ପୁରୀ,୧୫/୦୫: ରଥଯାତ୍ରା ପୂର୍ବରୁ ନୂଆ ରୂପରେ ଦିଶିବ ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗ ବା ଦକ୍ଷିଣ ପାଶ୍ୱର୍କୁ ସୌନ୍ଦର୍ଯ୍ୟକରଣ କରାଯାଉଛି । ଏହି କାର୍ଯ୍ୟକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିରୀକ୍ଷଣ କରିଛନ୍ତି ।  ଏହି କାର୍ଯ୍ୟକୁ ରଥଯାତ୍ରା ପୂର୍ବରୁ  ସାରିବାକୁ ଲକ୍ଷ୍ୟ ରହିଥିବା ସେ ତାଙ୍କ  ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।  ଜନ୍ମବେଦିର ସିଂହଦ୍ୱାର ଦୁଇପାଶ୍ୱର୍ରେ  ଦୁଇଟି ସୂଚନାକେନ୍ଦ୍ର ତଥା ଡୋନେସନ  ସେଲ୍‌ କରାଯାଉଛି । ଏହା ଉପର ପାଶ୍ୱର୍  ବଡ଼ଦେଉଳ ଉପରି ଭାଗ ଭଳି ପ୍ରତୀୟମାନ  ହେବ । 

ସେହିପରି ଶ୍ରୀମନ୍ଦିର ସିଂହଦ୍ୱାର  ସମ୍ମୁଖରେ ଲାଗିଥିବା ଏକ ବଡ଼ ଏଲ୍‌ଇଡି  ଟିଭି ଭଳି ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର  ବାହାରେ ମଧ୍ୟ ଗୋଟିଏ ବଡ଼ ଏଲ୍‌ଇଡି  ଟିଭି ଲାଗିବ । ଏହି ଏଲ୍‌ଇଡି ଟିଭିରେ  ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଦର୍ଶିତ ହେବ । ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ  ଭାଗ ଚଟାଣ ଓ ପାଚେରିକୁ ଖଣ୍ଡେଲାଇଟ୍‌  ପକାଇ ଅଧିକ ସୌନ୍ଦର୍ଯ୍ୟକରଣ  କରାଯାଉଛି । ପାଚେରିରେ ଆର୍ଟିଷ୍ଟିକାଲ ଭ୍ୟୁ’  ଦିଆଯାଉଛି । ଲ୍ୟାଣ୍ଡ ସ୍କେପିଂ ଦ୍ୱାରା ଶ୍ରୀଗୁଣ୍ଡିଚା  ମନ୍ଦିର ସମ୍ମୁଖ ଭାଗକୁ ଆହୁରି ମନୋରମ  କରାଯିବ । ମେଘନାଦ ପାଚେରି ଓ ସମ୍ମୁଖ  ଭାଗକୁ ଉଜ୍ୱଳ ଆଲୁଅରେ ଆଲୋକୀକରଣ  କରାଯିବ । ଯେପରି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ  ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ ଓ ଧାର୍ମିକ  ବାତାବରଣକୁ ଅହୁରି ରୁଦ୍ଧିମନ୍ତ କରିବ  ଏହାକୁ ବିଶେଷ ଫୋକସ୍‌ ଦିଆଯାଉଛି । ଶ୍ରୀମନ୍ଦିର ପ୍ରଶାସନର ପ୍ରତ୍ୟକ୍ଷ  ନିରୀକ୍ଷଣରେ ଏହି କାର୍ଯ୍ୟ ହେଉଛି ।  ପ୍ରାୟ ୧ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ  କାମ ହେଉଛି । ଚଳିତ ମାସ ଶେଷ  ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।  ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ  ଦେବବ୍ରତ ସାହୁ କହିଛନ୍ତି, ମୁଖ୍ୟ  ପ୍ରଶାସକଙ୍କ ନିରୀକ୍ଷଣରେ କାମ ହେଉଛି ।  ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ବାହାର  ପାଶ୍ୱର୍କୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭଳି  ଆକର୍ଷଣୀୟ ଓ ମନୋରମ କରାଯିବ ।  ଏହା ଶ୍ରଦ୍ଧାଳୁଙ୍କୁ ନୂଆ ଅନୁଭୂତି ଦେବ ।