କେନ୍ଦ୍ରାପଡ଼ା, ୦୨/୧୧: ବାରିମୂଳ ଜେଲ୍‌ର ୱାଡେନ୍ ବିଜୟ ପରିଡାଙ୍କର ସନ୍ଧେହଜନକ ଭାବେ ମୃତ୍ୟୁ ଘଟିଛି l ଜେଲ୍ ନିକଟରେ ଥିବା ବାରାକ୍‌ରେ ବିଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ସେ ଆଠଗଡ଼ ଗୁରିଡିଝାଟିଆର ବାସିନ୍ଦା ବୋଲି ଜଣାପଡ଼ିଛି । କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ଜେଲ୍ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଶୁକ୍ରବାର ଦିନ ୧୨ ଟାରେ ବିଜୟଙ୍କ ଡିୟୁଟି ଶେଷ ହୋଇଥିଲା । ଡିଉଟି ସାରି ସେ ନିଜ ବାରାକ୍‌କୁ ଫେରିଆସିଥିଲେ । ସନ୍ଧ୍ୟାରେ ଅନ୍ୟମାନେ ଡିଉଟି ସାରି ଫେରିବା ପରେ ବିଜୟ ଙ୍କୁ ପଙ୍ଖାରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ତାଙ୍କ ସହକର୍ମୀ ଜେଲ୍‌ର ଅନ୍ୟ କର୍ମୀ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଜେଲ୍‌ରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ମୃତକଙ୍କ ପରିବାର ଲୋକେ ଖବର ପାଇବା ପରେ କେନ୍ଦ୍ରାପଡାରେ ପହଞ୍ଚିଛନ୍ତି । ବର୍ତ୍ତମାନ ବିଜୟଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ ।