ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା

ପୁରୀ, ୦୨/୦୭: ପୁରୀ ଗୁଣ୍ଡିଚା ମନ୍ଦିରରେ ରୋଷ ଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ମୋଟ ୭୫୨ ଚୁଲିରୁ ୨୦ ଟି ଚୁଲି ଭଙ୍ଗା ଯାଇଥିବା ସୁଆର ମହାସୁଆର ପକ୍ଷରୁ ସୂଚନା ମିଳିଛି । ଆଡ଼ପ ଅବଢ଼ା ରନ୍ଧା ପାଇଁ ୩ ଦିନ ତଳେ ଚୁଲି ଗୁଡିକ ତିଆରି ହୋଇଥିଲା। ତେବେ କୋଠଭୋଗ ଚୁଲି ସୁରକ୍ଷିତ ରହିଛି । କେହି ଜାଣିଶୁଣି ଗୁଣ୍ଡିଚା ମନ୍ଦିରର ୨୦ରୁ ଅଧିକ ଚୁଲିକୁ ଭାଙ୍ଗିଥିବା ସନ୍ଦେହ କରାଯାଉଛି । ତେବେ କଡା ସୁରକ୍ଷାରେ ଥିବା ଗୁଣ୍ଡିଚା ମନ୍ଦିରରେ ପଶି ଦୁର୍ବୃତ୍ତ ଚୁଲି ଭାଙ୍ଗିଥିବାରୁ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତାକାଲି ଅଡ଼ପ ଅବଢ଼ା ତିଆରି ହେବାକୁ ଥିବା ଚୁଲି ଗୁଡିକ ପୁଣି ମରାମତି ଚାଲିଥିବା ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ଗତ କିଛି ମାସ ତଳେ ପୁରୀ ଶ୍ରୀମନ୍ଦିର ରୋଷ ଘରୁ ୧୦୦ରୁ ଅଧିକ ଚୁଲିକୁ ଭାଙ୍ଗି ଦେଇଥିଲା ଦୁର୍ବୃତ୍ତ । ତଦନ୍ତ ପରେ ଦୁର୍ବୃତ୍ତକୁ ଗିରଫ କରାଯଇଥିଲା । ମାତ୍ର ଏବେ ପୁଣି ଥରେ ଗୁଣ୍ଡିଚା ମନ୍ଦିର ଚୁଲି ଭଙ୍ଗାଯିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ତେବେ କିଏ କାହିଁକି ଏପରି କଲା ସେ ନେଇ କିଛି ସ୍ପଷ୍ଟ ହୋଇନି ।