ଚମ୍ପୁଆ/ଯୋଡା : ରାତାରାତି ବଦଳି ଯାଇଛି ଭାଗ୍ୟ। ଦିନ ମଜୁରିଆ ଜୀବନ ଜିଉଁଥିବା ଜଣେ ଯୁବକ ଆଜି ପାଲଟି ଯାଇଛନ୍ତି କୋଟି ପତି। ରାତା ରାତି ଏଭଳି ଭାଗ୍ୟ ବଦଳି ଯିବା କୌଣସି ଚମତ୍କାରଠୁ କମ୍‌ ନୁହେଁ। ଅନଲାଇନ ଗେମରେ ଜ୍ୟାକପଟ୍‌ ଲାଗିବା ପରେ ତିନି କୋଟି ଟଙ୍କା ସହ ଗୋଟିଏ ମହେନ୍ଦ୍ର ଥର୍‌ ଗାଡି ଜିତିଛନ୍ତି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର କ୍ଷେତ୍ରର ରେଭେନସାପୁର ଗ୍ରାମର ଗୁରୁଚରଣ ଜମୁଦା (୨୯) । ଏହାକୁ ନେଇ ଗୁରୁଚରଣଙ୍କ ପରିବାର ସହ ଅଞ୍ଚଳେରେ ଖୁସିର ଲହରୀ ଖେଳି ଯାଇଛି । 

ଗୁରୁଚରଣ ଅନଲାଇନ ଆପ ଦ୍ୱାରା ଆଇପିଏଲ୍‌ରେ ମାତ୍ର ୪୯ ଟଙ୍କା ଲଗାଇ ତିନି କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଥର୍‌ ମଧ୍ୟ ମିଳିବ ବୋଲି ଜଣାପଡିଛି । ଜ୍ୟାକପଟ୍‌ ଲାଗିବା ପରେ ମୁମ୍ବାଇରୁ ଅନଲାଇନ୍‌  ଆପ୍‌ର ମ୍ୟାନେଜର ଗୁରୁଚରଣକୁ ଫୋନ ଓ ଇ-ମେଲ ଦ୍ୱାରା ଅଭିନନ୍ଦନ ଜଣାଇବା ସହ ଜ୍ୟାକପଟ୍‌ ଜିତିବା ଖବର ଦେବା ପରେ ପରିବାରରେ ଏବେ ଖୁସିର ପରିବେଶ । ଗୁରୁଚରଣଙ୍କ ପରିବାରରେ ମୋଟ ପାଞ୍ଚ ଭାଇ । ସମସ୍ତ ଏକାଠି ଜୀବନ ଯାପନ କରୁଛନ୍ତି । 

କିଛି ବର୍ଷ ପୂର୍ବେ କାନପୁର ଜଳ ପ୍ରକଳ୍ପ ଦ୍ୱାରା ସେମାନେ ବିସ୍ଥାପିତ ହୋଇ ଯାଇଥିଲେ । ସେତେବେଳେ ତାଙ୍କୁ କ୍ଷତିପୂରଣ ସ୍ୱରୂପ କେବଳ ୮ରୁ୯ ଲକ୍ଷ ଟଙ୍କା ମିଳିଥିଲା । ସେହି ଟଙ୍କାରୁ ପୁଣି ଅନ୍ୟ ସ୍ଥାନରେ ଘର ତିଆରି କରି ସପରିବାର ଗୁଜାରଣ କରିବା ଅତିକଷ୍ଟକର ଥିଲା । କିନ୍ତୁ ପାଞ୍ଚ ଭାଇ ମିଳିମିଶି ଘର ନିର୍ମାଣ କଲେ  ।   ନିକଟରେ ଥିବା ଲୌହ ଅୟସ୍କ ଖଣିଜରେ ଦିନ ମଜୁରି କରି ନିଜ ପରିବାରର ଭରଣ ପୋଷଣ କରୁଥିଲେ । ଆର୍ଥିକ ମାନ୍ଦାବସ୍ଥାରୁ ଗୁରୁଚରଣ ନିଜ ଏକ ଘର ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ କରି ରଖିଥିଲେ । ଅଭାବ ଅସୁବିଧା କାରଣରୁ ୨୦୨୪ ରେ ଆରମ୍ଭ କରିଥିଲେ ଅନଲାଇନ୍‌ ଆପ୍‌ ସହ ମିତ୍ରତା । 

ଗୁରୁଚରଣ ଗତବର୍ଷ ଜୁନ ମାସରେ ଅନଲାଇନ୍‌ ବ୍ୟାଟିଂ ଆପ୍‌ ସହ  ଯୋଡି ହୋଇଥିଲେ । ଏହା ଶିଖିବା ପାଇଁ  କିଛି ମାସ ୟୁଟ୍ୟୁବରେ ଏହା ବିଷୟରେ ତଥ୍ୟ ନେଇ ବ୍ୟାଟିଂ ଆପ୍‌ରେ ପ୍ରୟାସ କରିଲେ । ଗତ ୨୫ ତାରିଖ ଦିନ ଗୁଜୁରାଟ ବନାମ ପଞ୍ଜାବ ଆଇପିଏଲ ମ୍ୟାଚରେ  ମାତ୍ର ୪୯ ଟଙ୍କା ଲଗାଇ ଶୋଇ ପଡିଥିଲେ ଗୁରୁଚରଣ । ଅଧା ରାତିରେ ନିଦ ଭାଙ୍ଗିବାରୁ ଗୁରୁଚରଣ ଆପ୍‌ ଖୋଲି  ଯାହା ଦେଖିଲେ ତାହା ତାଙ୍କ ଆଖିକୁ ବିଶ୍ୱାସ ହେଲା ନାହିଁ । ତୁରନ୍ତ ଯାଇ ସେ ପାଖ ଘରେ ଥିବା ବଡ଼ ଭାଇଙ୍କୁ ନିଜ ମୋବାଇଲ ଦେଖାଇଲେ । ୱାଲଟରେ ତିନି କୋଟି ଟଙ୍କା ଆସିଥିବା ବଡ ଭାଇ ଦେଖି କହିବାରୁ  ଜ୍ୟାକପଟ୍‌ ଲାଗିଥିବା ଖୁସିରେ ଭାଇକୁ କୁଣ୍ଢେଇ ପକାଇଥିଲେ ଗୁରୁଚରଣ । 

ଏହାପରେ ସପରିବାର ପାରମ୍ପରିକ  ଆଦିବାସୀ ନୃତ୍ୟ ଓ କେକ କାଟି  ଖୁସି ପାଳନ କରିଥିଲେ । ଏହି ଖବର ପ୍ରଘଟ ହେବା ପରେ ନିକଟ ଗ୍ରାମରୁ ଲୋକେ ଗୁରୁଚରଣଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ଘରକୁ ଆସିଥିଲେ । ମିଳିଥିବା ଏହି ଅର୍ଥରେ ନିଜର ଅଧାଗଢା ଘର ସମ୍ପୂର୍ଣ୍ଣ କରିବା ସହ ଅଭାବଗସ୍ତଙ୍କୁ ସାହାଯ୍ୟ କରିବା କଥା କହିଛନ୍ତି ଗୁରୁଚରଣ ।