଭୟ ଦଳର ପ୍ରଦର୍ଶନ ବେଶ ଚମତ୍କାର ରହିଛି। ଗୁଜରାଟ ଟାଇଟନ୍ସ ୧୧ଟି ମ୍ୟାଚରୁ ୭ଟିରେ ବିଜୟୀ ହୋଇ ୧୪ ପଏଣ୍ଟ ପାଇଥିବା ବେଳେ, ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ୧୧ଟି ମ୍ୟାଚରୁ ୭ଟି ଜିତି ୧୪ ପଏଣ୍ଟ ସହ ସମାନ ସ୍ଥିତିରେ ରହିଛି।
ଆଜିର ମ୍ୟାଚରେ ଗୁଜରାଟର ଆରମ୍ଭ ଭଲ ହୋଇ ନଥିଲା। ତୃତୀୟ ଓଭରରେ ଅଧିନାୟକ ଶୁଭମନ ଗିଲ (୫ରନ୍) କରି ପ୍ରଫୁଲ୍ଲ ହିଙ୍ଗେଙ୍କ ଶିକାର ହୋଇଥିଲେ। ଏହାପରେ ପ୍ରଫୁଲ୍ଲ ବିସ୍ଫୋରକ ବ୍ୟାଟସମ୍ୟାନ ଜୋସ୍ ବଟଲର (୭ ରନ୍)ଙ୍କୁ ମଧ୍ୟ ପ୍ୟାଭିଲିୟନ ପଠାଇ ଦେଇଥିଲେ। ନିଶାନ୍ତ ସିନ୍ଧୁ ଏବଂ ସାଇ ସୁଦର୍ଶନ ତୃତୀୟ ୱିକେଟ ପାଇଁ ୩୮ ରନର ଭାଗିଦାରୀ କରି ପାରିକୁ ସମ୍ଭାଳିଥିଲେ। ନିଶାନ୍ତ ୨୨ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ।
ଏହାପରେ ୱାଶିଂଟନ ସୁନ୍ଦର ଏବଂ ସାଇ ସୁଦର୍ଶନ ଚତୁର୍ଥ ୱିକେଟ ପାଇଁ ୬୦ ରନର ଏକ ସୁନ୍ଦର ପାର୍ଟନରସିପ୍ କରି ଥିଲେ। ସୁଦର୍ଶନ ୪୪ଟି ବଲରେ ୬୧ ରନ୍ (୫ ଚୌକା, ୨ ଛକା) କରି ସାକିବ ହୁସେନଙ୍କ ଶିକାର ହୋଇଥିଲେ। ସୁଦର୍ଶନଙ୍କ ଆଉଟ୍ ପରେ ସୁନ୍ଦର ଦାୟିତ୍ୱ ନେଇଥିଲେ। ସେ ୩୩ ବଲରେ ୫୦ ରନ୍ (୭ ଚୌକା, ୧ ଛକା) ସଂଗ୍ରହ କରି ଶେଷ ଓଭରରେ ସାକିବ ହୁସେନଙ୍କ ବଲରେ ଆଉଟ୍ ହୋଇ ଥିଲେ।
GT ବନାମ SRH : ରେକର୍ଡ
ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ୭ଟି ମ୍ୟାଚ୍ ଖେଳା ଯାଇଛି ।
ଗୁଜରାଟ ଟାଇଟନ୍ସ ବିଜୟ: ୫ ମ୍ୟାଚ୍
ସନରାଇଜର୍ସ ହାଇଦ୍ରାବାଦ ବିଜୟ : ୧ ମ୍ୟାଚ୍
ଫଳାଫଳ ଶୂନ୍ୟ: ୧ ମ୍ୟାଚ୍
ଗୁଜରାଟ ଟାଇଟନ୍ସ ପ୍ଲେଇଂ -୧୧ : ଶୁଭମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର(ୱିକେଟକିପର), ୱାସିଂଟନ ସୁନ୍ଦର, ଜାସନ ହୋଲ୍ଡର, ନିଶାନ୍ତ ସିନ୍ଧୁ, ରାହୁଲ ତେୱାତିଆ, ରଶିଦ ଖାନ, ଅର୍ଶଦ ଖାନ, କାଗିସୋ ରାବାଡା, ମହମ୍ମଦ ସିରାଜ
ହାଇଦ୍ରାବାଦ ଟାଇଟନ୍ସ ପ୍ଲେଇଂ -୧୧ : ଅଭିଷେକ ଶର୍ମା, ଇଶାନ କିଷନ(ୱିକେଟକିପର), ହେନରିକ କ୍ଲାସେନ, ସଲିଲ ଆରୋରା ,ନୀତିଶ କୁମାର ରେଡ୍ଡୀ, ସ୍ମରଣ ରବିଚନ୍ଦ୍ରନ, , ପ୍ୟାଟ୍ କମିନ୍ସ (ଅଧିନାୟକ), ଶିବାଙ୍ଗ କୁମାର, ଇଶାନ ମାଲିଙ୍ଗା, ସାକିବ ହୁସେନ , ପ୍ରଫୁଲ୍ଲ ହିଙ୍ଗେ ।