ଗାଜା ସିଟି,୦୪/୦୮: ଗାଜାରୁ ଆସିଛି  ଏକ ହୃଦୟ ବିଦାରକ ଭିଡିଓ । ହମାସ୍‌ ଜାରି କରିଥିବା ଏହି ଭିଡିଓରେ ବେଶ୍‌ ଦୁର୍ବଳ ହୋଇଯାଇଥିବା ଜଣେ ଇସ୍ରାଏଲ ବନ୍ଧକ ନିଜ କବର ନିଜେ ଖୋଳୁଥିବା ଦେଖିବାକୁ ମିଳିଛି ।  ଭିଡିଓରେ ହମାସ୍‌ର କ୍ରୂରତା ଏବଂ ଗାଜାରେ ଇସ୍ରାଏଲ ବନ୍ଧକଙ୍କ ଉପରେ ଅମାନବୀୟ  ଅତ୍ୟାଚାର ପୁଣି ଦୁନିଆ ସାମ୍‌ନାକୁ ଆସିଛି ।  ୪୮ ଘଣ୍ଟା ଭିତରେ ଇସ୍ରାଏଲ ବନ୍ଧକଙ୍କ ଦ୍ୱିତୀୟ ଭିଡିଓ ଜାରି କରିଛି ହମାସ୍‌ । ଏପରି ଭିଡିଓ  ଇସ୍ରାଏଲ ବାସୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ  ବେଞ୍ଜାମିନ୍‌ ନେତନ୍ୟାହୁଙ୍କୁ ଚିନ୍ତାରେ ପକାଇଛି । 

ଏଥିରେ ଦେଖିବାକୁ ମିଳିଛି, ୨୦୨୩  ଅକ୍ଟୋବର ୭ରେ ହମାସ୍‌ ଦ୍ୱାରା ଅପହୃତ ହୋଇଥିବା ଇସ୍ରାଏଲ ନାଗରିକ ୨୪ ବର୍ଷୀୟ  ଇଭ୍ୟାତର ଡେଭିଡ୍‌ ଏକ ସଂକୀର୍ଣ୍ଣ ସୁଡ଼ଙ୍ଗରେ ମାଟି ଖୋଳୁଛନ୍ତି । ଏଥିରେ ସେ ବେଶ୍‌ ଦୁର୍ବଳ  ଏବଂ ନିର୍ଜୀବ ଦେଖାଯାଉଛନ୍ତି । ସେ ଏକ  ହାଫ୍‌ପ୍ୟାଣ୍ଟ ପିନ୍ଧିଛନ୍ତି । କ୍ୟାମେରା ଆଡ଼କୁ  ଦେଖି କହୁଛନ୍ତି, ‘ମୁଁ ନିଜ କବର ନିଜେ ଖୋଳୁଛି । ମୋ ଶରୀର ଦିନକୁ ଦିନ ଦୁର୍ବଳ  ହୋଇଚାଲିଛି । ମୁଁ ମୃତ୍ୟୁ ଆଡ଼କୁ ବଢ଼ୁଛି । ଏହା ହିଁ ମୋ କବର, ଯେଉଁଠି ମୋତେ ପୋତାଯିବ ।’ 

ଡେଭିଡଙ୍କ ସ୍ୱାସ୍ଥ୍ୟ ଦେଖିଲେ ଜଣାପଡ଼ୁଛି ଯେ ସେ ଦୀର୍ଘ ଦିନ ହେଲା ଖାଦ୍ୟ  ଖାଇନାହାନ୍ତି । ସେ ବେଶ୍‌ କ୍ଷୀଣ ସ୍ୱରରେ କଥା  ହେଉଛନ୍ତି । ଏପରିକି ସେ ଠିକ୍‌ରେ ଚାଲି  ମଧ୍ୟ ପାରୁନାହାନ୍ତି । ଡେଭିଡ୍‌ଙ୍କ ପରିବାର ଲୋକେ କହିଛନ୍ତି,  ପୁଅକୁ ଜାଣିଶୁଣି ଭୋକିଲା ରଖାଯାଇଛି । ହମାସ୍‌ ଡେଭିଡ୍‌ଙ୍କ ଜରିଆରେ ନିଜ ପ୍ରଚାର  କରିବାକୁ ଚାହୁଁଛି । ଏହା ଦୁନିଆର ସବୁଠୁ  ଭୟାବହ କାର୍ଯ୍ୟ । ପ୍ରଧାନମନ୍ତ୍ରୀ ନେତ୍ୟନ୍ୟାହୁ ଡେଭିଡ୍‌ଙ୍କ ପରିବାର ସହ କଥା ହୋଇଛନ୍ତି ।  ସରକାର ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଭାବେ  ମୁକୁଳାଇବା ଆଣିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ବୋଲି ନେତନ୍ୟାହୁ କହିଛନ୍ତି ।  

ପ୍ରକାଶଥାଉ କି, ପୂର୍ବରୁ ହମାସ୍‌ ଆଉ ଏକ  ଭିଡିଓ ଜାରି କରିଥିଲା । ଏଥିରେ ୨୧ ବର୍ଷୀୟ  ରୋମ ବ୍ରାସଲାଭସ୍କିଙ୍କୁ ବେଶ୍‌ ଦୁର୍ବଳ ଏବଂ ରୋଗିଣା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଇସ୍ରାଏଲ ସେନା ହମାସ୍‌କୁ  ଚେତାବନୀ ଦେଇଛି । ତୁରନ୍ତ ଇସ୍ରାଏଲ  ବନ୍ଧକଙ୍କୁ ମୁକ୍ତ ନ କଲେ ଗାଜାରେ ଅବିରତ  ଆକ୍ରମଣ ହେବ ବୋଲି ସେନା ପକ୍ଷରୁ  ବୟାନ ଜାରି କରାଯାଇଛି ।

 ଇସ୍ରାଏଲ ସେନା  ଅନୁସାରେ, ହମାସ୍‌ ୨୫୧ ଜଣଙ୍କୁ ଅପହରଣ  କରିଥିଲା । ବନ୍ଦୀ ଅଦଳବଦଳ ପରେ ଆଉ ୪୯  ଇସ୍ରାଏଲ ନାଗରିକ ହମାସ୍‌ କବଳରେ ଥିଲେ । ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ମୃତ୍ୟୁ ହୋଇଛି ।