ବାପା’ ମା’ ଓ ୩ ବର୍ଷର ଝିଅକୁ ଅପହରଣ…

ମୁକ୍ତ ପାଇଁ ୨ କୋଟି ଦାବି…

ଲିବିଆରୁ ହୋଇଛନ୍ତି ନିଖୋଜ…

ନୂଆଦିଲ୍ଲୀ: ଗୁଜୁରାଟର ମେହସାଣା ଜିଲ୍ଲାରୁ ଏକ ଦୁଃଖଦ ଘଟଣା ଏବେ ସାମ୍ନାକୁ ଆସିଛି। ପର୍ତ୍ତୁଗାଲରେ ବସବାସ କରିବାର ସ୍ୱପ୍ନ ନେଇ ବାହାରିଥିବା ଏକ ଦମ୍ପତି ଏବଂ ସେମାନଙ୍କର ତିନି ବର୍ଷର ଝିଅକୁ ଲିବିଆରେ ଅପହରଣ କରାଯାଇଛି। ଅପହରଣକାରୀ ମାନେ ସେମାନଙ୍କୁ ମୁକ୍ତ କରିବା ପାଇଁ ୨ କୋଟି ଟଙ୍କା ନଗଦ ଦାବି କରିଛନ୍ତି। ଏହି ଘଟଣା ପରେ ପରିବାରରେ ଚିନ୍ତା ଏବଂ ଆତଙ୍କର ବାତାବରଣ ଖେଳିଯାଇଛି। ପୋଲିସ ଅନୁଯାୟୀ, ଅପହୃତ ପରିବାର ଜିଲ୍ଲାର ବାଦଲପୁରା ଗାଁର ବାସିନ୍ଦା। ଅପହରଣ ହୋଇଥିବା ପୀଡିତ ମାନେ ହେଲେ, କିସମତ ସିଂହ ଚାଭଡା, ତାଙ୍କ ସ୍ତ୍ରୀ ହୀନାବେନ ଏବଂ ସେମାନଙ୍କର ତିନି ବର୍ଷର ଝିଅ ଦେବାଂଶୀ ବୋଲି ଚିହ୍ନଟ କରାଯାଇଛି।

ପର୍ତ୍ତୁଗାଲରେ ରହିବାକୁ ଥିଲା ଯୋଜନା…

ପୋଲିସ ଅଧୀକ୍ଷକ ହିମାଂଶୁ ସୋଲାଙ୍କି କହିଛନ୍ତି ଯେ, କିସମତ ସିଂହଙ୍କ ଭାଇ ପର୍ତ୍ତୁଗାଲରେ ରୁହନ୍ତି। ତାଙ୍କ ମାଧ୍ୟମରେ ପରିବାର ସେଠାରେ ବସବାସ କରିବାକୁ ଯୋଜନା କରୁଥିଲେ। ଏଥିପାଇଁ ସେମାନେ ପର୍ତ୍ତୁଗାଲରେ ରହୁଥିବା ଜଣେ ଏଜେଣ୍ଟଙ୍କ ସାହାଯ୍ୟ ନେଇଥିଲେ। ପୋଲିସ ଅନୁଯାୟୀ, ଏହି ମାମଲାରେ ଜଡିତ ଏଜେଣ୍ଟ ମାନେ ଭାରତୀୟ ନୁହଁନ୍ତି।

​​​​​​​

କେଉଁ ଠାରେ ବସିଥିଲେ ବିମାନରେ ?

ସୂଚନା ଅନୁଯାୟୀ, ପରିବାର ନଭେମ୍ବର ୨୯ ତାରିଖରେ ଅହମ୍ମଦାବାଦରୁ ଦୁବାଇ ଯାତ୍ରା କରିଥିଲେ। ପରେ ସେମାନଙ୍କୁ ଲିବିଆର ବେଙ୍ଗାଜି ନିଆଯାଇଥିଲା, ଯେଉଁଠାରେ ସେମାନଙ୍କୁ ଅପହରଣ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି।

ମୁକ୍ତ କରିବାକୁ ୨ କୋଟି ଦାବି…

ଅଧିକାରୀ ମାନେ କହିଛନ୍ତି ଯେ ଅପହରଣ ପରେ, ଅପରାଧୀ ମାନେ ମେହସାନାରେ ରହୁଥିବା ପରିବାରର ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିଥିଲେ । ଆଉ ସେମାନଙ୍କୁ ମୁକ୍ତ କରିବାକୁ ୨ କୋଟି ଟଙ୍କା ଦାବି କରିଥିଲେ। ଏହା ପରେ, ପରିବାର ପ୍ରଶାସନକୁ ସାହାଯ୍ୟ ପାଇଁ ଆବେଦନ କରିଥିଲେ।

ଏହି ଘଟଣାରେ ମେହସାନା ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ, ରାଜ୍ୟ ସରକାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସମଗ୍ର ବିଷୟ ବିଷୟରେ ଅବଗତ କରାଯାଇଛି। ସୂତ୍ର ଅନୁସାରେ, ସ୍ଥାନୀୟ ବିଧାୟକ ସି.ଜେ. ଚାଭଡା ମଧ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହିତ ଏହି ମାମଲା ଉଠାଇଛନ୍ତି, ପରିବାରର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଆଶା କରୁଛନ୍ତି ।