ନୂଆଦିଲ୍ଲୀ ୨୧/୦୨: ଗୁଜରାଟ ସରକାର ବିଧାନସଭାରେ ବିବାହ ପଞ୍ଜୀକରଣ ନିୟମରେ ସଂଶୋଧନର ଡ୍ରାଫ୍ଟ ଉପସ୍ଥାପନ କରିଛନ୍ତି । ପ୍ରସ୍ତାବିତ ସଂଶୋଧନ ଅନୁସାରେ, ଏଣିକି ପ୍ରେମ ବିବାହ ପାଇଁ ଆବେଦନ କଲେ, ପୁଅ-ଝିଅଙ୍କ ଅଭିଭାବକଙ୍କୁ ହ୍ୱାଟ୍ସଆପ୍ରେ ସୂଚନା ମିଳିବ । ଆବେଦନର ୪୦ତମ ଦିନ ବିବାହ ପ୍ରମାଣପତ୍ର ମିଳିବ ।
ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘଭି କହିଛନ୍ତି, ପ୍ରେମ ବିବାହରେ ଆମର କୌଣସି ଆପତ୍ତି ନାହିଁ । କିନ୍ତୁ ଯଦି କେହି ସଲିମ ସୁରେଶ ହୋଇ ଆମ ଝିଅଙ୍କୁ ବହଲାଇ ନେଇଯାଏ, ଆମେ ତାକୁ ଛାଡ଼ିବୁ ନାହିଁ । ଏଥିପାଇଁ ରାଜ୍ୟରେ ଏଭଳି ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା ଅଭିଭାବକଙ୍କ ଅନୁମତିରେ ବିବାହ କରୁଥିବା ଏବଂ ପ୍ରେମ ବିବାହରେ ନିଜର ପରିଚୟ ଲୁଚାଉ ନ ଥିବା ଲୋକଙ୍କର କୌଣସି ସମସ୍ୟା ହେବ ନାହିଁ । ନୂଆ ବ୍ୟବସ୍ଥାରେ ନୋଟାରୀ କାମ ସମସ୍ତଙ୍କ ଉପସ୍ଥିତିରେ କରିବାକୁ ପଡ଼ିବ । ଆଗାମୀ ଦିନରେ ପ୍ରେମ ବିବାହର ପଞ୍ଜୀକରଣ ପାଇଁ ଏକ ଅଲଗା ଅନ୍ଲାଇନ୍ ପୋର୍ଟାଲ ଆରମ୍ଭ ଲାଗି ପ୍ରସ୍ତୁତି ଚାଲିଥିବା ସଂଘଭି କହିଛନ୍ତି । ଏଥିରେ ପଞ୍ଜୀକରଣ ପାଇଁ ଆବେଦନ ଜମା ହେବା ମାତ୍ରେ, ବିବାହ ପଞ୍ଜୀକରଣରେ ଝିଅ ଦେଇଥିବା ସୂଚନା ଅଭିଭାବକଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ଦିଆଯିବ । ଝିଅଙ୍କ ସୁରକ୍ଷା ସହିତ ନ୍ୟାୟିକ ପ୍ରକ୍ରିୟାକୁ ମଜଭୁତ କରିବା ପାଇଁ ବିବାହ ପଞ୍ଜୀକରଣ ନିୟମରେ ସଂଶୋଧନ ଆବଶ୍ୟକ ବୋଲି ସେ କହିଛନ୍ତି ।
ଆହୁରି ପଢ଼ନ୍ତୁ :- କିଏ ଭାରତୀୟ ବଂଶୋଦ୍ଭବ ଓକିଲ ନୀଲ କଟିଆଲ ? ଯାହାଙ୍କ ଆଗରେ ଟାରିଫ୍କୁ ନେଇ ଫେଲ୍ ମାରିଲା ଟ୍ରମ୍ପଙ୍କ ଯୁକ୍ତି