ବେଙ୍ଗାଲୁରୁ,୧୬/୧୨: ମହିଳା ପ୍ରିମିୟର  ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ତୃତୀୟ ସଂସ୍କରଣ ପାଇଁ ରବିବାର  ବେଙ୍ଗାଲୁରୁ ଠାରେ ନିଲାମ ଅନୁଷ୍ଠିତ ହୋଇଥିଲା । ଅନ୍‌କ୍ୟାପ୍‌ଡ ଖେଳାଳି ତଥା ମୁମ୍ବାଇର ପ୍ରତିଭାବାନ  ଅଲରାଉଣ୍ଡର ସିମରନ ଶୈଖ୍‌ ସବୁଠୁ ଦାମୀ ସାବ୍ୟସ୍ତ  ହୋଇଥିଲେ । ଗୁଜରାଟ ଜାଏଣ୍ଟ୍‌ସ ତାଙ୍କୁ ୧.୯୦କୋଟି  ଟଙ୍କାରେ କିଣିଥିଲା । 

ସେହିପରି ତାମିଲନାଡ଼ୁର ୧୬  ବର୍ଷୀୟା ବ୍ୟାଟର ଜି. କମଳିନୀ ୧.୬୦କୋଟି ଏବଂ  ଉତ୍ତରାଖଣ୍ଡ ସ୍ପିନର ପ୍ରେମା ରାୱତ ୧.୨୦କୋଟି ଟଙ୍କାରେ  ବିକ୍ରି ହୋଇଥିଲେ । ବିଦେଶୀ ଖେଳାଳିଙ୍କ ମଧ୍ୟରେ  ୱେଷ୍ଟଇଣ୍ଡିଜର ତାରକା ଅଲରାଉଣ୍ଡର ଡିଣ୍ଡ୍ରା ଡଟିନ୍‌  ସବୁଠୁ ଉଚ୍ଚା ଦାମରେ ବିକ୍ରି ହୋଇଥିଲେ । ଗୁଜରାଟ  ତାଙ୍କୁ ୧.୭୦ କୋଟିରେ କିଣିଥିଲା । ମାତ୍ର  ଭାରତୀୟ ସ୍ପିନର ସ୍ନେହ ରାଣା, ଇଂଲଣ୍ଡର  ଲାଉରେନ ବେଲ, ହିଦର ନାଇଟ୍‌, ଦକ୍ଷିଣ  ଆଫ୍ରିକାର ଲିଜେଲି ଲି’ଙ୍କୁ କିଣିବା ପାଇଁ  କୌଣସି ଫ୍ରାଞ୍ଚାଇଜ ଆଗ୍ରହ ଦେଖାଇ ନଥିଲେ ।  ଯାହାକି କ୍ରିକେଟ୍‌ପ୍ରେମୀଙ୍କୁ ଚକିତ କରିଥିଲା । ନିଲାମରେ ୫ଟି ଯାକ ଫ୍ରାଞ୍ଚାଇଜ ଦଳ ମୋଟ  ୧୯ଜଣ ଖେଳାଳି କ୍ରୟ କରିଥିଲେ । ସେଥିମଧ୍ୟରେ  ୫ଜଣ ବିଦେଶୀ ଖେଳାଳି ରହିଥିଲେ । ନିଲାମରେ  ମୋଟ ୧୨୦ଜଣ ଖେଳାଳି ସାମିଲ ହୋଇଥିଲେ । 

୨୨ବର୍ଷୀୟା ସିମ୍ରନଙ୍କୁ କିଣିବା ପାଇଁ ଦିଲ୍ଲୀ  କ୍ୟାପିଟାଲ୍ସ ଓ ଗୁଜରାଟ ମଧ୍ୟରେ ଜୋରଦାର ଲଢ଼େଇ  ହୋଇଥିଲା । ଶେଷରେ ଗୁଜରାଟ ୧.୬୦କୋଟି  ଡାକିଥିଲା ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଓହରି ଯାଇଥିଲା ।  ଗତ ଡବ୍ଲ୍ୟୁପିଏଲ୍‌ରେ ସିମ୍ରନ ୟୁପି ୱାରିୟର୍ସ ଦଳ  ସଦସ୍ୟ ରହିଥିଲେ। ମାତ୍ର ଏଥର ଦଳ ତାଙ୍କୁ ନିଲାମ  ପାଇଁ ମୁକ୍ତ କରିଥିଲା । ନିଲାମରେ ତାଙ୍କ ମୂଳ ଦର  ୧୦ଲକ୍ଷ ରହିଥିଲା । ଚଳିତ ବର୍ଷ ସିନିୟର ମହିଳା  ଟି-ଟ୍ୱେଣ୍ଟି ଟ୍ରଫିରେ ସିମ୍ରନ ମୁମ୍ବାଇ ପକ୍ଷରୁ ୧୧ଟି ମ୍ୟାଚ୍‌  ଖେଳି ୧୭୬ରନ୍‌ ସଂଗ୍ରହ କରିଥିଲେ । ଅନ୍‌କ୍ୟାପ୍‌ଡ ଖେଳାଳି କମଳିନୀଙ୍କ ମୂଳ ଦର  ୧୦ଲକ୍ଷ ରହିଥିଲା । ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୬୦  କୋଟି ଟଙ୍କାରେ କିଣି ଦଳରେ ସାମିଲ କରିଥିଲା ।  କମଳିନୀ ଚଳିତ ୧୯ବର୍ଷରୁ କମ୍‌ ମହିଳା ଏସିଆ  କପ୍‌ ଟି-ଟ୍ୱେଣ୍ଟିରେ ଭାରତୀୟ ଦଳ ସଦସ୍ୟା ରହିଛନ୍ତି ।  ଅନ୍ୟ ଯୁବା ଖେଳାଳି ପ୍ରେମାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁ ୧.୨୦କୋଟିରେ କ୍ରୟ କରିଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସ: ଏନ୍‌ ଚରଣି (୫୫ଲକ୍ଷ),  ନନ୍ଦିନୀ କାଶ୍ୟପ୍‌ (୧୦ଲକ୍ଷ), ସାରା ବ୍ରାଏସ୍‌  (ସ୍କଟଲାଣ୍ଡ, ୧୦ଲକ୍ଷ), ନିକି ପ୍ରସାଦ (୧୦ଲକ୍ଷ)। 

ଗୁଜରାଟ ଜାଏଣ୍ଟ୍‌ସ: ସିମ୍ରନ ଶୈଖ  (୧.୯୦କୋଟି), ଡିଣ୍ଟ୍ରା ଡଟିନ୍‌ (ୱେଷ୍ଟଇଣ୍ଡିଜ୍‌,  ୧.୭୦କୋଟି), ଡାନିଏଲ ଗିବସନ (ଇଂଲଣ୍ଡ୍‌,  ୩୦ଲକ୍ଷ), ପ୍ରକାଶିକା ନାଏକ (୧୦ଲକ୍ଷ) । 

ମୁମ୍ବାଇ ଇଣ୍ଡିଆନ୍ସ: ଜି. କମଳିନୀ  (୧.୬୦କୋଟି), ନାଦିନ ଡି କ୍ଲର୍କ (ଦକ୍ଷିଣ  ଆଫ୍ରିକା, ୩୦ଲକ୍ଷ), ଅକ୍ସିତା ମାହେଶ୍ୱରୀ  (୨୦ଲକ୍ଷ), ଏସ୍‌ ଗୁପ୍ତା (୧୦ଲକ୍ଷ) । 

ରୟାଲ ଚ୍ୟାଲେଞ୍ଜର୍ସ: ପ୍ରେମା ରାୱତ  (୧.୨୦କୋଟି), ଯୋଶିତା ଜେଭି (୧୦ଲକ୍ଷ),  ରାଘବୀ ବିଷ୍ଟ (୧୦ଲକ୍ଷ), ଜଗ୍ରାଭି ପାୱାର  (୧୦ଲକ୍ଷ) । 

ୟୁପି ୱାରିୟର୍ସ: ଆଲାନା କିଙ୍ଗ୍‌ (ଅଷ୍ଟ୍ରେଲିଆ,  ୩୦ଲକ୍ଷ), ଆରୁଷି ଗୋଏଲ (୧୦ଲକ୍ଷ), କ୍ରାନ୍ତି  ଗୌଡ଼(୧୦ଲକ୍ଷ) ।