ଚଳିତ ଫେବ୍ରୁଆରୀ ମାସ ୯ ତାରିଖରେ ଆମେରିକା ପାର୍ଲାମେଣ୍ଟର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ସଦନରେ ଫ୍ଲୋରିଡ଼ା ରାଜ୍ୟ ରିପବ୍ଲିକାନ ଦଳର ସଦସ୍ୟ ଗ୍ରେଗ୍ ଷ୍ଟେଉବ୍ ଏକ ବିଲ୍ ଉପସ୍ଥାପନ କରିଛନ୍ତି "ଶୋଷଣକାରୀ ଆମଦାନୀ ଶ୍ରମିକ ରିହାତି ଆଇନର ସମାପ୍ତି (The Ending Exploitative Imported Labor Exemptions Act (EXILE Act) . ଅଧିକ ତର୍ଜମା ନିମନ୍ତେ ବିଲ୍କୁ କମିଟିକୁ ପଠାଯାଇଛି ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି- ଇମିଗ୍ରେସନ ଏବଂ ଜାତୀୟତା ଆଇନରେ ସଂଶୋଧନ ଆଣି ଏଚ୧ବି ଭିସା କାର୍ଯ୍ୟକ୍ରମକୁ ୨୦୨୭ ମସିହା ଆରମ୍ଭରୁ ସମାପ୍ତ କରାଯିବ । ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୨ ତାରିଖରେ ଏଚ୍୧ବି ଭିସା କାର୍ଯ୍ୟକ୍ରମକୁ ପର୍ଯ୍ୟାୟକ୍ରମେ ସମାପ୍ତ କରିବା ପାଇଁ ରିପବ୍ଲିକାନ୍ ଦଳର ସାଂସଦ ଟେଲର୍ ଗ୍ରୀନ୍ ଅନ୍ୟ ଏକ ବିଲ୍ ‘End H-1B Now’ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ଉପସ୍ଥାପନା କରିଥିଲେ । ତାହା ମଧ୍ୟ ବିଚାରବିମର୍ଶ ନିମନ୍ତେ କମିଟିକୁ ପଠାଯାଇଛି । ୨୦୨୫ ମସିହା ନଭେମ୍ବର ୨୦ ତାରିଖରେ ଟେକ୍ସାସ୍ର ରିପବ୍ଲିକାନ ଦଳ ସାଂସଦ ଚିପ୍ ରୟ ହାଉସ୍ ଅଫ୍ ରିପ୍ରଜେଣ୍ଟେଟିଭ୍ରେ ଏକ ବିଲ୍ ଉପସ୍ଥାପନା କରିଥିଲେ- "ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ ନହେବା ପର୍ଯ୍ୟନ୍ତ ସମସ୍ତ ଅବାଧ ପ୍ରବେଶ ବନ୍ଦ ରଖାଯାଉ’- The Pausing All Admissions Until Security Ensured (PAUSE) । ପ୍ରକାରାନ୍ତରେ, ଏଚ୧ବି ଭିସା କାର୍ଯ୍ୟକ୍ରମକୁ ସମାପ୍ତ କରିବା ହିଁ ଏହାର ଆଭିମୁଖ୍ୟ । ସେହି ବର୍ଷ ସେପ୍ଟେମ୍ବର ୧୯ ତାରିଖରେ ରାଷ୍ଟ୍ରପତିଙ୍କ ଘୋଷଣାନାମା ଆଧାରରେ ଆବେଦନକାରୀଙ୍କ ସଂଖ୍ୟା ହ୍ରାସ କରିବା ନିମନ୍ତେ ଏଚ୧ବି ଭିସା ଶୁଳ୍କ ସର୍ବୋଚ୍ଚ ୪,୫୦୦ ଡଲାରରୁ ୧,୦୦,୦୦୦ ଡଲାରକୁ ବୃଦ୍ଧି କରାଗଲା । ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ହିଁ ଏ ସମସ୍ତ ପ୍ରକ୍ରିୟାର ଏକମାତ୍ର ଆଭିମୁଖ୍ୟ ।
ଏଚ୧ବି ଭିସା କ'ଣ ଓ କେଉଁମାନେ ଆବେଦନ କରନ୍ତି: ଏଚ୧ବି ଭିସା ହେଉଛି ଆମେରିକୀୟ ଅଣ-ପ୍ରବାସୀ ନିଯୁକ୍ତିଦାତା ପ୍ରାୟୋଜିତ ଭିସା, ଯାହା କମ୍ପାନୀମାନଙ୍କୁ ବିଶେଷ ଯୋଗ୍ୟତାସଂପନ୍ନ ଉଚ୍ଚଶିକ୍ଷିତ ବୃତ୍ତିଧାରୀମାନଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେବାପାଇଁ ଅନୁମତି ଦେଇଥାଏ । ୧୯୯୦ ମସିହାରେ ଏହି ଯୋଜନା ଆରମ୍ଭ ହୋଇଥିଲା । ମୁଖ୍ୟତଃ ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଡାକ୍ତରୀ/ସ୍ୱାସ୍ଥ୍ୟସେବା, ଫାଇନାନ୍ସ ଏବଂ ଉଚ୍ଚତର ଗବେଷଣା କ୍ଷେତ୍ର ନିମନ୍ତେ ଏହା ପ୍ରଯୁଜ୍ୟ । କୌଣସି ବ୍ୟକ୍ତିବିଶେଷ ଏହି ଭିସା ଆବେଦନ କରିପାରିବେ ନାହିଁ, କେବଳ ନିଯୁକ୍ତିଦାତା କମ୍ପାନୀ ହିଁ କର୍ମଚାରୀଙ୍କ ନିମନ୍ତେ ଏହା ଆବେଦନ କରିପାରିବେ । ୨୦୦୪ ମସିହାରୁ ଏହି ଭିସା ସଂଖ୍ୟା ୮୫,୦୦୦କୁ ସୀମିତ କରାଯାଇଛି । ଏଥିମଧ୍ୟରୁ ସାମଗ୍ରିକ ଭାବେ ୬୮-୭୨% ହେଉଛନ୍ତି ଭାରତୀୟ । ଏହି ଭିସା ଆଧାରରେ ଜଣେ ବ୍ୟକ୍ତି ଆମେରିକାରେ ତିନି ବର୍ଷ କାମ କରିପାରିବେ ଏବଂ ଆବଶ୍ୟକ ହେଲେ ଆଉ ତିନିବର୍ଷ ସମୟ ସୀମା ବଢ଼େଇ ଦିଆଯାଇପାରେ ।
ଦ୍ୱିତୀୟ ପାଳି ଶାସନକାଳର ପ୍ରାରମ୍ଭରୁ ରାଷ୍ଟ୍ରପତି ଟ୍ରମ୍ପ "ମେକ୍ ଆମେରିକା ଗ୍ରେଟ୍ ଏଗେନ' ଏହି ସ୍ଳୋଗାନ ଆଳରେ ବିଦେଶୀମାନଙ୍କ ଆମେରିକା ପ୍ରବେଶ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ସେଥିନିମନ୍ତେ ଆମେରିକାର ନାଗରିକମାନଙ୍କୁ ସେମାନଙ୍କ ପତ୍ନୀ, ପିତାମାତା, ସନ୍ତାନ, ଭାଇଭଉଣୀଙ୍କ ଆମେରିକାରେ ପ୍ରବେଶ ବାରଣ ପାଇଁ ୨୦୨୫ ମସିହା ଡିସେମ୍ବର ୧୬ ତାରିଖରେ ଘୋଷଣାନାମା ଜାରି କରିଛନ୍ତି । ଏଥିରେ ୩୯ଟି ରାଷ୍ଟ୍ର ଅନ୍ତର୍ଭୁକ୍ତ । ଆମେରିକାର ଭର୍ଜିନିଆ ରାଜ୍ୟରେ ଅବସ୍ଥିତ "ନାସନାଲ ଫାଉଣ୍ଡେସନ ଫର୍ ଆମେରିକାନ ପଲିସି (ଏନଏଫ୍ଏପି)' ଏକ ଅଣଲାଭକାରୀ ନିରପେକ୍ଷ ଗବେଷଣା ସଂସ୍ଥା, ଯାହା ଅନ୍ୟାନ୍ୟ ଅନେକ ପ୍ରସଙ୍ଗ ସହିତ ସରକାରଙ୍କର ଇମିଗ୍ରେସନ ନୀତି ଉପରେ ରିପୋର୍ଟ ପ୍ରକାଶ କରିଥାଏ ।
ସେହି ସଂସ୍ଥାର ତଥ୍ୟ ଅନୁଯାୟୀ, ୨୦୨୩-୨୪ ମସିହାରେ ଆମେରିକାର ଜନସଂଖ୍ୟା ୩୩ଲକ୍ଷ ବୃଦ୍ଧି ପାଇଥିଲା ଏବଂ ସେଥିମଧ୍ୟରୁ ବିଦେଶୀଙ୍କ ସଂଖ୍ୟା ଥିଲା ୨୮ଲକ୍ଷ । ସେହି କାଳଖଣ୍ଡରେ ଆମେରିକାରେ ୨୦ଲକ୍ଷ ବିଦେଶୀ ଆଇନସମ୍ମତ ପ୍ରବେଶ କରିଥିଲେ । ରାଷ୍ଟ୍ରପତି ଟ୍ରମ୍ପ ଚଳିତ ବର୍ଷ ସେହି ସଂଖ୍ୟାକୁ ୬ଲକ୍ଷରେ ସୀମିତ ରଖି ଭବିଷ୍ୟତରେ ତାହାକୁ ଆହୁରି କମାଇବା ପାଇଁ ଯୋଜନା ରଖିଛନ୍ତି । ତାହା ସହିତ ପ୍ରତିବର୍ଷ ୧୦ଲକ୍ଷ ବିଦେଶୀଙ୍କୁ ଆମେରିକାରୁ ବିତାଡ଼ିତ କରିବା ପାଇଁ ମଧ୍ୟ ଯୋଜନା ରହିଛି। ତାଙ୍କର ଯୁକ୍ତି: ବିଦେଶୀମାନେ ଆମେରିକାରେ ପ୍ରବେଶ କରି ଆମେରିକାବାସୀଙ୍କ ନିଯୁକ୍ତି ଛଡ଼େଇ ନେଉଛନ୍ତି । କିନ୍ତୁ ଏହା ତଥ୍ୟଭିତ୍ତିକ ସତ୍ୟ ଉପରେ ଆଧାରିତ ନୁହେଁ । ଆମେରିକା ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ତରଫରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱିତୀୟ ପାଳି ପ୍ରଥମ ବର୍ଷରେ ବେଆଇନ ଭାବେ ବସବାସ କରୁଥିବା ୨୫ଲକ୍ଷରୁ ଊଦ୍ଧ୍ୱର୍ ପ୍ରବାସୀଙ୍କୁ ଦେଶରୁ ବିଦା କରାଯାଇଥିଲା । ଏହା ସତ୍ତେ୍ୱ ୨୦୨୫ ମସିହା ନଭେମ୍ବର ମାସରେ ଆମେରିକା ଜନ୍ମିତ ଶ୍ରମିକଙ୍କ ବେକାରୀ ହାର ଥିଲା ୪.୩% ଏବଂ ୨୦୨୪ ମସିହା, ସେହି ମାସରେ ଏହି ହାର ଥିଲା ୩.୯% । ପ୍ରବାସୀମାନଙ୍କୁ ବିତାଡ଼ିତ କରିବା ପରେ ମଧ୍ୟ ଆମେରିକା ଜନ୍ମିତ ଶ୍ରମିକଙ୍କ ନିଯୁକ୍ତି ହାରରେ ଅଭିବୃଦ୍ଧି ଘଟିନଥିଲା ।
କୌଣସି ଦେଶର ଅର୍ଥନୈତିକ ଅଭିବୃଦ୍ଧି ସେ ଦେଶର ଶ୍ରମଶକ୍ତି ଏବଂ ଅଧିକ ଉତ୍ପାଦନ ଉପରେ ନିର୍ଭର କରେ । ଆମେରିକାରେ ପ୍ରବାସୀମାନେ ହେଉଛନ୍ତି ଏହି ଦୁଇଟି କ୍ଷେତ୍ରର ସମ୍ବଳ । ଏନଏଫ୍ଏପି ଦ୍ୱାରା ପ୍ରକାଶିତ ବିସ୍ତୃତ ରିପୋର୍ଟ ଆଧାରରେ- ଟ୍ରମ୍ପ ପ୍ରଶାସନର ବେଆଇନ ଓ ଆଇନସମ୍ମତ ଇମିଗ୍ରେସନ ନୀତି ଆଧାରରେ ଆମେରିକାରେ ୨୦୨୮ ମସିହା ସୁଦ୍ଧା ପ୍ରାୟ ୭୦ଲକ୍ଷ ଏବଂ ୨୦୩୫ ସୁଦ୍ଧା ୧୬ଲକ୍ଷ ଶ୍ରମଶକ୍ତି କମ୍ ହେବାଫଳରେ ଆମେରିକାର ଅର୍ଥନୈତିକ ଅଭିବୃଦ୍ଧି ଏକତୃତୀୟାଂଶ ହ୍ରାସପାଇବ । ଏହି ରିପୋର୍ଟରେ ଉଚ୍ଚକୁଶଳୀ ଇମିଗ୍ରେସନ ଯୋଜନାକୁ ଅନ୍ତର୍ଭୁକ୍ତ କରାଯାଇନାହିଁ । ସାମଗ୍ରିକ ଭାବେ ୧୯୯୦- ୨୦୧୦ ଏହି ଦୁଇ ଦଶନ୍ଧିରେ ଆମେରିକାର ଅର୍ଥନୈତିକ ଅଭିବୃଦ୍ଧିର ଏକ-ଷଷ୍ଠାଂଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଉଚ୍ଚକୁଶଳୀ ପ୍ରବାସୀମାନଙ୍କ ଯୋଗୁଁ ସମ୍ଭବ ହୋଇଥିଲା । ଏହି ମର୍ମରେ ୨୦୨୪ ମସିହା ଫେବ୍ରୁଆରୀ ୨୯ ତାରିଖରେ ଅନୁଷ୍ଠିତ ଆଇଆଇଟି ଦିଲ୍ଲୀ ଇନୋଭେସନ୍ ଫୋରମ୍ରେ ମାଇକ୍ରୋସଫ୍ଟର ଅନ୍ୟତମ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ବକ୍ତବ୍ୟ ପ୍ରଣିଧାନଯୋଗ୍ୟ ।
ସେ କହିଥିଲେ “ଭାରତ ସହ ମୋର ପ୍ରଥମ ସଂପର୍କ ଆଇଆଇଟି ଦିଲ୍ଲୀ ମାଧ୍ୟମରେ ହୋଇଥିଲା । ମାଇକ୍ରୋସଫ୍ଟ ଆରମ୍ଭ ବେଳର କଥା । କମ୍ପାନୀର ଦକ୍ଷତା ବୃଦ୍ଧି ନିମନ୍ତେ ଆମେ ଯୋଗ୍ୟ ବ୍ୟକ୍ତିଙ୍କର ଅନୁସନ୍ଧାନ କରୁଥାଉ । ଜଣେ ବିଖ୍ୟାତ ବ୍ୟକ୍ତି ଯିଏ ମୋ ସହିତ ମାଇକ୍ରୋସଫ୍ଟରେ କାମ କରୁଥିଲେ ଆଇଆଇଟି ଦିଲ୍ଲୀରୁ କିଛି ଛାତ୍ରଙ୍କୁ ନିଯୁକ୍ତି ଦେବାପାଇଁ ପ୍ରସ୍ତାବ ଦେଲେ । ସେତେବେଳେ ଆମ ପାଖରେ ମାତ୍ର ଅଳ୍ପ କେତେ ଶହ ଇଞ୍ଜିନିୟର ଥିଲେ, କିନ୍ତୁ ଦକ୍ଷ ବ୍ୟକ୍ତି ପାଇବା କଷ୍ଟକର ଥିଲା । ମୁଁ ସମ୍ମତି ପ୍ରଦାନ କରିବାରୁ ସେ ଭାରତ ଆସି ଦିଲ୍ଲୀ ଆଇଆଇଟିରୁ ୧୫ଜଣ ଯୁବ ଇଞ୍ଜିନିୟରଙ୍କୁ ନିଯୁକ୍ତିପତ୍ର ଦେଇଥିଲେ । ସେତେବେଳେ ଏହାକୁ ବିରୋଧ କରି ଭାରତୀୟ ଗଣମାଧ୍ୟମ କହିଥିଲା, ଯୋଗ୍ୟ ବ୍ୟକ୍ତିମାନେ ଦେଶ ଛାଡ଼ି ଚାଲିଯାଉଛନ୍ତି ଏବଂ ଆମେରିକା ଗଣମାଧ୍ୟମର ମତ ଥିଲା ଦେଶର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବେ ବିଦେଶୀଙ୍କ ହାତକୁ ଟେକି ଦିଆଯାଉଛି । କିନ୍ତୁ ଆଜି ଦୀର୍ଘ ବର୍ଷ ପରେ ମୋର ମତ- ଏହା ଥିଲା ଭାରତ, ଆମେରିକା ଏବଂ ମାଇକ୍ରୋସଫ୍ଟ ନିମନ୍ତେ ଏକ ଅସାଧାରଣ ଘଟଣା । ମୋ ମାଇକ୍ରୋସଫ୍ଟ କ୍ୟାରିୟରରେ ଯେଉଁ ଚମତ୍କାର ବ୍ୟକ୍ତିମାନଙ୍କ ସହ କାମ କରିବାର ସୁଯୋଗ ପାଇ ତାହା ଉପଭୋଗ କରିଛି, ସେମାନଙ୍କ ମଧ୍ୟରୁ ଉଚ୍ଚ ପ୍ରତିଶତ ହେଉଛନ୍ତି ଭାରତୀୟ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ସତ୍ୟ ନାଡେଲା । ମାଇକ୍ରୋସଫ୍ଟ ତାଙ୍କ ଭଳି ଜଣେ ଦକ୍ଷ ସିଇଓ ପାଇଥିବାରୁ ଆମେ ଅତ୍ୟନ୍ତ ଭାଗ୍ୟବାନ ।”
କେବଳ ସତ୍ୟ ନାଡେଲା ନୁହଁନ୍ତି, ଆମେରିକାର ଅନେକ କମ୍ପାନୀର ମୁଖ୍ୟ ହେଉଛନ୍ତି ଭାରତୀୟ । ସେମାନଙ୍କ ମଧ୍ୟରେ ଆଲଫାବେଟ୍ କମ୍ପାନୀର ସୁନ୍ଦର ପିଚାଇ, ଆଇବିଏମ କମ୍ପାନୀର ଅରବିନ୍ଦ କ୍ରିଷ୍ଣା, କୋଗନିଜାଣ୍ଟ କମ୍ପାନୀର ରବି କୁମାରଙ୍କ ସମେତ ଏ ତାଲିକା ବହୁ ଲମ୍ବା । ଏମାନଙ୍କ ମଧ୍ୟରୁ ଅନେକ ଏଚ୧ବି ଭିସା ମାଧ୍ୟମରେ ଆମେରିକା ଯାଇଥିଲେ ଏବଂ ନିଜର ଦକ୍ଷତା ଓ ସାମର୍ଥ୍ୟ ବଳରେ ଆଜି କମ୍ପାନୀର ଉଚ୍ଚ ପଦବିରେ ଅଧିଷ୍ଠିତ ହୋଇପାରିଛନ୍ତି । କିଛି ବ୍ୟକ୍ତିଙ୍କର ଧାରଣା, ଏଚ୧ବି ଭିସା ପାଇବାରେ ଭାରତୀୟଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଏହା ସଂକୁଚିତ ବା ସୀମିତ ହେଲେ ଭାରତ କ୍ଷତିଗ୍ରସ୍ତ ହେବ, ଏ ଧାରଣା ଅମୂଳକ । ଏଚ୧ବି ଭିସା ସଂକୁଚିତ ହେବାଫଳରେ ଆମେରିକାରେ କୁଶଳୀ ବ୍ୟକ୍ତିଙ୍କର ଅଭାବ ହେତୁ ବହୁ କମ୍ପାନୀ ଆମେରିକା ବାହାରକୁ ଆସିବା ପାଇଁ ବାଧ୍ୟ ହେବେ । ଫଳରେ ଆମେରିକାର ଅର୍ଥନୀତି ଭୁଶୁଡ଼ି ପଡ଼ିବା ଅସମ୍ଭବ ନୁହେଁ । ଭାରତ ବର୍ତ୍ତମାନ ସମୃଦ୍ଧିର ଯେଉଁ ସ୍ତରରେ ଉପନୀତ ହୋଇପାରିଛି, କୁଶଳୀ ଯୁବପିଢ଼ି ଆମରି ଦେଶରେ ଷ୍ଟାର୍ଟ ଅପ୍ ପ୍ରତିଷ୍ଠା କରି ଅବା ଯେକୌଣସି କ୍ଷେତ୍ରରେ ପ୍ରବେଶ କରି ଦେଶକୁ ଆହୁରି ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।
ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ତାଙ୍କ ଦେଶ ପାଇଁ ଅଭିଶାପରେ ପରିଣତ ହେବା ସହ ଆମ ପାଇଁ ହେବ ବରଦାନ ସଦୃଶ । ଚଳିତ ମାସ ୧୬ ଫେବ୍ରୁଆରୀରୁ ୨୦ ଫେବ୍ରୁଆରୀ ପର୍ଯ୍ୟନ୍ତ ଆମ ଦେଶରେ ଆୟୋଜିତ ବିଶ୍ୱର ସର୍ବବୃହତ "ଏଆଇ ପ୍ରଭାବ ଶିଖର ସମ୍ମିଳନୀ' ଏହାର ସଦ୍ୟତମ ଦୃଷ୍ଟାନ୍ତ । ଏଥିରେ ଖ୍ୟାତନାମା ବୈଜ୍ଞାନିକଙ୍କ ସମେତ ବିଗ୍ ଟେକ୍ କମ୍ପାନୀର ମୁଖ୍ୟମାନେ ଅଂଶଗ୍ରହଣ କରି ଭାରତର ନେତୃତ୍ୱକୁ ସ୍ୱୀକାର କରିଛନ୍ତି । ସମ୍ମିଳନୀର ଅନ୍ତିମ ପର୍ଯ୍ୟାୟରେ ୮୮ଟି ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସଂଗଠନ "ସମ୍ମିଳନୀର ଘୋଷଣାନାମା'କୁ ସମର୍ଥନ କରିଛନ୍ତି । ଏହି ଘୋଷଣାନାମା ନୈତିକ, ସମାବେଶୀ ଏବଂ ନିରନ୍ତର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହିତ ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା ଶାସନ ସକାଶେ ସେଚ୍ଛାକୃତ ଢାଞ୍ଚା ପ୍ରସ୍ତୁତ କରିଛି । ଏହି ସମ୍ମିଳନୀରେ ଯୋଗଦାନ କରି ଇଂଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି "କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଭାରତ ବର୍ତ୍ତମାନ ଇଂଲଣ୍ଡ ଠାରୁ ବହୁ ଆଗରେ ଅଛି' । ଏହା ନିଶ୍ଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କର ଖାମଖିଆଲି ନିଷ୍ପତ୍ତି ଯୋଗୁଁ ବିଶ୍ୱରେ ଆମେରିକାର ପ୍ରଭାବ ହ୍ରାସ ପାଉଥିବାବେଳେ, ଭାରତ ହିଁ ସେହି ସ୍ଥାନ ପୂରଣ କରିବ ।