ଗୁଜରାଟ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ସାଇକେଲ୍ରେ ସିଲିଣ୍ଡର ଓ ତେଲ ଟିଣ ନେଇ ଭୋଟ ଦେବାକୁ ପହଞ୍ଚିଲେ ଆପ୍ ପ୍ରାର୍ଥୀ

ରାଜକୋଟ୍,୧।୧୨: ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ ଗୁରୁବାର ଆରମ୍ଭ ହୋଇଛି। ରାଜକୋଟ୍ ଜିଲ୍ଳାର ରାଜକୋଟ୍ ପଶ୍ଚିମ ଆସନରୁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଦିନେଶ ଯୋଶୀ ଅଦ୍ଭୁତ ଢଙ୍ଗରେ ଭୋଟ୍ ଦେବାକୁ ପହଞ୍ଚିଥିଲେ। ସେଠାରେ ଥିବା ଲୋକମାନେ ତାଙ୍କର ଫଟୋ ମଧ୍ୟ ଉଠାଉଥିବାର ନଜର ଆସିଥିଲେ। ଯୋଶୀ ସାଇକେଲ୍ରେ ବସି ଏକ ଗ୍ୟାସ୍ ସିଲିଣ୍ଡର ଓ ଏକ ତେଲ ଟିଣ ନେଇ ନିଜର ପୋଲିଂ ବୁଥ୍ରେ ପହଞ୍ଚିଥିଲେ, ତାଙ୍କର ଏହି ଅନ୍ଦାଜ ଲୋକଙ୍କର ଧ୍ୟାନ ଆକର୍ଷଣ କରିଥିଲା।
ରାଜକୋଟ୍ ଓ୍ବେଷ୍ଟ ଆସନରୁ ପ୍ରାୟ ପ୍ରତି ପୋଲିଂ ବୁଥ୍ରେ ଲୋକମାନେ ମତଦାନ କରିବା ପାଇଁ ସକାଳୁ ଲାଇନ୍ରେ ଠିଆ ହୋଇଥିଲେ। ବିଶେଷ ଭାବରେ ପ୍ରଥମ ଥର ଭୋଟ ଦେବାକୁ ଆସିଥିବା ଯୁବପୀଢିଙ୍କ ଭିତରେ ଭୋଟିଂକୁ ନେଇ ଖୁବ୍ ଉତ୍ସାହିତ ଥିଲେ। ଭୋଟ ଦେବାକୁ ପହଞ୍ଚିଥିବା ଯୋଶୀ ମତଦାତାଙ୍କୁ କହିଥିଲେ, ଲୋକତନ୍ତ୍ରର ମହାପର୍ବରେ ଗୋଟିଏ ଭୋଟ୍ର ଶକ୍ତି ବହୁତ ବଡ। ତେଣୁ ସମସ୍ତଙ୍କୁ ନିଜର ଭୋଟ୍ ଦେବା ନିହାତି ଦରକାର।
ଉଲ୍ଲେଖନୀୟ ଯେ, ଏଥର ତ୍ରିକୋଣୀୟ ମୁକାବିଲା ରହିଛି। ବିଜେପିକୁ କଂଗ୍ରେସ ସହିତ ପ୍ରଥମ ଥର ଆମ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ ଚ୍ୟାଲେଞ୍ଜ ମିଳୁଛି। ଗତ ଦୁଇଥରର ବିଧାୟକ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ତାଙ୍କର ମୁକାବିଲା କଂଗ୍ରେସର ମନସୁଖ କଲାରିୟା ଓ ଆପ୍ର ଦିନେଶ ଯୋଶୀଙ୍କ ସହିତ ରହିଛି। ଗତ ଥର ବିଜୟ ରୂପାଣୀ କଂଗ୍ରେସର ଇନ୍ଦାଣୀ ରାଜଗୁରୁଙ୍କୁ ୫୩ ହଜାରରୁ ଅଧିକ ଭୋଟରେ ହରାଇଥିଲେ।