ଭୁବନେଶ୍ୱର,୨୪/୧୨: ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ୭୬ ତମ ଜନ୍ମଦିନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟପାଳ ରଘୁବର ଦାସ ଏକ ବାର୍ତ୍ତାରେ କହିଛନ୍ତି ଯେ ଜଣେ ପ୍ରସିଦ୍ଧ ବିଦ୍ୱାନ ଓ ଆଧ୍ୟାତ୍ମିକ ଚିନ୍ତକ ଭାବରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିବା ସହିତ ଭାରତୀୟ ଆଧ୍ୟାତ୍ମିକ ସଂସ୍କୃତିର ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରିବାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସହାୟ ହେବାକୁ ପ୍ରାର୍ଥନା କରୁଛି ବୋଲି ରାଜ୍ୟପାଳ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଓଡ଼ିଶା ମାଟିର ଜଣେ ସୁଯୋଗ୍ୟ ସନ୍ତାନ । ସେ ଜଣେ ମହାନ୍ ଗୁରୁ ଓ ଦିବ୍ୟାତ୍ମା । ମୁଁ ତାଙ୍କର ଦୀର୍ଘ, ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ସଦ୍ଗୁରୁ ଶ୍ରୀସାଇନାଥଙ୍କ ଚରଣରେ ପ୍ରାର୍ଥନା କରୁଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୁରୁଜୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ତାଙ୍କର ଜ୍ଞାନ, କରୁଣା ଓ ମାର୍ଗଦର୍ଶନ ଅସଂଖ୍ୟ ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଗୁରୁଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ତାଙ୍କର ମାନସିକ ଓ ଆଧ୍ୟାତ୍ମିକ ସମର୍ଥନ ମୁଁ ନିଜେ ଓ ଅଗଣିତ ବ୍ୟକ୍ତି ଅନୁଭବ କରିଆସିଛନ୍ତି । ମୁଁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛି ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ପ୍ରାକ୍ତନ ସଚିବ ସୀତାକାନ୍ତ ମହାପାତ୍ର ଗୁରୁଜୀଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେହିପରି ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ ଗୁରୁଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।